ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଇଂଜିନିୟରସ୍ ଠେଲା ଏବେ ବେଶ ଚର୍ଚ୍ଚାରେ। ଜିଲ୍ଲା ସଦର ମହକୁମାସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଏହି ଇଂଜିନିୟରସ୍ ଠେଲା ପଡିଛି। ମାଲକନଗିରିର ଦୁଇ ବନ୍ଧୁ ଏହି ଠେଲା ପକାଇଛନ୍ତି। ଜଣେ ହେଲେ ସୁମିତ କୁମାର ସାମଲ ଏବଂ ଅନ୍ୟ ଜଣେ ହେଲେ ପ୍ରିୟମ ବେବର୍ତ୍ତା। ସୁମିତଙ୍କ ଶିକ୍ଷାଗତ ଯୋଗ୍ୟତା ହେଲା ସିଭିଲ ଇଂଜିନିୟରିଂ ଏବଂ ପ୍ରିୟମଙ୍କ ଶିକ୍ଷାଗତ ଯୋଗ୍ୟତା ହେଲା ମେକାନିକାଲ ଇଂଜନିୟରିଂ। ଦୁହେଁ ଉଚ୍ଚ ଶିକ୍ଷିତ ହୋଇ ଏବେ ରାସ୍ତା କଡରେ ଠେଲା ପକାଇ ବେଶ ଚର୍ଚ୍ଚାର ପରିଧିକୁ ଆସିଛନ୍ତି। ଦୁହେଁ ଇଂଜିନିୟର ପାଠ ପଢିବା ସହ ଜଣେ ଆଇଟି କମ୍ପାନିରେ କାମ କରୁଥିବା ବେଳେ ଆଉ ଜଣେ ଠିକାଦାର ଭାବେ କାମ କରୁଛନ୍ତି।

ତେବେ ସଂଧ୍ୟାରେ ସମୟ ଅତିବାହିତ କରିବା ପାଇଁ ଠେଲା ପକାଇଛନ୍ତି। ଏହି ଠେଲାରେ ସମସ୍ତ ଫାଷ୍ଟ ଫୁଡ ସହ ବିରିୟାନି ମିଳେ।ଇଂଜିନିୟରସ୍ ଠେଲା ଦେଖିବା ପରେ ଲୋକେ ଆପଣାଛାଏଁ ଏମାନଙ୍କୁ ଦେଖିବା ପାଇଁ ଏବଂ ବିରିୟାନିର ସ୍ବାଦ ଚାଖିବା ପାଇଁ ଚାଲିଆସୁଥିବା ଦେଖିବାକୁ ମିଳିଛି। ଦୁଇ ପାଠୁଆ ଯୁବକଙ୍କ ଏଭଳି କାର୍ଯ୍ୟକୁ ଲୋକେ ପସନ୍ଦ ମଧ୍ୟ କରିଛନ୍ତି।

ମାଲକାନଗିରିରେ ସଂଧ୍ୟା ସମୟରେ ଶତାଧିକ ଫାଷ୍ଟ ଫୁଡ ରହିଥିଲେ ମଧ୍ୟ ଇଂଜନିୟରସ୍ ଠେଲାରେ ପ୍ରବଳ ଭିଡ ଦେଖିବାକୁ ମିଳେ।କୌଣସି କାମ ଛୋଟ କିମ୍ବା ବଡ ନୁହେଁ ବୋଲି ଏମାନେ କୁହନ୍ତି। ପ୍ରତ୍ୟେକ କାମକୁ ନିଜର ଭାବି କଲେ ତାହା ସୁଖ ପ୍ରଦାନ କରିଥାଏ।ଦୁହେଁ ସଂଧ୍ୟା ପୂର୍ବରୁ ନିଜର ସମସ୍ତ କାମ ସାରି ଠେଲା ପକାଇ ଦିଅନ୍ତି। ଏଥିରେ ପରିବାର ଲୋକେ ମଧ୍ୟ ସେମାନଙ୍କୁ ଉତ୍ସାହିତ କରିଛନ୍ତି। ଉଚ୍ଚ ଶିକ୍ଷିତ ହେଲେ ମଧ୍ୟ ଠେଲା ପକାଇ ବ୍ୟବସାୟ କରିବାରେ ସମାନେ ଲଜ୍ଜିତ ନୁହନ୍ତି ବୋଲି କହନ୍ତି। ଏହା ଭିନ୍ନ ଏକ ପେଶା କହିଲେ ଅତ୍ୟୁକ୍ତି ହେବ ନାହିଁ। ତେଣୁ ଏହି ଦୁଇ ଶିକ୍ଷିତ ଯୁବକ ଜୀବନରେ ଆହୁରି ଆଗକୁ ବଢନ୍ତୁ ଏତିକି କାମନା।

The post ମାଲକାନଗିରିରେ ଲୋକଙ୍କୁ ଆକୃଷ୍ଟ କରୁଛି ଇଂଜିନିୟରସ୍ ଠେଲା first appeared on Sambad.

from ଜିଲ୍ଲା | Sambad https://ift.tt/3tO1sI3