ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ରାଜନନ୍ଦଗାଁଓ ଜିଲ୍ଲା ସୀମାରେ ଟ୍ରେନ୍‌ ଧକ୍କାରେ ଗୋଟିଏ ମହାବଳ ବାଘଛୁଆର ମୃତ୍ୟୁ ହୋଇଛି। ମୃତ ବାଘ ଛୁଆର ବୟସ ଏକ ବର୍ଷ ମଧ୍ୟରେ ହେବ ବୋଲି କୁହାଯାଉଛି। ଗୋଣ୍ଡିଆ ଜଙ୍ଗଲରେ ପଥଭ୍ରଷ୍ଟ ହୋଇ ଗୋଟିଏ ମାଈ ବାଘ ତିନି ଛୁଆଙ୍କୁ ନେଇ ପିଣ୍ଡେକପର-ଗଙ୍ଗଲେ ରେଳପଥ ପାର କରୁଥିଲା। ଏହି ସମୟରେ ହଠାତ୍ ଗୋଟିଏ ଟ୍ରେନ୍ ଚାଲିବାରୁ ଗୋଟିଏ ଛୁଆ ଟ୍ରାକ୍‌ରେ ଫସି ଯାଇଥିଲା। ଟ୍ରେନ୍ ଚକାରେ ଛୁଆ ବାଘର ଗୋଟିଏ ଗୋଡ଼ ସଂପୂର୍ଣ୍ଣ କଟି ଯାଇଥିବାବେଳେ ଶରୀରରେ ଗଭୀର ଆଘାତ ଲାଗିଥିଲା। ଛଟପଟ ହୋଇ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ଜଣାପଡ଼ିଛି। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରିଥିଲେ। ରାଜନନ୍ଦଗାଁଓ ବନଖଣ୍ଡ କର୍ମଚାରୀ ପରବର୍ତ୍ତୀ ସମୟରେ ଦାହ ସଂସ୍କାର କରିଥିବା ସୂଚନା ମିଳିଛି। ପୂର୍ବରୁ ମଧ୍ୟ ଗଙ୍ଗାଝରି ରେଳ ମାର୍ଗରେ ଦୁଇଟି ଭାଲୁର ଟ୍ରେନ୍ ଧକ୍କାରେ ମୃତ୍ୟୁ ହୋଇସାରିଛି। ସୂଚନାଯୋଗ୍ୟ, ଗୋଣ୍ଡିଆ ଏବଂ ଚନ୍ଦ୍ରପୁର ରେଳ ମାର୍ଗ ଜିଲ୍ଲାର ସଂରକ୍ଷିତ ଜଙ୍ଗଲ ଦେଇ ଯାଇଥିବାରୁ ଅନେକ ସମୟରେ ଟ୍ରେନ୍ ଧକ୍କା ହୋଇ ବହୁ ଜୀବଜନ୍ତୁ ମୃତ୍ୟୁବରଣ କରୁଥିବା ଜଣାପଡ଼ିଛି।

The post ଟ୍ରେନ୍‌ରେ କଟିଲା ମହାବଳ ବାଘ first appeared on Sambad.



from ଜିଲ୍ଲା – Sambad https://ift.tt/30sv7dh