ରାୟଗଡ଼ା : ସ୍ୱାମୀଙ୍କ ନାଁର ପ୍ରଥମ ଅକ୍ଷର ଅନୁଯାୟୀ ଦିଆଯାଉଛି ଚିରକୁଟ୍। ଚିରକୁଟ ଦେଖାଇଲେ ନଳକୂପରୁ ମିଳୁଛି ପାଣି। ତାହା ପୁଣି ସପ୍ତାହରେ ୩ରୁ ୪ ଦିନ। ଗ୍ରାମରେ ୧୬ ପରିବାର ବସବାସ କରୁଥିବା ବେଳେ ପାନୀୟ ଜଳ ପାଇଁ ରହିଛି ଗୋଟିଏ ନଳକୂପ। ଯେଉଁଥିରୁ ୨୪ ଘଣ୍ଟାରେ ବାହାରୁଛି ମାତ୍ର ୧୦ ହାଣ୍ଡି ପାଣି। ଯାହା ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ। ପାନୀୟ ଜଳକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ବିବାଦୀୟ  ପରିସ୍ଥିତି ଦେଖାଦେବା ପରେ ଗଣ୍ଡଗୋଳ ଏଡ଼ାଇବାକୁ ସ୍ବାମୀଙ୍କ ନାଁର ପ୍ରଥମ ଅକ୍ଷର ଅନୁଯାୟୀ ପାଳି କରି ପାଣି ନେବା ପାଇଁ ନିୟମ କରିଛନ୍ତି ଅଙ୍ଗନବାଡ଼ି କର୍ମୀ।

ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଥିବା ରାୟଗଡ଼ା ବ୍ଲକ୍ ବୈରାଗୀହାଲୁଆ ପଞ୍ଚାୟତର ନେଲାପେଟା ଗାଁରେ ପାନୀୟ ଜଳକୁ ନେଇ ଏହି ଅଭାବନୀୟ ପରିସ୍ଥିତି ଦେଖାଦେଇଛି। ଗ୍ରୀଷ୍ମ ଆରମ୍ଭରୁ ଗାଁରେ ଜଳକଷ୍ଟ ଦେଖା ଦେଇଥିବା ବେଳେ ନଳକୂପ ଅଭାବରୁ ଗାଁ ଲୋକ ପାଳି କରି ପାଣି ନେଉଛନ୍ତି। ବର୍ଷ ବର୍ଷ ଧରି ଏହି ଗାଁରେ ଜଳ କଷ୍ଟ ଲାଗି ରହିଥିଲେ ମଧ୍ୟ ପ୍ରଶାସନ ଆବଶ୍ୟକ ନଳକୂପ ଖନନ କିମ୍ବା ଗାଁରେ ଥିବା ଗୋଟିଏ ନଳକୂପର ମରାମତି କରୁନି। ରାୟଗଡ଼ା ଜିଲ୍ଲା ସଦର ମହକୁମା ୧୫ କିମି ଦୂରରେ ରହିଛି ଏହି ଗାଁ। ଗ୍ରାମରେ ୧୬ଟି ପରିବାରର ପାଖାପାଖି ୬୨ରୁ ଉର୍ଧ୍ବ ଲୋକ ବସବାସ କରନ୍ତି। ସମସ୍ତେ ଆଦିବାସୀ ସମ୍ପ୍ରଦାୟର। ଗାଁଠୁ ୫୦ ମିଟର ଦୂରରେ ନାଗାବଳୀ ନଦୀ ପ୍ରବାହିତ ହେଉଥିଲେ ମଧ୍ୟ ଜଳ ପ୍ରଦୂଷିତ କାରଣରୁ ବ୍ୟବହାର ଯୋଗ୍ୟ ନୁହଁ। ପାଖରେ କୌଣସି ଝରଣା ମଧ୍ୟ ନଥିବାରୁ ପାନୀୟ ଜଳର ଏକ ମାତ୍ର ମାଧ୍ୟମ ପାଲଟିଛି ନଳକୂପ।

ଅନ୍ୟ ଦିନ ଗୁଡ଼ିକରେ ନଳକୂପରୁ ଆବଶ୍ୟକ ପାଣି ବାହାରୁ ଥିବା ବେଳେ ଗ୍ରୀଷ୍ମ ଋତୁରେ ଭୂତଳ ଜଳସ୍ତର ହ୍ରାସ ଯୋଗୁ ନଳକୂପରୁ ଗ୍ରାମବାସୀଙ୍କ ଆବଶ୍ୟକ ମୁତାବକ ପାଣି ବାହାରୁନି। ଫଳରେ ପାଣି ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଛି। ପ୍ରତିଦିନ ଗଣ୍ଡଗୋଳ ଲାଗି ରହିବା ଯୋଗୁ ଅଙ୍ଗନବାଡ଼ି କର୍ମୀ ପି. ୱାରୁଲୁ ମହିଳାଙ୍କୁ ଡାକି ଆଲୋଚନା କରିବା ସହିତ ଘରର ମୁରବି ତଥା ସ୍ବାମୀଙ୍କ ନାଁର ପ୍ରଥମ ଅକ୍ଷର ଅନୁଯାୟୀ ପାଣି ନେବା ପାଇଁ ନିୟମ କରିଥିଲେ। ଏରୁ ଜେଡ୍ ମଧ୍ୟରେ ଆସୁଥିବା ନାଁ ଅନୁଯାୟୀ ମହିଳାଙ୍କୁ ଚିରକୁଟ ପ୍ରଦାନ କରାଯାଇଛି। ଏହି ଅନୁଯାୟୀ ଚିରକୁଟ ଧରି ମହିଳାମାନେ ଲମ୍ବା ଲାଇନ୍ ଲଗାଇ ନଳକୂପରୁ ପାଣି ନେଉଛନ୍ତି। ଦିନକୁ ମାତ୍ର ୧୦ ପରିବାରକୁ ପାଣି ମିଳୁଥିବାରୁ ଗ୍ରାମବାସୀ ପାନୀୟ ଜଳ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ କିଛି ମାସ ହେଲା ଗାଁରେ ପାନୀୟ ଜଳ ପାଇଁ ଏହି ନିୟମ କାର୍ଯ୍ୟକାରୀ ହୋଇଛି। ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

The post ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଗାଁରେ ଜଳକଷ୍ଟ : ୨୪ ଘଣ୍ଟାରେ ନଳକୂପରୁ ବାହାରୁଛି ୧୦ ହାଣ୍ଡି ପାଣି first appeared on Sambad.

from ଜିଲ୍ଲା | Sambad https://ift.tt/2Pvv6TL