ବୌଦ୍ଧ : ନାମକୁ ମାତ୍ର ଜାତୀୟ ରାଜପଥ। ଗ୍ରାମ୍ୟ ସଡ଼କ ଭଳି ସଂକୀର୍ଣ୍ଣ। ଦୁଇଟି ଭାରୀଯାନ ଅତିକ୍ରମ କରିବା ସମ୍ଭବ ହେଉ ନାହିଁ। ସଂକୀର୍ଣ୍ଣ ରାସ୍ତା ସାଙ୍ଗକୁ ପାର୍ଶ୍ବରେ ଜମା ହୋଇଥିବା ବାଲି ଅଧିକ ସମସ୍ୟା ସୃଷ୍ଟି କରୁଛି। ବାଇକ୍‌ରେ ଅତିକ୍ରମ କରିବା ବେଳେ ବାଲିରେ ଫସି ଟ୍ରକ ଚକ ତଳେ ପଡ଼ିବା ଆଶଙ୍କା ରହିଛି। ସେହିପରି ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିବା ଚାରି ଲେନ ରାସ୍ତା କେବଳ ନାମରେ ରହିଯାଇଛି। ଠାଏ ଠାଏ ଡିଭାଇଡର ଲଗାଇବା ଯୋଗୁଁ ଏହା ସାଧାରଣ ରାସ୍ତାର ରୂପ ନେଇଛି। ୫୭ ନଂ ଜାତୀୟ ରାଜପଥ ବୌଦ୍ଧ ସହରର ବ୍ରିଜ ଛକଠାରୁ ବୁଟୁପାଲି ଦେଇ ଲମ୍ବି ଯାଇଛି। ବ୍ରିଜ ଛକଠାରୁ ଥାନା ଛକ ପର୍ଯ୍ୟନ୍ତ ରାସ୍ତା ଦୋହରୀକରଣ କରାଯାଇଛି। ଥାନା ଛକରୁ ଏନ୍‌ଏସି ଛକ ପର୍ଯ୍ୟନ୍ତ ରାସ୍ତାକୁ ମାଡ଼ି ବସିଛି ସରକାରୀ କୋଠା। ଫଳରେ ରାସ୍ତାର ଦୋହରୀକରଣ ହୋଇ ପାରୁନାହିଁ। ରାସ୍ତା ଅତ୍ୟନ୍ତ ସଂକୀର୍ଣ୍ଣ ଥିବାରୁ ଲୋକେ ବିପଦସଂକୁଳ ଭାବରେ ଯାତାୟତ କରୁଛନ୍ତି। ଅଧିକ ସମସ୍ୟା ସୃଷ୍ଟି କରୁଛି ଡାକ୍ତରଖାନା ପାର୍ଶ୍ବରେ ଜମା ହୋଇଥିବା ବାଲି। ବ୍ରିଜ ଛକ ପଟରୁ ଆସୁଥିବା ବାଇକ ଆରୋହୀ ଭ‌ାରୀଯାନକୁ ସାଇଡ୍‌ ଦେବା ବେଳେ ବାଲିରେ ଫସୁଛନ୍ତି। ବାଲିରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାର ଶିକାର ହେଉଛନ୍ତି। ସାମାନ୍ୟ ଅସାବଧାନତା ଯୋଗୁଁ ଟ୍ରକ ଚକ ତଳେ ପଡ଼ିବା ଭଳି ଆଶଙ୍କା ରହିଛି।

Odisha Bytes

ସେହିପରି ୬ କୋଟି ଟଙ୍କା ବ୍ୟୟରେ ଏନ୍‌ଏସି ଛକରୁ ଜାମ୍ମୁ ଛକ ପର୍ଯ୍ୟନ୍ତ ଚାରି ଲେନ ରାସ୍ତା ନିର୍ମାଣ କରାଯାଇଛି। ଜାନୁଆରି ଦୁଇ ତାରିଖ ବୌଦ୍ଧ ଜିଲ୍ଲାର ପ୍ରତି‌ଷ୍ଠା ଦିବସ ଓ ଜିଲ୍ଲା ସଂଗ୍ରହାଳୟ ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ରାସ୍ତାକୁ ମଧ୍ୟ ଉଦ୍‌ଘାଟନ କରିଥିଲେ। ତେବେ ଉଦ୍‌ଘାଟନ ପୂର୍ବରୁ ଏହି ରାସ୍ତା ବିବାଦ ଘେରରେ ରହିଛି। ସଂପୂର୍ଣ୍ଣ ରାସ୍ତାରେ ଡିଭାଇଡର ନିର୍ମାଣ ନକରି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟନ କରାଯାଇଥିଲା। ଫଳ ସ୍ବରୂପ କିଛି ଦିନ ମଧ୍ୟରେ ଏକ ଟ୍ରକ୍‌ ଡିଭାଇଡରକୁ ୨୦ ଫୁଟ୍‌ ଚଢ଼ିଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପରିତାପର ବି‌ଷୟ ହେଉଛି ଡିଭାଇଡର ମରାମତି କରିବା ପରିବର୍ତ୍ତେ ଖୋଲି ପିଚୁ ପ୍ୟାଚ୍‌ ଦେଇ ସମାନ କରାଯାଇଛି। ରାଜପଥରେ ସବୁବେଳେ ଭାରୀଯାନ ଯାତାୟତ କରୁଥିବାରୁ ଟ୍ରାଫିକ ସମସ୍ୟା ଦେଖା ଦେଉଛି। ଯାହା ଫଳରେ ସହରରେ ଦିନକୁ ଦିନ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

ଦୁର୍ଘଟଣା ନିୟନ୍ତ୍ରଣ କରିବା ପାଇଁ ‌ଚାରି ଲେନ ରାସ୍ତାର ଯୋଜନା କରାଯାଇଥିଲା। ତେବେ ରାସ୍ତା କଡ଼ରେ ଥିବା କିଛି ବ୍ୟବସାୟିକ ପ୍ରତିଷ୍ଠାନର ବ୍ୟକ୍ତିଗତ ସ୍ବାର୍ଥ ସାଧନ ପାଇଁ କାଗଜପତ୍ରରେ ଚାରି ଲେନର ରାସ୍ତା ରହିଯାଇଛି। ଏପରି କରିବା ଦ୍ବାରା ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ସହ ପୂର୍ତ୍ତ ବିଭାଗ ଖେଳ ଖେଳିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିବା ରାସ୍ତାକୁ ସଂପୂର୍ଣ୍ଣ କରିବା ସହ ଥାନା ଛକରୁ ଏନ୍‌ଏସି ଛକ ପର୍ଯ୍ୟନ୍ତ ରାସ୍ତାରୁ ଜବରଦଖଲ ହଟାଇ ଦୋହରୀକରଣ କରିବାକୁ ସାଧାରଣରେ ଦାବି ହେଉଛି। ଏ ବିଷୟରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରେ ଥାନା ଛକରୁ ଏନ୍‌ଏସି ଛକ ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ବରୁ ବିଦ୍ୟୁତ ଖୁଣ୍ଟ ହଟାଇବା ପାଇଁ ଏଷ୍ଟିମେଟ କରାଯାଉଛି। ଟେଣ୍ଡର ପ୍ରକ୍ରିୟା ପରେ ରାସ୍ତା ଦୋହରୀକରଣ ହେବ ବୋଲି କହିଛନ୍ତି।

The post ଜାତୀୟ ରାଜପଥ ସାଜିଛି ମରଣ ଯନ୍ତା, ସଂକୀର୍ଣ୍ଣ ରାସ୍ତା ପାର୍ଶ୍ବ‌ରେ ୬ ଇଞ୍ଚ ବାଲି first appeared on Sambad.

from ଜିଲ୍ଲା | Sambad https://ift.tt/39ipKSH