ପୁରୀ: କେବଳ ରାଉରକେଲା କି ସମ୍ବଲପୁର ନୁହେଁ, ପୁରୀ ଜିଲ୍ଲାରେ ବି କୋଭିଡ୍‌ ରିପୋର୍ଟରେ ସାଂଘାତିକ ତ୍ରୁଟି ଦେଖିବାକୁ ମିଳିଛି। ଗୋଟିଏ ରିପୋର୍ଟରେ ଜନୈକ ଯୁବକଙ୍କୁ କୋଭିଡ୍‌ ପଜିଟିଭ୍‌ ଦର୍ଶାଯାଇଥିବା ବେଳେ ଅନ୍ୟ ଏକ ‌ରିପୋର୍ଟରେ ଯୁବକଙ୍କୁ ନେଗେଟିଭ୍‌ ଦର୍ଶାଯାଇଛି। ମାତ୍ର ଦୁଇ ଦିନ ବ୍ୟବଧାନରେ ଏଭଳି ତ୍ରୁଟି କେବଳ ଯୁବକଙ୍କୁ ଜୀବନକୁ ବିପଦ ଭିତରକୁ ଠେଲିଦେଇନି, ପରିବାର ଲୋକଙ୍କୁ ବି ଚିନ୍ତାରେ ପକାଇଛି। ଅନ୍ୟପଟେ ସଂପୃକ୍ତ ଯୁବକଙ୍କୁ ପରିବାର ଲୋକେ ଭୁବନେଶ୍ବରର ଏକ କୋଭିଡ୍‌ ଡାକ୍ତରଖାନାରେ ଭର୍ତ୍ତି କରି ହରଡ଼ଘଣାରେ ପଡ଼ିଛନ୍ତି।

ପୁରୀ ଦେବୀଘାଟର ଜନୈକ ଯୁବକ ମାର୍ଚ୍ଚ ୧ ତାରିଖରେ ଅସୁସ୍ଥତା ଅନୁଭବ କରିବାରୁ ମାର୍ଚ୍ଚ ୭ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରିବାର ଲୋକେ ତାଙ୍କର ସ୍ବାବ୍‌ ଟେଷ୍ଟ କରିଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ କୋଭିଡ୍‌ ପଜିଟିଭ୍‌ ବୋଲି ଦର୍ଶାଇଥିଲେ। ସେହି ଅନୁଯାୟୀ ଯୁବକଙ୍କୁ ଆରଟି-ପିସିଆର ଟେଷ୍ଟ ରିପୋର୍ଟ ବି ଦିଆଗଲା। ଯେଉଁଥିରେ ଆଇସିଏମ୍‌ଆର ଆଇଡି ୨୦୭୭୧୪୧୨୮ ଓ ଏସଆରଏଫ୍‌ ଆଇଡି ୨୧୩୬୯୦୦୨୭୮୨୭୭ ବୋଲି ଉଲ୍ଲେଖ ରହିଛି। ଏହି ରିପୋର୍ଟ ପାଇବା ପରେ ପରିବାର ଲୋକେ ସନ୍ଦେହରେ ପୁରୀ ମୋଚିସାହିରେ ଥିବା ଇ-୨୪ ଡାକ୍ତରଖାନା‌ରେ ପୁନର୍ବାର କୋଭିଡ୍‌ ଟେଷ୍ଟ କରିଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷ ନାକ ଓ ଗଳାରୁ ସ୍ବାବ୍‌ ବି ନେଲେ।

ରିପୋର୍ଟ ମିଳିବା ବିଳମ୍ବ ହେବ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହିବାରୁ ପରିବାର ଲୋକେ ଅପେକ୍ଷା ନ କରି ଯୁବକଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଥିବା କୋଭିଡ୍‌ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ସଂଧ୍ୟାରେ ଇ-୨୪ ଡାକ୍ତରଖାନା ଯେଉଁ ରିପୋର୍ଟ ଦେଇଥିଲା, ସେଥିରେ ସେଥିରେ ଯୁବକ ଜଣକ କୋଭିଡ୍‌ ଆକ୍ରାନ୍ତ ନୁହନ୍ତି ବୋଲି ସ୍ପଷ୍ଟ ଉଲ୍ଲେଖ ରହିଛି। ଯୁବକଙ୍କ ସ୍ବାବ୍‌ ରିପୋର୍ଟ ନେଗେଟିଭ୍‌ ଆସିଛି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ରିପୋର୍ଟର ଏସ୍‌ଆର୍‌ଏଫ୍‌ ଆଇଡି ହେଉଛି ୨୧୩୬୨୦୦୭୩୦୭୭୪। ଏଭଳି ସ୍ଥିତିରେ କେଉଁ ରିପୋର୍ଟ ଠିକ୍‌ ଓ କେଉଁ ରିପୋର୍ଟ ଭୁଲ୍‌, ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ‌ପରିବାର ଲୋକେ। ସରକାରୀ ଡାକ୍ତରଖାନା ନା ଘରୋଇ ଡାକ୍ତରଖାନା ରିପୋର୍ଟ ଭୁଲ୍‌, ତାର ଅନୁସନ୍ଧାନ ନିହାତି ଆବଶ୍ୟକ ହୋଇପଡ଼ିଥିବାବେଳେ ପରିବାର ଲୋକେ ଏ ନେଇ ନ୍ୟାୟ ମାଗିଛନ୍ତି।

The post କୋଭିଡ୍‌ ରିପୋର୍ଟରେ ସାଂଘାତିକ ତ୍ରୁଟି, ବିପଦରେ ଯୁବକଙ୍କ ଜୀବନ first appeared on Sambad.



from ଜିଲ୍ଲା – Sambad https://ift.tt/38mhC2X