
ପ୍ରାୟ ସପ୍ତାହେ ହେବ ରୂପ୍ସାରେ ପଡ଼ିଛି ଡେମୁ ରେକ୍
ଆବଶ୍ୟକ କର୍ମଚାରୀ ବନ୍ଦୋବସ୍ତ ସତ୍ତ୍ବେ କାହିଁକି ଅଟକିଛି?
ହନ୍ତସନ୍ତ ହେଉଛନ୍ତି ନିୟମିତ ମୟୂରଭଞ୍ଜରୁ ବାଲେଶ୍ବର ଯାଉଥିବା ଯାତ୍ରୀ
ଜଲ୍ଦି ଚଳାଚଳ ପାଇଁ ଦାବି
ବାରିପଦା : ମୁମ୍ବାଇର ଲୋକାଲ୍ ଟ୍ରେନ୍ ଭଳି ବାଙ୍ଗିରିପୋଷି- ବାଲେଶ୍ୱର ମଧ୍ୟରେ ଚଳାଚଳ କରୁଥିବା ଡେମୁ ଟ୍ରେନ୍ ମୟୂରଭଞ୍ଜର ଲାଇଫଲାଇନ୍ ଭାବେ ଜଣାଶୁଣା। ତେବେ କରୋନା ସମୟରୁ ବନ୍ଦ ଥିବା ଏହି ଟ୍ରେନ୍ କିନ୍ତୁ ଏଯାଏ ପୁନଃଚଳାଚଳ କରିନାହିଁ। ଯାହାଫଳରେ ନିୟମିତ ମୟୂରଭଞ୍ଜର ବିଭିନ୍ନ ସ୍ଥାନରୁ ବାଲେଶ୍ବର ଯିବାଆସିବା କରୁଥିବା ଯାତ୍ରୀ, ସରକାରୀ ଓ ବେସରକାରୀ କର୍ମଚାରୀ, ସାଧାରଣ ଜନତା ନାହିଁ ନଥିବା ହଇରାଣ ହେଉଛନ୍ତି। ଅଯଥା ଅର୍ଥ ବ୍ୟୟ କରି ବସ୍ରେ ଯିବାକୁ ବାଧ୍ୟ ହେଉଛନ୍ତି। ଉକ୍ତ ଟ୍ରେନ୍ର ରେକ୍ ପ୍ରାୟ ସପ୍ତାହେ ହେବ ରୂପ୍ସା ଷ୍ଟେସନରେ ଅଟକି ରହିଛି । ଡ୍ରାଇଭର ଓ ଗାର୍ଡ଼ ରେଳଧାରଣାରେ ରେକ୍ ଚଳାଚଳ କରିବା ନେଇ ପ୍ରସ୍ତୁତ ରହିଥିବା ବେଳେ ରେଳ କର୍ତ୍ତୃପକ୍ଷ ଅନୁମତି ନ ଦେବା ବିଷୟ ଅସନ୍ତୋଷର କାରଣ ପାଲଟିଛି । ରେଳ ବିଭାଗ ତୁରନ୍ତ ଏହି ଡେମୁ ଟ୍ରେନ୍କୁ ଚଳାଚଳ ନିମନ୍ତେ ବ୍ୟବସ୍ଥା କରିବାକୁ ଦାବି ହୋଇଛି।

ଉଲ୍ଲେଖଯୋଗ୍ୟଯେ ଏହି ଡେମୁ ଟ୍ରେନ୍ ପ୍ରତ୍ୟେକ ଦିନ ସକାଳ ୬ରେ ରୁପ୍ସା ଷ୍ଟେସନରୁ ଛାଡ଼ି ଠାକୁରତୋଟା, ଯୁଗପୁରା, ଯୁଗଳ, ବେତନଟୀ, କେସିପୁର, ବାରିପଦା ଷ୍ଟେସନ ହୋଇ ପୂର୍ବାହ୍ନ ସାଢ଼େ ୮ରେ ଭଞ୍ଜପୁର ଷ୍ଟେସନରେ ପହଞ୍ଚି ପୁଣି ବାଲେଶ୍ୱର ଅଭିମୁଖେ ଫେରି ଯାଉଥିଲା । ଏହାପରେ ବାଲେଶ୍ୱର ଷ୍ଟେସନରୁ ଛାଡ଼ି ହଳଦିପଦା, ରୁପ୍ସା ଷ୍ଟେସନରୁ ଛାଡ଼ି ଠାକୁରତୋଟା, ଯୁଗପୁରା, ଯୁଗଳ, ବେତନଟୀ, କେସିପୁର, ବାରିପଦା, ଭଞ୍ଜପୁର, ବୁଢ଼ାମରା, ରଜାଲୋକା ହୋଇ ବାଙ୍ଗିରିପୋଷି ଷ୍ଟେସନ ଏବଂ ବାଙ୍ଗିରିପୋଷି ଷ୍ଟେସନରୁ ଛାଡ଼ି ରୁପ୍ସା ଷ୍ଟେସନରେ ପହଞ୍ଚି ସେଠାରେ ରାତିରେ ରହୁଥିଲା । ଉକ୍ତ ଟ୍ରେନଟି ମୟୂରଭଞ୍ଜ ସହିତ ପଡ଼ୋଶୀ ବାଲେଶ୍ୱର ସହିତ ଯୋଗାଯୋଗ କରାଉଥିଲା । ମୟୂରଭଞ୍ଜ ଜିଲ୍ଲାରୁ ଉକ୍ତ ଡେମୋ ଟ୍ରେନରେ ଯାତ୍ରୀମାନେ ଯାଇ ବାଲେଶ୍ୱର ଷ୍ଟେସନରୁ ଦିଲ୍ଲୀ, ମୋମ୍ବାଇ, ଚେନ୍ନାଇ, ବେଙ୍ଗୁଲୁରୁ, ହାଇଦ୍ରାବାଦ ଆଦି ବିଭିନ୍ନ ସ୍ଥାନକୁ ଯାଉଥିବା ଟ୍ରେନ ଧରୁଥିଲେ । କିନ୍ତୁ କରୋନାକୁ ନେଇ ଲକ୍ ଡ଼ାଉନ ସମୟରୁ ଉକ୍ତ ଟ୍ରେନ ଚଳାଚଳକୁ ବନ୍ଦ କରି ଦିଆଯାଇଥିଲା । ଚଳିତ ଥର କିନ୍ତୁ ଏହି ଟ୍ରେନ୍ ରାତିରେ ରୂପ୍ସାରେ ନରହିବା ନେଇ ସୂଚନା ଅଛି।

The post କେବେ ଚାଲିବ ମୟୂରଭଞ୍ଜର ଲାଇଫଲାଇନ୍ ବାଙ୍ଗିରିପୋଷି-ବାଲେଶ୍ୱର ଡେମୁ ଟ୍ରେନ୍ first appeared on Sambad.
from ଜିଲ୍ଲା – Sambad https://ift.tt/3eDnJ75
0 Comments