କେନ୍ଦ୍ରାପଡ଼ା / ଆଳି : ଦୁଇଟି ଏଟିଏମ୍‌ ତାଡ଼ି ଦୁର୍ବୃତ୍ତ ଲୁଟି ନେଇଛନ୍ତି ପାଖାପାଖି ୪୩ ଲକ୍ଷ ଟଙ୍କା। କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଏଭଳି ଏକ ଲୁଟ୍‌ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସିସି କ୍ୟାମେରା ଉପରେ କଳା ସ୍ପ୍ରେ ପକାଇ, ଗ୍ୟାସ୍‌ କଟରରେ ଏଟିଏମ୍‌କୁ ତାଡ଼ି ଦୁର୍ବୃତ୍ତ ଯେଭଳି କାଣ୍ଡ କରିଛନ୍ତି, ସେଥିରେ ଅାନ୍ତଃରାଜ୍ୟ ଅପରାଧୀଙ୍କ ହାତ ଥିବାର ସନ୍ଦେହ କରାଯାଉଛି। ଆଳିର ପ୍ରବେଶପଥ କୁହାଯାଉଥିବା ପତ୍ରପୁର ଓ ନିଆଳହାଟରେ ଥିବା ଷ୍ଟେଟ୍‌ବ୍ୟାଙ୍କର ଦୁଇଟି ଏଟିଏମ୍‌ରୁ ଏଭଳି ଲୁଟ୍‌ ହୋଇଛି। ଏସ୍‌ପି ମଦକର ସନ୍ଦିପ ସଂପଦଙ୍କ ସମେତ ଆଳି ପୁଲିସ ସାଇଣ୍ଟିଫିକ୍ ଟିମ୍‌ ଓ ସଂଧାନୀ କୁକୁର ସହାୟତାରେ ଘଟଣାର ତଦନ୍ତ ଚାଲିଛି।

ସୂଚନାନୁଯାୟୀ, ପତ୍ରପୁର ଓ ନିଆଳହାଟରେ ଏସ୍‌ବିଆଇର ଥିବା ଏହି ଦୁଇଟି ଏଟିଏମ୍‌ କାଉଣ୍ଟର୍‌ରେ କୌଣସି ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇନାହିଁ। ସିସି କ୍ୟାମେରା ଲାଗିଥିଲେ ମଧ୍ୟ ଦୁର୍ବୃତ୍ତମାନେ ଅତି ଚତୁରତାର ସହିତ ତାହା ଉପରେ କଳାରଂଗର ସ୍ପ୍ରେ ମାରି ଦେଇଛନ୍ତି। ଏହାପରେ ଗ୍ୟାସ୍‌ କଟର୍‌ ଓ ଅନ୍ୟ ଯନ୍ତ୍ରାଂଶ ସାହଯ୍ୟରେ ଏଟିଏମ୍‌ ମେସିନ୍‌କୁ କାଟି ପତ୍ରପୁର କାଉଣ୍ଟର୍‌ରୁ ୧୯ ଲକ୍ଷ ୬୮ ହଜାର ୫୦୦ ଟଙ୍କା ଓ ନିଆଳହାଟ କାଉଣ୍ଟର୍‌ରୁ ୨୩ ଲକ୍ଷ ୧୪ହଜାର ଟଙ୍କା ଲୁଟି ନେଇଛନ୍ତି। ସମୁଦାୟ ଦୁଇଟି ଏଟିଏମ୍‌ରୁ ୪୨ଲକ୍ଷ ୮୨ହଜାର ୫୦୦ଟଙ୍କା ଲୁଟ୍‌ ହୋଇଥିବା ବିଭାଗୀୟ ଅଧିକାରୀ ବିପିନ ବିହାରୀ ବେହେରା ସୂଚନା ଦେଇଛନ୍ତି। ପୁଲିସ ଘଟଣାର ତଦନ୍ତ ଚଳାଇବା ସହିତ ସିସି କ୍ୟାମେରା ହାର୍ଡ ଡିସ୍କ ସମେତ ଅନ୍ୟ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛି। ହେଲେ ଏଯାଏ ଲୁଟେରାଙ୍କ ସଂପର୍କରେ କୌଣସି ପତ୍ତା ପାଇନାହିଁ।

ଗତବର୍ଷ ମଧ୍ୟ ସିଙ୍ଗିର ବଜାରରେ ଥିବା ଏଟିଏମ୍‌ରୁ ଅନୁରୂପ ଢଙ୍ଗରେ ଲୁଟ୍‌ ଉଦ୍ୟମ ହୋଇଥିଲା ା ମେସିନ୍ ଭାଂଗିଥିଲେ ମଧ୍ୟ ଅପରାଧୀମାନେ ଟଙ୍କା ଲୁଟିବାରେ ସଫଳ ହୋଇପାରି ନ ଥିଲେ ା ହେଲେ, ଏଥର ଗୋଟିଏ ରାତିରେ ରାସ୍ତା କଡ଼ ଦୁଇ ଦୁଇ ଏଟିଏମ୍‌ରୁ ଲୁଟ୍‌ ପୁଲିସର ଦୁର୍ବଳ ପାଟ୍ରୋଲିଂ ବ୍ୟବସ୍ଥାକୁ ପଦାରେ ପକାଇଦେଇଛି ା ତା’ସହିତ ରାସ୍ତା କଡ଼ରେ ଥିବା ଏହି କାଉଣ୍ଟର୍‌ଗୁଡ଼ିକରେ କାହିଁକି ସୁରକ୍ଷା କର୍ମୀ ନିୟୋଜିତ କରାଯାଇନାହିଁ, ତାକୁ ନେଇ ବି ପ୍ରଶ୍ନ ଉଠିଛି।

ଅନ୍ୟପକ୍ଷରେ ଆଳି ଥାନାଧିକାରୀ ସଲିଳ ପ୍ରଧାନ କହିଛନ୍ତି ଯେ ବିଭିନ୍ନ ସ୍ଥାନରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍‌କୁ ଆଧାର କରି ଘଟଣାର ତଦନ୍ତ ଚାଲିଛି ା ଏଟିଏମ୍‌ ଭିତରେ କ୍ୟାମେରାକୁ କଳା ରଂଗର ସ୍ପ୍ରେ ମାରି ଦେଇଥିବାରୁ କିଛି ଦେଖାଯାଉନାହିଁ। ତେବେ ବାହାର କ୍ୟାମେରାରୁ ତିନି ଜଣ ଯୁବକ ଲୁଟ୍‌ କରୁଥିବା ଦେଖିବାକୁ ମିଳିଛି ା ସମସ୍ତେ ମୁହଁରେ ମାସ୍କ୍‌ ଓ ଜ୍ୟାକେଟ୍‌ ପିନ୍ଧିଛନ୍ତି ା ରାତି ୨ଟା ପରେ ଏହି ଲୁଟ୍ ହୋଇଛି ା ପ୍ରଥମେ ନିଆଳହାଟ ଏବଂ ପରେ ପତ୍ରପୁରରୁ ଅପରାଧୀମାନେ ଲୁଟ୍ କରିଛନ୍ତି ା ଗ୍ୟାସ୍‌ କଟର୍‌ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ଆଣିଥିବାରୁ ଏହାପଛରେ ଏକ ବଡ଼ ପେସାଦାର ଗ୍ୟାଙ୍ଗ୍‌ର ହାତ ଥିବା ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଥିବା ଶ୍ରୀ ପ୍ରଧାନ କହିଛନ୍ତି।

The post ଏଟିଏମ୍‌ରୁ ଲୁଟିଲେ ୪୩ ଲକ୍ଷ first appeared on Sambad.



from ଜିଲ୍ଲା – Sambad https://ift.tt/3auvWXy