
ରାଜକନିକା: ମାନସ ମଲ୍ଲିକ। ବୟସ ୪୫। ରାଜକନିକା ବ୍ଲକର ମାନପୁରରେ ଘର। ୧୪/୧୫ ବର୍ଷର ହୋଇଥିବା ବେଳେ ଯାତ୍ରା ପାର୍ଟିରେ ନାଚୁଥିଲେ। ପରେ ନାଚ ମାଷ୍ଟର ଭାବେ କାର୍ଯ୍ୟ କଲେ। ଓଳାଭରର ମା’ କାଳୀ ଗଣନାଟ୍ୟ, ରାଜନଗରର ମାଟିଆ ମଙ୍ଗଳା, ସୁବର୍ଣ୍ଣରେଖା, ସାତଶଙ୍ଖ ଅପେରା, ତାରପୁର, ତୁଳସୀ, ଗୌରୀ ଗଣନାଟ୍ୟରେ କାମ କରିବା ପରେ ଆତ୍ମସନ୍ତୋଷ ନ ମିଳିବାରୁ ଦୀର୍ଘ ୧୯ ବର୍ଷ ହେବ ହରିଆଣାର ଗୁରଗାଁଓ ଏଜିଲେ ଟେକ୍ନୋଲୋଜି କମ୍ପାନିରେ କାମ କରୁଥିଲେ। ତାଙ୍କର ଦୁଇଭାଇ ମଧ୍ୟ ସେଠାରେ ରହି ମୋବାଇଲ ଦୋକାନ କରିଥିଲେ। ତିନିଭାଇ ମାସକୁ ପ୍ରାୟ ୬୦ହଜାର ଟଙ୍କା ରୋଜଗାର କରୁଥିଲେ।
ହଠାତ୍ କରୋନା ଦାଉ ସାଧିଲା। କରୋନା ପାଇଁ କମ୍ପାନି ସହିତ ଦୋକାନ ବି ବନ୍ଦ ହୋଇଗଲା। ତିନି ମାସ ଘରେ ବସି ରହିଲେ ମାନସ। ଗଚ୍ଛିତ ଅର୍ଥ ସରିଗଲା। କମ୍ପାନି ଆଉ ଖୋଲିବା ସମ୍ଭାବନା ନ ଥିଲା। ଘରେ ମା’, ସ୍ତ୍ରୀ ସହ ଚାରି ପିଲା। ଜମି ଆଦୌ ନାହିଁ। ଅନାବାଦିରେ ଘର ଖଣ୍ଡେ କରି ମୁଣ୍ତ ଗୁଞ୍ଜିଛନ୍ତି। ବିନା ରୋଜଗାରରେ ଘର ଚଳାଇବା କଷ୍ଟକର ହୋଇପଡ଼ିଲା। ଗୋଟଏ ପୁଅ +୨ ଓ ଅନ୍ୟ ଜଣେ ଦଶମରେ ପାଠ ପଢୁଛି। ତାଙ୍କ ପଢିବା ଖର୍ଚ୍ଚ ସହିତ ଘର ଖର୍ଚ୍ଚ ଉଠାଇବା ପାଇଁ ଶେଷରେ କିଛି ରୋଜଗାର କରିବାକୁ ଚିନ୍ତା କଲେ ମାନସ। ଏବେ ମସଲା ପ୍ୟାକେଟ କରି ବଜାର ଓ ଗାଁ ଗହଳିରେ ବୁଲିବୁଲି ବିକ୍ରି କରୁଛନ୍ତି। ଏଥିରୁ ଯାହା ରୋଜଗାର ହେଉଛି ସେଥିରେ ଦୁଃଖ କଷ୍ଟରେ ପରିବାର ଚଳିଯାଉଛି। କରୋନା ତାଙ୍କ ଜୀବନ ଜୀବିକା ବଦଳାଇ ଦେଲା ବୋଲି କହିଛନ୍ତି ସେ।
The post କରୋନା କାହାଣୀ; ଗୁର୍ଗାଓଁରୁ ମାନପୁର first appeared on Sambad.
from ଜିଲ୍ଲା – Sambad https://ift.tt/3jwOlaf
0 Comments