
ସମ୍ବଲପୁର : କେନ୍ଦ୍ର ବଜେଟ୍ରେ କଟନ୍ (ତୁଳା) ଦର ଆମଦାନୀ ଉପରେ ଟିକସ୍ ଲାଗୁ ଯୋଗୁଁ ବୁଣାକାରମାନଙ୍କ ଜୀବନ ଜୀବିକା ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। କଟନ୍ ଦର ବୃଦ୍ଧି ପାଉଥିବାରୁ ସୂତା ଦର ବଢ଼ିବ ଓ ବୁଣାକାରଙ୍କୁ ମିଳୁଥିବା ଲାଭ ହ୍ରାସ ପାଇବା ଚିନ୍ତା ଘାରିଛି।
କେନ୍ଦ୍ର ବଜେଟ୍ରରେ ଏଥର କଟନ୍ ଆମଦାନୀ ଉପରେ ୧୦ ପ୍ରତିଶତ କଷ୍ଟମ୍ ଡ୍ୟୁଟି ଲାଗୁ କରାଯାଇଛି। ଆଗରୁ ସେଭଳି ବ୍ୟବସ୍ଥା ନଥିଲା। ଦେଶରେ ଚାଷୀମାନଙ୍କୁ ଉତ୍ସାହିତ କରିବା ପାଇଁ ବିଦେଶରୁ ଆମଦାନୀ ହେଉଥିବା ତୁଳା ଉପରେ ଏମିତି କଷ୍ଟମ୍ ଡ୍ୟୁଟି ଲଗାଯାଇଛି। ଏଥି ସହିତ ଅତିରିକ୍ତ ଟିକସ ଲାଗିପାରେ ବୋଲି ବୁଣାକାରମାନେ ଆଶଙ୍କା କରିଛନ୍ତି। ଅଂଚଳର ବୁଣାକାରମାନଙ୍କ କହିବା ଅନୁସାରେ, ଶହେ ନମ୍ବର ସୂତା ପେଣ୍ଡି ୨୫ ଶହ ଟଙ୍କାରେ ମିଳୁଥିବା ବେଳେ ଏହା ଏଣିକି ପ୍ରାୟ ୩ ହଜାର ଟଙ୍କା, ୧୨୦ ନମ୍ବର ସୂତା ପେଣ୍ଡି ୨୯୦୦ ଥିବା ବେଳେ ୩୫୦୦ ଟଙ୍କା, ଆଗରୁ ଯେଉଁ କଳା ରଂଗର ସୂତା ୨୫୦ ଟଙ୍କା ଥିବା ବେଳେ ଏଣିକି ୩୫୦ ଏବଂ ଲାଲ ରଂଗର ସୂତା ୩୦୦ ଟଙ୍କା ପଡ଼ୁଥିବା ବେଳେ ଏଣିକି ୪୨୦ ଟଙ୍କା ହୋଇଯିବ। ସୂତା ଓ ରଂଗର ଦାମ୍ ବଢ଼ିବ, କିନ୍ତୁ ସେହି ହାରରେ ଶାଢ଼ି ଦର ବୃଦ୍ଧି ପାଇବ ନାହିଁ। ଶାଢ଼ି ତିଆରି ପାଇଁ ବୁଣାକାର ପରିବାର ଏକାଧିକ ସଦସ୍ୟ ନିୟୋଜିତ ହୋଇଥାନ୍ତି। ତେଣୁ, ସେମାନଙ୍କ ପାରିଶ୍ରମିକ ଆଗଭଳି ମିଳିବ ନାହିଁ। ଆୟ ହ୍ରାସ ପାଇଲେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିବ ବୋଲି ଚାରପାଲିର ରାଧାକାନ୍ତ ମେହେର, ହାରାଧାନ ମେହେର ପ୍ରମୁଖ କହିଛନ୍ତି। ପଶ୍ଚିମ ଓଡ଼ିଶାର ହଜାର ହଜାର ବୁଣାକାର ପରିବାର ଏହା ଦ୍ବାରା ପ୍ରଭାବିତ ହେବ ବୋଲି କୁହାଯାଇଛି।
ସରକାରୀ ତଥ୍ୟ ଅନୁସାରେ, କେବଳ ବରଗଡ଼ କ୍ଲଷ୍ଟରରେ ୧୫ ହଜାରରୁ ଅଧିକ ଓ ସୋନୁପରରେ ୩ ହଜାରରୁ ଅଧିକ ବୁଣାକାର ରହିଛନ୍ତି। ସମ୍ବଲପୁର ଜିଲ୍ଲାରେ ଆଜି ବି ଶହ ଶହ ପରିବାର ବୁଣାକାର ନିଜ କୌଳିକ ବୃ୍ତ୍ତି ଉପରେ ନିର୍ଭରଶୀଳ। ଏମିତିରେ ମେସିନ ତିଆରି କଟନ୍ ଶାଢ଼ି ସେମାନଙ୍କ ପାଇଁ ଏକ ଚ୍ୟାଲେଂଜ ହୋଇଛି। ଅପରପକ୍ଷରେ ନିଜ ଦେଶରେ ଉତ୍ପାଦିତ କଟନ୍ ଆମଦାନୀ ହେଉଥିବା କଟନ୍ ଅପେକ୍ଷା ଶସ୍ତାରେ ଉପଲବ୍ଧ ହେଉଥିବାରୁ ସେମାନଙ୍କ ଜୀବନ ଜୀବିକା ଉପରେ କିଛି ପ୍ରଭାବ ପଡ଼ିବ ନାହିଁ ବୋଲି କୁହାଯାଇଛି।
The post ସୂତା ଦର ବୃଦ୍ଧି, ଚିନ୍ତାରେ ବୁଣାକାର; ବଢ଼ିବ ସମ୍ବଲପୁରୀ ବସ୍ତ୍ର ଦର! first appeared on Sambad.
from ଜିଲ୍ଲା – Sambad https://ift.tt/2LmHRhw
0 Comments