
କଟକ: ଏସ୍ସିବିରେ ବିଚିତ୍ର ବ୍ୟବସ୍ଥା। ବାୟୋମେଡିକାଲ ତାଲିମ୍ ପାଇଁ ଖର୍ଚ୍ଚ ହେବ ୧୦ଲକ୍ଷ ଟଙ୍କା। କିନ୍ତୁ, ବର୍ଜ୍ୟବସ୍ତୁ ଦହନ ପାଇଁ ବସାଯାଇଥିବା ‘ଇନ୍ସିନେରେଟର୍’ ମରାମତି କରାଯିବନି। ଦୀର୍ଘଦିନ ହେଲା ଏସ୍ସିବିର ବର୍ଜ୍ୟବସ୍ତୁ ବ୍ରହ୍ମପୁର ଯାଉଛି। ମରାମତି ପାଇଁ ପାଖାପାଖି ୨୦ଲକ୍ଷ ଟଙ୍କା ବି ଆସିଛି। କିନ୍ତୁ ଏହାକୁ ମରାମତି କରାଯାଇ ନଥିବାବେଳେ ବୁଧବାରଠାରୁ ବର୍ଜ୍ୟବସ୍ତୁ ପରିଚାଳନା ତାଲିମ ପାଇଁ କିନ୍ତୁ ପଦକ୍ଷେପ ନିଆଯାଉଛି। କଟକ ବଡ଼ଡାକ୍ତରଖାନାରେ ଇନ୍ସିନେରେଟର ଅଚଳ ହୋଇପଡିଥିବାବେଳେ ଏବେ ନୂତନ ମେସିନ୍ ବସାଇବା ପାଇଁ ଯୋଜନା ଚାଲିଥିବା ଜଣାପଡିଛି। ଟଙ୍କା ଥାଇ ସୁଦ୍ଧା ମେସିନ୍କୁ ମରାମତି କରାଯାଉ ନଥିବାରୁ ଏହାକୁ ନେଇ ସ୍ବେଚ୍ଛାସେବୀ ଅନୁଷ୍ଠାନ ମୈତ୍ରୀ ସଂସଦ ପକ୍ଷରୁ ଆର୍ଡିସିଙ୍କୁ ଦାବିପତ୍ର ପ୍ରଦାନ କରାଯିବା ସହ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ହସ୍ତକ୍ଷେପ ଦାବି କରାଯାଇଛି।
ସଂଗଠନ ଅଭିଯୋଗ କରିଛି, ପୂର୍ବରୁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଏସ୍ସିବିରେ ଇନ୍ସିନେରେଟର୍ ବସାଯାଇଥିଲା। ହେଲେ ଅକାମୀ ହୋଇଥିବା ଏହି ଯନ୍ତ୍ର ମରାମତି କରା ନଯିବା ଫଳରେ କୁଢ଼ କୁଢ଼ ଅଳିଆ ମେଡିକାଲ୍ ପରିସରରେ ପଡ଼ି ରହିଥିଲା। ବିଭିନ୍ନ ମହଲରୁ ଚାପ ପଡ଼ିବା ପରେ ବର୍ଜ୍ୟବସ୍ତୁକୁ ଏକ ଘରୋଇ ସଂସ୍ଥା ଦ୍ବାରା ବ୍ରହ୍ମପୁରକୁ ପଠାଇ ଦିଆଗଲା। ଇନ୍ସିନେରେଟର୍ ମରାମତି ପାଇଁ ଏସ୍ସିବି କର୍ତ୍ତୃପକ୍ଷ ବହୁବାର ଲେଖିଥିଲେ ବି ଡିଏମ୍ଇଟି କାର୍ଯ୍ୟାଳୟ ପକ୍ଷରୁ ଏଥିପାଇଁ ଏଯାବତ୍ ଅନୁମତି ମିଳିପାରି ନାହିଁ। ଏହାର ମରାମତି ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ମୈତ୍ରୀ ସଂସଦ ପକ୍ଷରୁ ସଭାପତି ଅଜୟ ମହାନ୍ତିଙ୍କ ଦସ୍ତଖତରେ ଏକ ସ୍ମାରକପତ୍ର ରାଜସ୍ବ ଆୟୁକ୍ତଙ୍କୁ ଦିଆଯାଇଥିଲା।
The post ଏସ୍ସିବିରେ ବିଚିତ୍ର ବ୍ୟବସ୍ଥା; ଟଙ୍କା ଥାଇ ବି ଇନ୍ସିନେରେଟର୍ ଅଚଳ first appeared on Sambad.
from ଜିଲ୍ଲା – Sambad https://ift.tt/3cOd6gL
0 Comments