
ବୁଗୁଡ଼ା : ଶିଶୁଙ୍କୁ ଉତ୍ତମ ପ୍ରି-ସ୍କୁଲ୍ ଶିକ୍ଷା ପ୍ରଦାନ ସହ ସେମାନଙ୍କ ମାନସିକ ଓ ଶାରୀରିକ ବିକାଶ ହେଉଛି ଅଙ୍ଗନବାଡ଼ି କେନ୍ଦ୍ରର ମୂଳ ଲକ୍ଷ୍ୟ। ସେହିପରି ଶିଶୁ, ପ୍ରସୂତି ଓ ଗର୍ଭବତୀଙ୍କ ସ୍ବାସ୍ଥ୍ୟ ତଦାରଖ ସହିତ ଅପପୁଷ୍ଟି ଦୂର, ଶିଶୁ ଓ ମାତୃ ମୃତ୍ୟୁହାର କମାଇବା, ଠିକ୍ ସମୟରେ ଟିକାକରଣ ସମେତ ଅନେକ କାର୍ଯ୍ୟକ୍ରମ ଏଠାରୁ ପରିଚାଳିତ ହେଉଛି। ହେଲେ ଗଞ୍ଜାମ ଜିଲ୍ଲାରେ ଏହି ଅଭିଯାନ ଆଜି ଲକ୍ଷ୍ୟସ୍ଥଳଠୁ ପଛକୁ ଠେଲି ହୋଇଯାଉଥିବା ଭଳି ମନେ ହେଉଛି। କେଉଁଠି ଯୋଜନାର ଠିକ୍ କାର୍ଯ୍ୟକାରୀ ହେଉନି ତ ଆଉ କେଉଁଠି ଏଦିଗରେ ପ୍ରଶାସନର ବୈମାତୃକ ମନୋଭାବ ଖୁନ୍ଦି ହୋଇ ରହିଯାଉଛି। ସବୁକିଛି କେବଳ ସମୀକ୍ଷା ବୈଠକରେ ହିଁ ସୀମିତ ହୋଇ ରହିଛି। କୁନି କୁନି ପିଲା ବସି ପାଠ ପଢ଼ିବାକୁ ସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ରଟି ନାହିଁ। କେଉଁ କେନ୍ଦ୍ର ଭଡ଼ା ଘରେ ଚାଲିଛି ତ, ଆଉ କେନ୍ଦ୍ର ନଡ଼ାଛପର ଚାଳ ଘରେ। କିଛି କେନ୍ଦ୍ରର କୋଠା ଅଧପନ୍ତରିଆ ଭାବେ ପଡ଼ି ରହି ମାଟିରେ ମିଶିବାକୁ ବସିଲାଣି। ଏହାର ଜ୍ବଳନ୍ତ ଉଦାହରଣ ହେଉଛି, ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ଅଞ୍ଚଳ। ଅଙ୍ଗନବାଡ଼ି କୋଠା ପାଇଁ ଏଠାରେ ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପଡ଼ିବାକୁ ଯାଉଛି। ହେଲେ ଆଜି ପର୍ଯ୍ୟନ୍ତ ପ୍ରଶାସନର ନିଦ ଭାଙ୍ଗୁନି। ଶୁଣିବାକୁ ଚକିତ ଲାଗୁଥିଲେ ବି ଏହା ସତ। ପ୍ରତି ଅଞ୍ଚଳରେ ଆରମ୍ଭ ହୋଇଥିବା ଶତାଧିକ ଅଙ୍ଗନବାଡ଼ି କେନ୍ଦ୍ର ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ି ଏବେ ମାଟିରେ ମିଶିବାକୁ ବସିଲାଣି। ଅନ୍ୟପକ୍ଷରେ ଅଙ୍ଗନବାଡ଼ି କେନ୍ଦ୍ର ନଥିବାରୁ ପିଲାମାନେ ବିଦ୍ୟାଳୟ ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି।
ବୁଗୁଡ଼ା ବ୍ଲକ୍ ଓ ଏନ୍ଏସିରେ ମୋଟ ୨୩୧ଟି ଅଙ୍ଗନବାଡ଼ି କେନ୍ଦ୍ର ଖୋଲିଛି। ଯେଉଁଥିରେ ୫ହଜାର ୬ ଶହ ୬୯ ଜଣ ଶିଶୁ ନାମ ଲେଖାଇଛନ୍ତି। ତେବେ ୨୩୧ଟି କେନ୍ଦ୍ର ମଧ୍ୟରୁ କେବଳ ୧୧୯ଟି କେନ୍ଦ୍ର ନିଜସ୍ୱ କୋଠାରେ ଚାଲିଛି। ବାକି ୧୧୨ଟି କେନ୍ଦ୍ରର ନିଜସ୍ବ ଗୃହ ନଥିବାରୁ ଶିଶୁମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ନିଜସ୍ୱ ଗୃହ ନଥିବାରୁ ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ଆସବାବପତ୍ର ରଖିବା ସମ୍ଭବପର ହେଉ ନାହିଁ। ପିଲାମାନେ ବସିବା ପାଇଁ ଚେୟାର୍ ଓ ଷ୍ଟୁଲ୍ ମିଳିଥିଲେ ହେଁ ରଖିବାକୁ ସ୍ଥାନ ନାହିଁ। ଫଳରେ ପିଲାମାନେ ବିଦ୍ୟାଳୟ ବାରଣ୍ଡାରେ ବସି ପଢ଼ୁଛନ୍ତି।
ବୁଗୁଡ଼ା ବ୍ଲକ୍ କଡ଼କଲା, ଭଗବାନପୁର, ଘୋଳପୁର, ଏନ.ପାଟଣା, ଗୌଡ଼ିଆବୋରଦା ଓ ସୋରଡ଼ ଗ୍ରାମର ଦୁଇଟି ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କାର୍ଯ୍ୟ ସରିଥିଲେ ହେଁ କୋଠା ହସ୍ତାନ୍ତର ହୋଇପାରିନାହିଁ। ସେହିପରି ୯୧ଟି ସ୍ଥାନରେ ବହୁ ବର୍ଷ ହେଲା ଅଙ୍ଗନବାଡ଼ି କେନ୍ଦ୍ର କୋଠା ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଛି। ସେଗୁଡ଼ିକ ଉପରେ ଲଟାବୁଦା ମାଡ଼ି ମାଟିରେ ମିଶିବାକୁ ବସିଲାଣି। ହେଲେ ସେଥିପ୍ରତି କାହାରି ନଜର ପଡ଼ୁନି। ଫଳରେ କୋଠା ନିମନ୍ତେ ଖର୍ଚ୍ଚ ହୋଇଥିବା କୋଟି କୋଟି ଟଙ୍କା ଏବେ ପାଣିରେ ପଡ଼ିବାକୁ ଯାଉଛି। ଠିକାଦାର ମାନେ କାମ ପୂରା ନକରି ଅଧାରେ ଛାଡ଼ି ଦେଇଛନ୍ତି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ସେହିପରି ବୁଗୁଡ଼ା ଏନ୍ଏସିରେ ମୋଟ ୧୮ ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ଏମାନଙ୍କ ମଧ୍ୟରୁ କେବଳ ୪ଟି କେନ୍ଦ୍ରର ନିଜସ୍ୱ କୋଠା ରହିଛି। ରଘୁନାଥସାହି ଓ ଗୋଲାସାହିରେ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ଜାଗା ଚିହ୍ନଟ ହୋଇଛି। ଅନ୍ୟପକ୍ଷରେ ବୁଗୁଡ଼ା ବ୍ଲକର ୧୦ଟି ସେକ୍ଟର୍ ମଧ୍ୟରୁ କରଚୁଲି, ଅନ୍ତରପଡ଼ା ଓ କାନସୁକା ସେକ୍ଟରରେ ସୁପରଭାଇଜର ପଦବି ଖାଲି ପଡ଼ିଛି। ଏ ଦିଗରେ ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି।
The post ସ୍କୁଲ୍ ବାରଣ୍ଡା, କୋଠଘରେ ଗଢ଼ା ହେଉଛି କୁନି ଭବିଷ୍ୟତ; ମାଟିରେ ମିଶିଗଲାଣି ୯୧ ଅର୍ଦ୍ଧନିର୍ମିତ ଅଙ୍ଗନବାଡ଼ି କେନ୍ଦ୍ର first appeared on Sambad.
from ଜିଲ୍ଲା – Sambad https://ift.tt/2N0D321
0 Comments