ନୂଆପଡ଼ା/ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଢଙ୍କସର ଗ୍ରାମର ଜଣେ ବିବାହିତା ମହିଳା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ହେଲେ ଝିଅର ପରିବାର ଲୋକ ଏହା ଆତ୍ମହତ୍ୟା ନୁହେଁ ବୋଲି କହୁଛନ୍ତି। ଝିଅକୁ ଯୌତୁକ ଦାବି କରିବା ଓ ବିଭିନ୍ନ ସମୟରେ ଶାଶୂଘରେ ନିର୍ଯାତନା ଦେବା ସହ ମୋ ଝିଅକୁ ମାରିଥିବାର ପରିବାର ଲୋକ ଖଡ଼ିଆଳ ଥାନାରେ ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଖଡ଼ିଆଳ ଥାନା ଅନ୍ତର୍ଗତ ଢଙ୍କସର ଗ୍ରାମର ନନ୍ଦଲାଲ ଗହିରଙ୍କ ପୁଅ ହେମନ୍ତ ଗହିର (୨୫) ୨୦୨୦ ମସିହା ଅପ୍ରେଲ ୧୭ ତାରିଖରେ ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା କନ୍ଦେଇ ଗ୍ରାମର ଶତ୍ରୁଘନ ବାଗଙ୍କ ଝିଅ ବେଲମତି ବାଗଙ୍କୁ (୨୫) ଯଥା ରୀତିନୀତିରେ ବିବାହ କରିଥିଲେ। ବିବାହ ଏକ ବର୍ଷ ହେଉଣୁ ସ୍ବାମୀ ହେମନ୍ତ ଗହିର, ଶାଶୂ ଯଶୋଦା ଗହିର, ଶଶୁର ନନ୍ଦଲାଲ ଗହିର ମିଶି ବେଲମତିଙ୍କୁ ବାରମ୍ବାର ଯୌତୁକ ଦାବି କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଏହାକୁ ସହି ନ ପାରି ଝିଅ ବୁଧବାର ଦିନ ସକାଳ ପ୍ରାୟ ୧୧ଟା ସମୟରେ ସ୍ବାମୀ ଘରେ ବେକରେ ଓଢ଼ଣି ଦେଇ ଆତ୍ମହତ୍ୟା କରିଥିଲେ। ପରେ ପରିବାର ଲୋକ ତାଙ୍କୁ ତୁରନ୍ତ ଖଡ଼ିଆଳ ମିଶନ ଡାକ୍ତରଖାନାକୁ ଆଣିଥିଲେ। ହେଲେ ମିଶନ ଡାକ୍ତରଖାନାରେ ବେଲମତିଙ୍କ ମୃତ୍ୟୁ ହୋଇଥିଲା।
ପରିବାର ଲୋକ ଏହାକୁ ଆତ୍ମହତ୍ୟା ନୁହେଁ ବୋଲି କହୁଛନ୍ତି। ସ୍ବାମୀ, ଶାଶୂ ଓ ଶଶୁର ମିଶି ମୋ ଝିଅକୁ ମାରିଥିବା ଅଭିଯୋଗ କରି ଖଡ଼ିଆଳ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏହା ଉପରେ ଖଡ଼ିଆଳ ଥାନା ଅଧିକାରୀ କୈଳାସ ସେଠୀ କହିଛନ୍ତି ଯେ, ଝିଅର ବାପାଙ୍କ ଅଭିଯୋଗକୁ ନେଇ ଏକ ମାମଲା ରୁଜୁ କରାଯାଇଛି। ତଦନ୍ତ ପରେ ସତ୍ୟତା ଜଣାପଡ଼ିବ ବୋଲି ସେ କହିଛନ୍ତି ।
The post ବିବାହିତା ମହିଳାଙ୍କ ଆତ୍ମହତ୍ୟା: ଯୌତୁକଜନିତ ହତ୍ୟା ବୋଲି ଅଭିଯୋଗ ଆଣିଲେ ମୃତକଙ୍କ ବାପଘର first appeared on Sambad.
from ଜିଲ୍ଲା – Sambad https://ift.tt/3uvIZ4o
0 Comments