ଦଶରଥପୁର/ଯାଜପୁରସଦର : ଝିଅ ବାହାଘର ପାଇଁ ଆୟୋଜିତ ନିର୍ବନ୍ଧ ଭୋଜି ଖାଇ ଦଶରଥପୁର ବ୍ଲକ ଗ୍ରାମନନ୍ଦିପୁର ପଞ୍ଚାୟତ ବାବଲପୁର ସାହୁସାହିରେ ୨୦୦ରୁ ଊର୍ଦ୍ଧ୍ୱ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ମଙ୍ଗଳପୁର ଗୋଷ୍ଠୀ ସ୍ଥାସ୍ଥ୍ୟକେନ୍ଦ୍ରର ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ ସାହୁସାହିରେ କ୍ୟାମ୍ପ କରି ସମସ୍ତଙ୍କୁ ଚିକିତ୍ସା କରୁଛନ୍ତି। ୧୨ ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗତ ୩ ତାରିଖ ମଧ୍ୟାହ୍ନରେ ନନ୍ଦିପୁର ପଞ୍ଚାୟତ ବାବଲପୁର ଗ୍ରାମର ସାହୁ ସାହିର ଦୁର୍ଯ୍ୟୋଧନ ସାହୁଙ୍କ ଝିଅ ବିବାହ ପାଇଁ ନିର୍ବନ୍ଧ ଭୋଜି ଆୟୋଜିତ ହୋଇଥିଲା। ଏହି ଭୋଜିରେ ସାହିରୁ ୪୦ରୁ ଅଧିକ ଲୋକ ଯୋଗ ଦେଇଥିଲେ। ପରଦିନ ଅର୍ଥାତ ଗୁରୁବାର ସନ୍ଧ୍ୟାରେ ସାହିର ୪ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଦଶରଥପୁର ଡାକ୍ତରଖାନାକୁ ଯାଇଥିଲେ। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ବିଳମ୍ବିତ ରାତ୍ରିରେ ସାହିର ପ୍ରାୟ ସମସ୍ତେ ଅସୁସ୍ଥ ହୋଇପଡ଼ିଥିଲେ। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଗ୍ରାମକୁ ୨୪ ଘଣ୍ଟିଆ ନିରୀକ୍ଷଣରେ ରଖାଯିବା ବୋଲି ସ୍ୱାସ୍ଥ୍ୟ ଅଧିକାରୀ ଉମାକାନ୍ତ ମଲ୍ଲିକ ସୂଚନା ଦେଇଛନ୍ତି।

The post ନିର୍ବନ୍ଧ ଭୋଜି ଖାଇ ୨୦୦ରୁ ଊର୍ଦ୍ଧ୍ବ ଅସୁସ୍ଥ first appeared on Sambad.



from ଜିଲ୍ଲା – Sambad https://ift.tt/2MuQNSP