ବାଲିପାଟଣା : ବାଲିପାଟଣା ଥାନା ବନମାଳିପୁର ଗ୍ରାମରେ ଆଜି ଜଣେ ଯୁବକଙ୍କୁ ପିଲା ଚୋରି ଅଭିଯୋଗରେ ସ୍ଥାନୀୟ ଲୋକେ ନିର୍ଧୁମ ଛେଚି ପୁଲିସ ଜିମା ଦେଇଛନ୍ତି। ଯୁବକ ଜଣକ ହେଉଛନ୍ତି ବାଲିଅନ୍ତା ଥାନା ସରକଣା ଗ୍ରାମର ସରତ ଚନ୍ଦ୍ର ବେହେରା( ୨୪ )। ସୂଚନା ଅନୁସାରେ , ଆଜି ଦିନ ପ୍ରାୟ ୧୨ ଟା ସମୟରେ ଡେରାସାହି ଗ୍ରାମର ଶରତ ଦାସଙ୍କ ପୁଅ ଦୀପକ ଦାସ (୧୦ ) ଗାଁ ଦାଣ୍ଡରେ ସାଇକେଲ ଚଲାଉଥିଲେ। ଏହି ସମୟରେ ଶରତ ଚନ୍ଦ୍ର ବେହେରା ଉକ୍ତ ଗ୍ରାମକୁ ନୂତନ ମନ୍ଦିର ନିର୍ମାଣ ଲାଗି ଭିକ୍ଷା ଆଦାୟ କରିବା ପାଇଁ ଆସିଥିଲେ। ଦୀପକକୁ ପାଖକୁ ଡାକି ଚକୋଲେଟ୍‌ ଦେବେ ବୋଲି କହିଥିଲେ। ପାଖରେ କେତୋଟି ଗାଁକୁ ବାଟ ଚିହ୍ନେଇ ଦେବା ପାଇଁ ଦୀପକକୁ ସାଙ୍ଗରେ ନେଇ ଯାଉଥିଲେ।

ଏହି ସମୟରେ ଦୀପକ କାନ୍ଦିବାର ଦେଖି ତାଙ୍କର ଜଣେ ସାଙ୍ଗ ଯୁବକଙ୍କ ବେଶଭୁଷାକୁ ଦେଖି ସନ୍ଦେହ କରିଥିଲେ ଏବଂ ଗ୍ରାମବାସୀଙ୍କୁ ଏ ସଂପର୍କରେ ସୂଚନା ଦେଇଥିଲେ। ଗ୍ରାମବାସୀ ଅଭିଯୁକ୍ତ ଶରତଙ୍କୁ କାବୁ କରି ଗାଁ ମୁଣ୍ଡ ମନ୍ଦିରରେ ଅଟକ ରଖିଥିଲେ। ପିଲା ଚୋର ଖବର ପ୍ରଚାର ହୋଇଯିବା ପରେ ଉକ୍ତ ସ୍ଥାନରେ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା। ଖବର ପାଇ ବାଲିପାଟଣା ଥାନା ଅଧିକାରୀ ରାଧାକାନ୍ତ ସାହୁ ଟିମ ସହ ପହଁଞ୍ଚି ଥିଲେ। ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଯାଇଥିଲା। ବହୁ କଷ୍ଟରେ ପୁଲିସ ଲୋକଙ୍କ କବଳରୁ ଶରତଙ୍କୁ ଉଦ୍ଧାର କରିଥିଲା। ପୁଲିସ ଉଦ୍ଧାର ସମୟରେ କିଛି ଲୋକ ଆକ୍ରମଣ କରିଥିଲେ। ଶରତ ପିଲା ଚୋରି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ବାଲିପାଟଣା ପୁଲିସ ତାଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି।

The post ବାଲିପାଟଣା: ପିଲା ଚୋରି ଅଭିଯୋଗରେ ଯୁବକଙ୍କୁ ଘେରି ଯାଇ ନିର୍ଧୁମ ଛେଚିଲେ ଗ୍ରାମବାସୀ first appeared on Sambad.



from ଜିଲ୍ଲା – Sambad https://ift.tt/2NB66tp