
ରାୟଗଡ଼ା: କରୋନା କଟକଣା ଯୋଗୁ ବନ୍ଦ ଥିବା ଟ୍ରେନ୍ ଚଳାଚଳ ପାଇଁ ସବୁଜ ସଙ୍କେତ ଦେଇଛି ରେଲୱେ ବୋର୍ଡ। ଫଳରେ ବର୍ଷକ ପରେ ନିର୍ଧାରିତ ରୁଟରେ ଏପ୍ରିଲରୁ ଗଡ଼ିବ ହୀରାଖଣ୍ଡ, ଜୁନାଗଡ଼, ଗୁଣପୁର-ପୁରୀ ଏକ୍ସପ୍ରେସ୍ ସମେତ ବିଶାଖାପାଟଣା- ଗୁଣପୁର ପାସେଞ୍ଜର ଟ୍ରେନ୍। ରେଳ ବିଭାଗର ଘୋଷଣା ପରେ ଅବିଭକ୍ତ କୋରାପୁଟ ଓ କଳାହାଣ୍ତି ଯାତ୍ରୀ ଆଶ୍ବସ୍ତି ପ୍ରକାଶ କରିଛନ୍ତି। ଭାରତରେ କରୋନା ପ୍ରକୋପ ବଢ଼ିବା ପରେ ୨୦୨୦ ମାର୍ଚ୍ଚ ୨୬ ତାରିଖରୁ ସରକାର ଟ୍ରେନ୍ ଚଳାଚଳ ସଂମ୍ପୂର୍ଣ୍ଣ ବନ୍ଦ ରଖିଥିଲେ। ବିଭିନ୍ନ ସ୍ଥାନରେ ଫଶି ରହିଥିବା ପ୍ରବାସୀ ଶ୍ରମିକ, କମ୍ପାନିରେ କାମ କରୁଥିବା କର୍ମଚାରୀଙ୍କୁ ଭିଟାମାଟିକୁ ଫେରାଇ ଆଣିବାକୁ ସରକାର ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିଥିଲେ।
୨୦୨୦ ଅକ୍ଟୋବର ପହିଲାରୁ ଭାରତରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ସରକାର ଧୀରେ ଧୀରେ ଟ୍ରେନ୍ ଚଳାଚଳ ଆରମ୍ଭ କରିଥିଲେ। କିନ୍ତୁ ରାୟଗଡ଼ା ନୂଆ ରେଳ ଡିଭିଜନ୍ ଅଧୀନରେ ଗଡ଼ୁଥିବା ବହୁ ପ୍ରମୁଖ ଟ୍ରେନ୍ ଚଳାଚଳ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଅନୁମତି ମିଳିନଥିଲା। କୋରାପୁଟ-ରାୟଗଡ଼ା, ରାୟଗଡ଼ା- ବିଶାଖାପାଟଣା, ରାୟଗଡ଼ା-ସମ୍ବଲପୁର ରୁଟରେ ଗଡ଼ୁଥିବା ପ୍ରମୁଖ ଟ୍ରେନକୁ ବାଦ୍ ଦେଇ ସରକାର କିଛି ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରି ଯାତ୍ରୀସେବାକୁ ସ୍ବାଭାବିକ କରିଥିଲେ। ହେଲେ ଚଳାଚଳ କରୁଥିବା ସ୍ବତନ୍ତ୍ର ଟ୍ରେନ୍ ବିଜୟନଗରମ୍, ଗଂଜାମ, ଖୋର୍ଦ୍ଧା ପରିବର୍ତ୍ତେ ସମ୍ବଲପୁର- ରାଉରକେଲା-ଅନୁଗୁଳ-କଟକ ଦେଇ ଚଳାଚଳ କରିବା ଯୋଗୁ ଦକ୍ଷିଣ ଓଡ଼ିଶାର ଯାତ୍ରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ହୀରାଖଣ୍ଡ, ଜୁନାଗଡ଼ ଏକ୍ସପ୍ରେସ୍ ଚଳାଇବା ନେଇ ରେଲ ବିଭାଗ ଅହେତୁକ ବିଳମ୍ବ କରିବା ପରେ ଯୁବ ବିକାଶ ପରିଷଦ ରେଳରୋକ ଚେତାବନୀ ଦେଇଥିଲା। ଏଥି ସହିତ ପ୍ରାଥମିକତା ଭିତ୍ତିରେ ଜଗଦଲପୁର-ଭୁବନେଶ୍ବର ହୀରାଖଣ୍ଡ ଏକ୍ସପ୍ରେସ୍ ଓ ଭୁବନେଶ୍ବର-ଜୁନାଗଡ଼ ଏକ୍ସପ୍ରେସକୁ ଚଳାଚଳ କରିବା ପାଇଁ ଲୋକସଭା, ରାଜ୍ୟସଭା ସାଂସଦଙ୍କ ସମେତ ପ୍ରେସ୍ କ୍ଲବ୍ ଓ ବିଭିନ୍ନ ସଂଗଠନ କେନ୍ଦ୍ର ରେଳ ମନ୍ତ୍ରୀ, ଇଷ୍ଟକୋଷ୍ଟ୍ ରେଲୱେ ଜେନେରାଲ୍ ମ୍ୟାନେଜର୍, ବିଶାଖାପାଟଣା ଡିଆରଏମକୁ ଚିଠି ଲେଖିବା ସହ ଆନ୍ଦୋଳନ ଚେତାବନୀ ଦେଇଥିଲେ।
ନିକଟରେ ଇଷ୍ଟକୋଷ୍ଟ ରେଲୱେ କର୍ମସିଆଲ୍ ଡିଭିଜିନାଲ୍ ମ୍ୟାନେଜର୍ ରାୟଗଡ଼ା ଗସ୍ତରେ ଆସି ଆନ୍ଦୋଳନ ଚେତାବନୀ ଦେଇଥିବା ବିଭିନ୍ନ ସଂଗଠନ ସହ ଆଲୋଚନା କରି ଫେରିବା ପରେ ହୀରାଖଣ୍ଡ, ଜୁନାଗଡ଼ ଟ୍ରେନ୍ ଚଳାଚଳ ପାଇଁ ବାଟ ଫିଟିଥିଲା। ଇଷ୍ଟକୋଷ୍ଟ୍ ରେଲୱେ ପ୍ରକାଶ କରିଥିବା ବିଜ୍ଞପ୍ତିରେ ଏପ୍ରିଲ୍ ୭ ତାରିଖରୁ ଗୁଣପୁର-ବିଶାଖାପାଟଣା ପାସେଞ୍ଜର୍, ଏପ୍ରିଲ୍ ୧୦ ତାରିଖରୁ ଭୁବନେଶ୍ବର- ଜୁନାଗଡ଼ ଏକ୍ସପ୍ରେସ୍, ଏପ୍ରିଲ୍ ୨୦ ତାରିଖରୁ ଭୁବନେଶ୍ବର-ଜଗଦଲପୁର ଏକ୍ସପ୍ରେସ୍, ଏପ୍ରିଲ୍ ୨୨ରୁ ପୁରୀ-ଗୁଣପୁର ଏକ୍ସପ୍ରେସ୍ ନିର୍ଧାରିତ ରୁଟରେ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଛି। ଜଗଦଲପୁର-କୋରାପୁଟ-ରାୟଗଡ଼ା ରୁଟରେ ଗଡ଼ୁଥିବା ଜଗଦଲପୁର-ରାଉରକେଲା, ଜଗଦଲପୁର-ହାୱଡା ସମଲେଶ୍ବରୀ, ଗୁଣପୁର-ରାଉରକେଲା ଏକ୍ସପ୍ରେସ୍ ଚଳାଚଳ କରିବାକୁ ରେଳ ବିଭାଗ କୌଣସି ନିଷ୍ପତ୍ତି ନେଇନି। ଅନ୍ୟପକ୍ଷରେ କୋରାପୁଟ-ବିଶାଖାପାଟଣା, ଦୁର୍ଗ- ଜଗଦଲପୁର ପାସେଞ୍ଜର ରାୟଗଡ଼ା ବଦଳରେ ଏବେ ଆରୁକୁ ଦେଇ ଚଳାଚଳ କରୁଛି। ରାୟଗଡ଼ା ଦେଇ ଗଡ଼ୁଥିବା ତିରୁପତି-ବିଳାସପୁର ଏକ୍ସପ୍ରେସ୍ ମଧ୍ୟ ଚଳାଚଳ ବନ୍ଦ ରହିଛି।
The post ବର୍ଷକ ପରେ ରେଲୱେ ବୋର୍ଡ ଦେଲା ସବୁଜ ସଙ୍କେତ; ଏପ୍ରିଲରୁ ଗଡ଼ିବ ହୀରାଖଣ୍ଡ, ଜୁନାଗଡ଼ ଏକ୍ସପ୍ରେସ୍ first appeared on Sambad.from ଜିଲ୍ଲା | Sambad https://ift.tt/2Pqst5l
0 Comments