ବାରିପଦା: ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଶିମିିଳିପାଳ ଅରଣ୍ୟରେ ଜଳୁଥିବା ନିଆଁ ଲିଭାଇବା ଏବଂ ଅରଣ୍ୟର ସୁରକ୍ଷା ଦାୟିତ୍ୱ ନ୍ୟସ୍ତ ଥିବା ‘ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ’ର ଉପନିର୍ଦେଶକ ଯଜ୍ଞଦତ୍ତ ପତିଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀଙ୍କ ବହିଷ୍କାର ଦାବି କରି ଆଜି ଜିଲ୍ଲାର ଅଗ୍ରଣୀ ସଙ୍ଗଠନ ‘ଭଞ୍ଜସେନା’ ପକ୍ଷରୁ ୯ଘଣ୍ଟିଆ ଆରମ୍ଭ ହୋଇଛି।

ଜିଲ୍ଲାବ୍ୟାପୀ ଚାଲିଥିବା ଏହି ବନ୍ଦ ସକାଳ ୬ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ‘ଭଞ୍ଜସେନା’ର ସଂସ୍ଥାପକ କଳିଙ୍ଗକେଶରୀ ଜେନାଙ୍କ ଠାରୁ ପ୍ରକାଶ।

ଆଜିର ଏହି ବନ୍ଦ ଯୋଗୁଁ ଜିଲ୍ଲାର ସମସ୍ତ ଦୋକାନ ବଜାର, ଶିକ୍ଷାନୁଷ୍ଠାନ ଏବଂ ଗାଡ଼ିମଟର ଚଳାଚଳ ବନ୍ଦ ରହିବା ସହ ଜାତୀୟ ରାଜପଥର ଉଭୟ ଦିଗରେ ଅନେକ ଟ୍ରକ୍‌ ଅଟକି ରହିଛି। ବନ୍ଦଯୋଗୁଁ ଜନସାଧାରଣଙ୍କର ସ୍ୱାଭାବିକ ଜୀବନଯାପନ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଏହି ବନ୍ଦ ୧୨ ଘଣ୍ଟା ଧରି ଚାଲିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା, କିନ୍ତୁ ଆସନ୍ତାକାଲି ମହାଶିବରାତ୍ରୀ ପଡୁଥିବାରୁ ବନ୍ଦ ସମୟ ଅବଧି ୯ ଘଣ୍ଟାକୁ ହ୍ରାସ କରାଯାଇଛି।

ଏହି ବନ୍ଦକୁ ‘କଂଗ୍ରେସ’, ‘ସିପିଏମ୍‌’ ଓ ‘ସିଟୁ’ ମଧ୍ୟ ସମର୍ଥନ କରୁଛି।

ଏଥିସହ ‘ଭଞ୍ଜସେନା’ର ସଂସ୍ଥାପକ କଳିଙ୍ଗକେଶରୀ ଜେନା କହିଛନ୍ତି ଯେ, ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ଆଣି ପ୍ରଥମ ପର୍ଯ୍ୟାୟରେ ୨୦୦୦ରୁ ଊର୍ଦ୍ଧ୍ୱ ଯୁବଛାତ୍ର ଶିମିଳିପାଳ ଅରଣ୍ୟର ବିଭିନ୍ନ ଅଞ୍ଚଳକୁ ଯାଇ ନିଆଁ ଲିଭାଇବାକୁ ଉଦ୍ୟମ କରିବେ।

The post ଭଞ୍ଜସେନାଦ୍ୱାରା ୯ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଆରମ୍ଭ first appeared on Sambad.



from ଜିଲ୍ଲା – Sambad https://ift.tt/3rKAd0g