
କଟକ: ବଢୁଛି ତାତି। ଏଭଳି ସମୟରେ ଅଂଶୁଘାତ ମୁକାବିଲା ପାଇଁ ଏସ୍ସିବିରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏସ୍ସିବି ନ୍ୟୁ ମେଡିସିନ୍ ବିଭାଗର ୪ର୍ଥ ଓ ୫ମ ମହଲାରେ ଅଂଶୁଘାତ ୱାର୍ଡ ଖୋଲାଯିବ। ପ୍ରଥମ ପର୍ଯ୍ୟାୟରେ ୧୬ଟି ବେଡ୍ର ବ୍ୟବସ୍ଥା କରାଯିବ ଓ ଆବଶ୍ୟକ ହେଲେ ବେଡ୍ ସଂଖ୍ୟା ବୃଦ୍ଧି କରାଯିବା ସହ ଅଧିକ ୨୦ଟି ଅର୍ଥାତ୍ ୩୬ଟି ବେଡ୍ ପାଇଁ ଯୋଜନା ରଖାଯାଇଛି। ତେବେ ଅଂଶୁଘାତର ଶିକାର ହୋଇ ଏସ୍ସିବିକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ପ୍ରଥମେ କାଜୁଆଲିଟିରେ ସ୍ବତନ୍ତ୍ର ବ୍ୟବସ୍ଥା ମାଧ୍ୟମରେ ଚିକିତ୍ସା କରାଯିବ। ତା’ପରେ ସେମାନଙ୍କୁ ନ୍ୟୁ ମେଡିସିନ୍ ବିଭାଗରେ ଖୋଲାଯାଇଥିବା ୱାର୍ଡରେ ରଖାଯାଇ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଏଥିପାଇଁ ଆବଶ୍ୟକ ଔଷଧ, ବରଫ ତଥା ଆନୁସଙ୍ଗିକ ବ୍ୟବସ୍ଥାକୁ ମାଗଣାରେ ଉପଲବ୍ଧ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ତା’ସହିତ ପେଡିଆଟ୍ରିକ୍ ବିଭାଗରେ ମଧ୍ୟ ଶିଶୁରୋଗୀଙ୍କ ପାଇଁ ୨ଟି ବେଡ୍ ମହଜୁଦ୍ ରଖିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଏସ୍ସିବିରେ ଠିକ୍ଭାବରେ କାମ କରୁ ନଥିବା ପଙ୍ଖା, ଏସ୍ସି, କୁଲର ସବୁକୁ ସଜାଡିବା, ବିଭିନ୍ନ ୱାର୍ଡରେ ଦେଖାଯାଉଥିବା ପାନୀୟ ଜଳ ସମସ୍ୟାର ସମାଧାନ କରିବା ପାଇଁ ବିଦ୍ୟୁତ୍ ବିଭାଗ ଓ ପିଏଚ୍ଡି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ପାଣି ପାଇଁ ରୋଗୀ ଓ ରୋଗୀ ସଂପର୍କୀୟ ଯେପରି ହନ୍ତସନ୍ତ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବା ପାଇଁ ବୈଠକରେ ଆଲୋଚନା କରାଯିବା ସହ ବିଭିନ୍ନ ୱାର୍ଡରେ ପାନୀୟ ଜଳ ସମସ୍ୟା ଓ ଅଧାରୁ ପାଣି ସରିଯାଉଥିବା, ବିଭିନ୍ନ ସ୍ଥାନରେ ପଙ୍ଖା ବୁଲୁ ନଥିବା ଭଳି ଅନେକ ସମସ୍ୟା ଦେଖାଦେଉଛି। ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ସେ ସବୁର ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ଏସ୍ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ, ପ୍ରଶାସନିକ ଅଧିକାରୀ କଳ୍ପତରୁ ବେହେରା, ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ସମେତ ବିଭିନ୍ନ ବିଭାଗୀୟ ମୁଖ୍ୟମାନେ ଉପସ୍ଥିତ ଥିଲେ।
The post ଏସ୍ସିବିରେ ଅଂଶୁଘାତ ପ୍ରସ୍ତୁତି; ନ୍ୟୁ ମେଡିସିନ୍ ବିଭାଗରେ ଖୋଲିବ ଅଂଶୁଘାତ ୱାର୍ଡ first appeared on Sambad.
from ଜିଲ୍ଲା – Sambad https://ift.tt/3uR9KAr
0 Comments