
କଟକ: କଟକରେ ଅନ୍ୟଖେଳ ପରି କୁସ୍ତିର ସ˚ପର୍କ ବହୁତ ପୁରୁଣା। ପୂର୍ବରୁ ମାଟି ଆଖଡ଼ାରେ କୁସ୍ତି ଲଢା ଯାଉଥିଲା। ମାଟିରେ ପହିଲମାନମାନେ ଯେଉଁଭଳି ଭାବେ ଲଢୁଥିଲେ, ତାହା ଆଜିକାର ମ୍ୟାଟ ଉପରେ ହେଉଥିବା ଖେଳରେ ଦେଖିବାକୁ ମିଳୁନାହିଁ। ମାଟି ଓ ମ୍ୟାଟ ଭିତରେ ଅନେକ ଫରକ ଆସୁଛି। ତଥାପି ସେ ସମୟର ଲୋକମାନେ ବର୍ତ୍ତମାନର ମ୍ୟାଚ ଖେଳ ଅପେକ୍ଷା ସେମାନଙ୍କ ସମୟର ମାଟି ଖେଳକୁ ଅଧିକ ପସନ୍ଦ କରୁଛନ୍ତି। ମାଟି ଆଖଡ଼ାରେ ମାଟି ଖୋଳାଯାଇ ସେଥିରେ ସୋରିଶ ତେଲ, ନିମ୍ବପତ୍ର, ହଳଦି ଇତ୍ୟାଦି ପକାଇ ମିଶ୍ରଣ କରାଯାଇଥାଏ। ସେହି ମାଟିରେ ଔଷଧୀୟ ଗୁଣ ଭରପୁର ରହୁଥିଲା। ଖେଳିବା ବେଳେ ଯଦି କାହାର ଖଣ୍ତିଆ ହୁଏ, ତାହେଲେ ଔଷଧ ଲଗାଇବା ଅପେକ୍ଷା ଆଖଡ଼ା ମାଟିକୁ ସେମାନେ ଦେହରେ ବୋଳି ଦେଉଥିଲେ। ସେ ସମୟରେ କୁସ୍ତି ପାଇଁ ସ୍ବତନ୍ତ୍ର ପୋଷାକ କିଛି ନଥିଲା। ପହିଲମାନମାନେ କାଛିଆ ପିନ୍ଧି ଅଭ୍ୟାସ କରୁଥିଲେ। ମ୍ୟାଚ ସମୟରେ କାଛିଆକୁ ଧରି ଅନ୍ୟ ଜଣେ ଖେଳାଳିକୁ ଟେକି ଧରିବା ଭଳି କୌଶଳ ରହୁଥିଲା। ହେଲେ ଏବେ ତାହା ଆଉ ନାହିଁ।
ଆଖଡ଼ାଶାଳକୁ ମହିଳାଙ୍କୁ ଅନୁମତି ନଥିଲା। ମହିଳାମାନଙ୍କ ଛାଇ ବି ଯେପରି ଅଭ୍ୟାସ ବେଳେ ନପଡ଼ିବ, ସେଥିପାଇଁ ଆଖଡ଼ା ଅଞ୍ଚଳ ଚାରିପଟେ ପାଚେରି କିମ୍ବା କପଡ଼ା ବନ୍ଧା ଯାଉଥିଲା। ସପ୍ତାହରେ କେବଳ ମଙ୍ଗଳବାରକୁ ଛାଡ଼ି ଅନ୍ୟ ସବୁ ଦିନରେ ଅଭ୍ୟାସ କରାଯାଏ। ମଙ୍ଗଳବାର ଦିନ ପହିଲମାନମାନଙ୍କ ଦେହରେ ଉଷୁମ ସୋରିଶ ତେଲ ମାଲିସ କରାଯାଏ। ସେତେବେଳେ ଶରୀରକୁ ମଜବୁତ କରିବା ସହ ହାତର ଶକ୍ତିକୁ ବଢାଇବା ଦିଗରେ ପହିଲମାନମାନେ ଅଧିକ ଧ୍ୟାନ ଦେଉଥିଲେ। ଏଥିପାଇଁ ରୋପ୍ କ୍ଲାଇମ୍ବି˚, ଦଣ୍ତ, ବୈଠକ ଇତ୍ୟାଦି ମାରୁଥିଲେ।
ବିଭିନ୍ନ ସରକାରୀ ଛୁଟିମାନଙ୍କରେ ସାହି ବସ୍ତିରେ କୁସ୍ତି ପ୍ରତିଯୋଗିତା ଆୟୋଜନ ହୁଏ। ମଙ୍ଗଳାବାଗ, ଅଲିସାବଜାର, ଶେଖବଜାର, ଗଙ୍ଗାମନ୍ଦିର, କଳିଙ୍ଗ ଜିମ୍ନାସିୟମ, ଖାନନଗର ଇତ୍ୟାଦି ସ୍ଥାନରେ କୁସ୍ତି ପ୍ରତିଯୋଗିତା ଦେଖିବାକୁ ଲୋକଙ୍କ ଭିଡ଼ ଜମିଥାଏ। କଟକର ଖେଳାଳିମାନେ ରାଜ୍ୟ ପ୍ରତିଯୋଗିତାରେ ଅଧିକ ପ୍ରଦର୍ଶନ କରୁଥିଲେ। ଏସବୁ ସ୍ଥାନମାନଙ୍କରେ ଦିନିକିଆ କୁସ୍ତି ପ୍ରତିଯୋଗିତା ହେଉଥିବାବେଳେ ବିଜେତାମାନଙ୍କୁ କ୍ଷୀର, ସେଓ, କମଳା, କାଜୁ ବାଦାମ ଇତ୍ୟାଦି ପୁରସ୍କାର ସୂତ୍ରରେ ଦିଆଯାଉଥିଲା। କୁସ୍ତି କଥା ଆସିଲେ ଚୌଧୁରୀ ବଜାରର ବନା ପହିଲମାନଙ୍କ ନାଁ ମଧ୍ୟ ସ୍ବତଃ ଆଗକୁ ଆସିଯାଇଥାଏ। ସ୍ଥାନୀୟ କୁସ୍ତି ଆଖଡ଼ା ମଧ୍ୟରେ ସେ ବହୁତ ପରିଚିତ ଥିଲେ। କୁସ୍ତି ଖେଳ ଓ ଖେଳାଳିଙ୍କୁ ପ୍ରୋତ୍ସାହନ ଦେବାରେ ସେ ଆଗରେ ରହୁଥିଲେ। ପଦ୍ମଚରଣ ନାୟକ (ଉତ୍କଳ ଭୀମ), ମୁରଲୀଧର ପାଇଟାଳ, ବଟକୃଷ୍ଣ ବେହେରା, ଜିତେନ୍ ସାହୁ, ସୁନୀଲ ଦାସଙ୍କ ଭଳି ଆହୁରି ଅନେକ ପହିଲମାନ ସେ ସମୟରେ ନାମକରା କୁସ୍ତି ଖେଳାଳି ଥିଲେ।
୬୦ ଦଶକରେ ବାରବାଟୀ ଷ୍ଟାଡିୟମରେ ପ୍ରଥମ ଓ ଏକମାତ୍ର ଆନ୍ତର୍ଜାତିକ କୁସ୍ତି ପ୍ରତିଯୋଗିତା ଆୟୋଜନ ହୋଇଥିଲା। ଭାରତ ଓ ଶ୍ରୀଲଙ୍କାର ପହିଲମାନମାନଙ୍କ ମଧ୍ୟରେ ଏହି ପ୍ରତିଯୋଗିତା ହୋଇଥିଲାବେଳେ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ଚକ୍ରଧର ବେହେରା ସ୍ଥାନ ପାଇଥିଲେ। ଯଦିଓ ସେ ଆଶାନୁରୂପକ ପ୍ରଦର୍ଶନ ଦେଇପାରିନଥିଲେ, ତଥାପି ଚକ୍ରଧରଙ୍କ ନାମ ଚାରିଆଡେ଼ ଚର୍ଚ୍ଚିତ ହୋଇଯାଇଥିଲା। ଷ୍ଟାଡିୟମ ମଝିରେ ମାଟି ପକାଯାଇ ଆଖଡ଼ା ତିଆରି କରାଯାଇଥିଲା। ଶୈଳେନ ରାଏ, ଭୈରବ ମହାନ୍ତି, ଜର୍ଜ ପଟ୍ଟନାୟକଙ୍କ ଭଳି କ୍ରୀଡ଼ା ସ˚ଗଠକଙ୍କ ନେତୃତ୍ବରେ ଏହି ଆନ୍ତର୍ଜାତିକ ପ୍ରତିଯୋଗିତା ସଫଳତାର ସହ ଆୟୋଜନ ହୋଇଥିଲା। ଏଥିରେ ଭାରତୀୟ ପହିଲମାନମାନଙ୍କୁ ଉତ୍ସାହିତ କରିବାକୁ ସାରା ଓଡ଼ିଶାରୁ ଦର୍ଶକମାନେ ବାରବାଟୀକୁ ଆସିଥିଲେ।
The post କଟକ କ୍ରୀଡ଼ା ଇତିହାସ-ପରମ୍ପରା; ବାରବାଟୀରେ ହୋଇଥିଲା ଇଣ୍ତୋ-ଶ୍ରୀଲଙ୍କା କୁସ୍ତି first appeared on Sambad.from ଜିଲ୍ଲା | Sambad https://ift.tt/3cKHHuh
0 Comments