ରାଉରକେଲା : ଆର୍‌ଏସ୍‌ପି କର୍ତୃପକ୍ଷଙ୍କ ବେପରୁଆ ମନୋଭାବ ଯୋଗୁଁ କୋଟି କୋଟି ଟଙ୍କାର ରାଜସ୍ବ ହାନୀ ଘଟୁଛି। ଢ଼ିଲା ନୀତି ଯୋଗୁଁ ସେକ୍ଟର ଅଞ୍ଚଳରେ ଯାବତୀୟ ସମସ୍ୟା ପରିଲକ୍ଷିତ ହେଉଛି। ତେବେ ସର୍ବାଧିକ ସମସ୍ୟା ଦେଖାଦେଉଛି ସେକ୍ଟର ଅଞ୍ଚଳରେ ଥିବା କ୍ବାର୍ଟର୍ସ‌‌କୁ ନେଇ। ଘରଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣର ଅଭାବ, ନିୟମିତ ବ୍ୟବଧାନରେ ମରାମତି କରାନଯିବା ସମସ୍ତଙ୍କୁ ଚକିତ କରିଛି। ବାସଗୃହ ସଂପର୍କୀତ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଦିଗ ହେଲା, କର୍ମଚାରୀଙ୍କୁ କ୍ବାର୍ଟର୍ସ‌ ପ୍ରଦାନ କରାଯାଉଥିବା ଘରଗୁଡ଼ିକୁ ଅନ୍ୟ ଲୋକଙ୍କୁ ଭଡ଼ାରେ ଲଗାଇବା। ଏହାଦ୍ବାରା ଆର୍‌ଏସ୍‌ପି କ୍ବାର୍ଟର୍‌ରେ ଅସାମାଜିକ କାର୍ଯ୍ୟକଳାପ ଆଶାତୀତ ବୃଦ୍ଧି ପାଇଛି।

ଆର୍‌ଏସ୍‌ପିରେ କାର୍ଯ୍ୟରତ କର୍ମଚାରୀଙ୍କୁ ଏହି କ୍ବାର୍ଟସ୍‌ ପ୍ରଦାନ କରାଯାଇଥାଏ। ମାତ୍ର ଭିନ୍ନ ଭିନ୍ନ କାରଣରୁ ବହୁ କର୍ମଚାରୀ ନିଜ ନାଁରେ ମଞ୍ଜୁର ହୋଇଥିବା କ୍ବାର୍ଟର୍‌ରେ ନ ରହି ଏହାକୁ ଉଚ୍ଚ ଦରରେ ଭଡ଼ାରେ ଲଗାଇଥାନ୍ତି। ମୋଟା ଅଙ୍କରେ ପ୍ରାୟ ୩/୫ ବର୍ଷ ପାଇଁ ଚୁକ୍ତିକରି ଘର ଭଡ଼ା ଦେଇଥାନ୍ତି। ମାତ୍ର ପରବର୍ତ୍ତୀ ସମୟରେ ଉକ୍ତ କ୍ବାର୍ଟର ଉପରେ ଆଉ ନଜର ରଖୁନାହାନ୍ତି। ଫଳରେ ଅସାଧୁ ବ୍ୟକ୍ତି ନିଜର ମନମର୍ଜି ଅନୈତିକ କାର୍ଯ୍ୟ, ବ୍ୟବସାୟ କରୁଥିବା ଦେଖିବାକୁ ମିଳୁଛି। ଏମିତିକି ଘର ମରାମତି ଦାୟିତ୍ବରେ ଥିବା ଠିକାଦାରମାନେ ଅନୈତିକଭାବେ ଘରକୁ କବ୍‌ଜା କରି ଅସ୍ଥାୟୀଭାବେ ଭଡ଼ାରେ ଲଗାଉଛନ୍ତି। ଆର୍‌ଏସ୍‌ପି କର୍ତୃପକ୍ଷଙ୍କ ସ୍ପଷ୍ଟ ନୀତିର ଅଭାବ ଯୋଗୁଁ ଏଭଳି ଚଞ୍ଚକତା ବୃଦ୍ଧି ପାଇବାସହ ଅସାମାଜିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରୁଛି।

ବିଗତ ଦିନରେ ଏହି କ୍ବାର୍ଟରଗୁଡ଼ିକରୁ ନାବାଳ ଉଦ୍ଧାର ହେବା, ଦେହ ବ୍ୟବସାୟ, ବାଣ ଗୋଦାମ, ବିୟୁଟି ପାର୍ଲର ଥିବା ନଜରକୁ ଆସିଥିଲା। କିନ୍ତୁ କର୍ତୃପକ୍ଷ ପୁରୁଣା ଭୁଲ୍‌କୁ ସୁଧାରିବା ପରିବର୍ତ୍ତେ ଏହାର ପୁନରାବୃତ୍ତି କରିଚାଲିଛନ୍ତି। ଏ ଦିଗରେ କର୍ତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି। ଗୋଟିଏପଟେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଘର ଯୋଗାଇବାରେ ଯାବତୀୟ କଟକଣା କରାଯାଉଥିବାବେଳେ ସବ୍‌ଲେଟିଂ ପ୍ରଥାକୁ ରୋକିବାକୁ କିନ୍ତୁ କର୍ତୃପକ୍ଷ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି, ଏଥିରେ ଦ୍ବିମତ ନାହିଁ।

The post ରାଉରକେଲା : ଅସାମାଜିକଙ୍କ ଆଡ୍ଡା ପାଲଟିଛି ଅବ୍ୟବହୃତ କ୍ବାର୍ଟର୍ସ‌ first appeared on Sambad.

from ଜିଲ୍ଲା | Sambad https://ift.tt/39ovDxI