
ସମ୍ବଲପୁର : ମଣ୍ଡିଗୁଡ଼ିକର ଘରୋଇକରଣ ଓ ନୂତନ ଠିକା ଚାଷ ଆଇନ ବିରୋଧରେ ରାଜଧାନୀ ଭୁବନେଶ୍ୱରରେ ଗର୍ଜିବେ ପଶ୍ଚିମ ଓଡ଼ିଶାର ଚାଷୀ। ଆଜି ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ସମନ୍ବୟ ସମିତିର ଆହ୍ବାନକ୍ରମେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଶତାଧିକ ଚାଷୀ ଭୁବନେଶ୍ବର ଅଭିମୁଖେ ବାହାରିଛନ୍ତି। ନିଜ ଶକ୍ତି ପ୍ରଦର୍ଶନ କରିବା ସହିତ ନୂଆ ଆଇନ୍ କାର୍ଯ୍ୟକାରୀ ନକରିବା ପାଇଁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବେ।
ସୂଚନା ଅନୁସାରେ, କେନ୍ଦ୍ର ସରକାରଙ୍କ କୃଷି ନୀତିର ପ୍ରତିବାଦ ପାଇଁ ଆଜି ବୀର ସୁରେନ୍ଦ୍ର ସାଏଙ୍କ ବଳିଦାନ ଦିବସରେ ‘ଉଲ୍ଗୁଲାନ୍ ଶପଥ ଯାତ୍ରା ଆରମ୍ଭ କରାଯାଇଛି। ଶତାଧିକ ବାଇକ୍ରେ ଚାଷୀମାନେ ଭୁବନେଶ୍ବର ଅଭିମୁଖେ ବାହାରିଥିବା ବେଳେ ହାତୀବାରୀ, ରେଢ଼ାଖୋଲ ଓ ବାମୁର ପ୍ରଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଛି। ସମ୍ବଲପୁରରୁ ବରଗଡ଼ ଓ ସମ୍ବଲପୁର ଜିଲ୍ଲାର ଚାଷୀମାନେ ବାଇକ୍ ରାଲିରେ ବାହାରିଥିବା ବେଳେ ରେଢ଼ାଖୋଲରେ ସୋନପୁର ଜିଲ୍ଲାର ଚାଷୀମାନେ ରାଲିରେ ମିଶିବେ।
ଆସନ୍ତାକାଲି ଅନୁଗୁଳଠାରେ ଦେବଗଡ଼ ଜିଲ୍ଲାର ଚାଷୀ ଏହି ରାଲି ସହିତ ମିଶିବେ। ସନ୍ଧ୍ୟାରେ କଟକ ଏକ ବଡ଼ ସଭାର ଆୟୋଜନ କରାଯାଇଛି। ବଲାଂଗୀର, କଳାହାଣ୍ଡି ଜିଲ୍ଲାର ଚାଷୀମାନେ କଟକରେ ଏହି ରାଲି ସହିତ ସାମିଲ ହେବେ। ୨ ମାର୍ଚ୍ଚରେ ଚାଷମାନେ ଭୁବନେଶ୍ବରରେ ଗର୍ଜିବେ। ଏଥିରେ ଅଖିଳ ଭାରତୀୟ କୃଷକ ସଂଗଠନ ସମନ୍ବୟ ସମିତି ସହ ସଂପୃକ୍ତ କୃଷକ ପ୍ରତିନିଧିମାନେ ଯୋଗ ଦେବେ।
ସମନ୍ବୟ ସମିତିର ଆବାହକ ଲିଙ୍ଗରାଜ ଓ ଅଶୋକ ପ୍ରଧାନଙ୍କ ନେତୃତ୍ବରେ ବାହାରିଥିବା ଏହି ରାଲିରେ ମୁରାରୀ ପୁରୋହିତ, ହରିଶଙ୍କର ପୁରୋହିତ, ଅଶ୍ବିନୀ ପୃଷେଠ, ବିପିନ ଭୋଏ, ବ୍ୟୋମକେଶ ଠାକୁର, ମହମ୍ମଦ ନିଜାମ, ରମେଶ ମହାପାତ୍ର, ଭୈରବ ପ୍ରଧାନ, ଦେବେନ୍ଦ୍ର ପ୍ରଧାନ, ଚୁଡ଼ାମଣି ପଟେଲ, ପ୍ରଦୀପ ସ୍ବାଇଁ ପ୍ରମୁଖଙ୍କ ସମେତ ବିଭିନ୍ନ ଜିଲ୍ଲାର ବହୁ ଚାଷୀ ନେତା ଓ ଚାଷୀ ସାମିଲ ହୋଇଛନ୍ତି। ବାମୁରରେ ଆଜି ସନ୍ଧ୍ୟାରେ ବିନୋଦ ପ୍ରଧାନଙ୍କ ସଭାପତିତ୍ବରେ ଏକ ବଡ଼ ସଭା ହୋଇଥିଲା। ସୁଧୀର ପ୍ରଧାନ, ପ୍ରଫେସର ନନ୍ଦକିଶୋର ମହାକୁରଙ୍କ ବହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ଉପସ୍ଥିତ ଥିଲେ।
The post ସରକାରଙ୍କ କୃଷିନୀତିକୁ ବିରୋଧ : ବାଇକ୍ ରାଲିରେ ରାଜଧାନୀ ମୁହାଁ ଚାଷୀ first appeared on Sambad.
from ଜିଲ୍ଲା – Sambad https://ift.tt/3bRFJb3
0 Comments