ବାଲେଶ୍ବର: ମାରାତ୍ମକ ନିଶା ବ୍ରାଉନ୍‌ସୁଗାର କାରବାର ପେଣ୍ଠସ୍ଥଳ ବାଲେଶ୍ବର ଜିଲ୍ଲା ଜଳେଶ୍ବରରେ କ୍ରାଇମ୍‌ ବ୍ରାଞ୍ଚ୍‌ ସ୍ପେସାଲ୍‌ ଟାସ୍କଫୋର୍ସର ଛାନ୍‌ଭିନ୍‌। ମଙ୍ଗଳବାର ରାତି ସାଢ଼େ ୯ଟାରେ ଜ‌ଳେଶ୍ବର ଥାନା ଝାଡ଼େଶ୍ବରପୁରସ୍ଥିତ ଗ୍ୟାରେଜବଜାର ଅଞ୍ଚଳରୁ ୧.୫ କେଜିରୁ ଅଧିକ ବ୍ରାଉନ୍‌ସୁଗାର ଜବତ ହୋଇଛି। ଏହାସହ ସେଖ୍‌ ମଙ୍ଗଲୁର ପୁଅ ସେଖ୍‌ ମୁନାଫ ହୁସେନ ଓରଫ ମୁନା (୨୮)କୁ ଉଠାଇ ନେଇଥିବା ଜଣାପଡ଼ିଛି। ପ୍ରାୟ ଦେଢ଼କୋଟି ଟଙ୍କାରୁ ଅଧିକ ମୂଲ୍ୟର ଜବତ ହୋଇଥିବା ବ୍ରାଉନ୍‌ସୁଗାର ସେଠାକୁ କିପରି ଆସିଲା ଏବଂ ସେଥିରେ ଆଉ କେଉଁମାନେ ସାମିଲ୍‌ ଅଛନ୍ତି ସେନେଇ ଏସ୍‌ଟିଏଫ୍‌ ଛାନ୍‌ଭିନ୍‌ ଆରମ୍ଭ କରିଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ମୁତାବକ, ଭୁବନେଶ୍ବରରୁ ଏସ୍‌ଟିଏଫ୍‌ ଟିମ୍‌ ଗତକାଲିଠାରୁ ଜଳେଶ୍ବରରେ ଆସି ଡେରା ପକାଇଥିଲେ। ଏ ଅଞ୍ଚଳରେ ବ୍ରାଉନ୍‌ସୁଗାର୍‌ କାରବାରର ପେଣ୍ଠସ୍ଥଳ ସାଜିଥିବା ଜଳେଶ୍ବର ଗ୍ରାମାଞ୍ଚଳର ରାଜପୁର ଏବଂ କୌରଅଞ୍ଚଳର ଝାଡ଼େଶ୍ବରପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଜୋର୍‌ଦାର ଚଢ଼ଉ କରିଥିଲେ। ତେବେ ମିଶନ୍‌ ସଫଳ ନହେବାରୁ ଟିମ୍‌ ବାଲ୍ବେଶ୍ବର ଫେରି ଆସିଥିଲେ।

ଆଜି ସଂଧ୍ୟାରେ ପୁଣି ସେଠାକୁ ଯାଇ ଝାଡ଼େଶ୍ବରପୁର ଗ୍ୟାରେଜବଜାରରେ ଥିବା ସେଖ୍‌ ମଙ୍ଗଲୁ ଘରେ ଅଚାନକ ଚଢ଼ଉ କରିଥିଲେ। ମଙ୍ଗଲୁ ଘରୁ ୧ କେଜି ୫୩୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରିବା ସହ ତାଙ୍କ ପୁଅ ମୁନାକୁ ଧରି ଏସ୍‌ଟିଏଫ୍‌ ଟିମ୍‌ ଭୁବନେଶ୍ବର ନେଇ ଯାଇଥିଲେ। ଚଢ଼ଉ ଟିମ୍‌ରେ ଏସ୍‌ଟିଏଫ୍‌ର ୧୨ ଜଣିଆ ଟିମ୍‌ ସାମିଲ୍‌ ଥିବା ବେଳେ ମାଜିଷ୍ଟ୍ରେଟ୍‌ ଇନ୍‌ଚାର୍ଜ ତଥା ଜଳେଶ୍ବର ଅତିରିକ୍ତ ତହସିଲଦାର ଶାନ୍ତିରାମ ହେମ୍ବ୍ରମ୍‌, ଏସ୍‌ଡିପିଓ ଅଙ୍କିତା କୁମ୍ଭାର ଏବଂ ଜଳେଶ୍ବର ଥାନାର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

The post ବାଲେଶ୍ବରରୁ ଦେଢ଼ କୋଟି ଟଙ୍କାର ବ୍ରାଉନ୍‌ସୁଗାର ଜବତ first appeared on Sambad.



from ଜିଲ୍ଲା – Sambad https://ift.tt/2Oaecd6