
ରା.ଉଦୟଗିରି: ଗଜପତି ଜିଲ୍ଲା ମହେନ୍ଦ୍ରଗଡ଼ ପଞ୍ଚାୟତ ୫ନ˚ କ୍ୟାମ୍ପରେ ବସବାସ କରୁଥିବା ତିବ୍ବତୀୟ ଶରଣାର୍ଥୀଙ୍କ ପାଇଁ ମଙ୍ଗଳବାର ଏକ ସ୍ମରଣୀୟ ଦିନ ଥିଲା । ଦୀର୍ଘ ୫୮ ବର୍ଷ ପରେ ସେମାନେ ଆଜି ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ହକ୍ଦାର ହୋଇଛନ୍ତି। ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ପଡ଼ିଥିବା ୧୧୭ଟି ଆବେଦନ ଫର୍ମରୁ ବର୍ତ୍ତମାନ କେବଳ ୫୧ଜଣଙ୍କୁ ଭତ୍ତା ଦିଆଯାଇଛି । ଆଗାମୀ ଦିନରେ ଅନ୍ୟମାନଙ୍କୁ ଦିଆଯିବା ସହ ସେମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ୍ ହେବେ ବୋଲି ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି।
ମୋହନା ବିଧାୟକ ଦାଶରଥି ଗମାଙ୍ଗ ମଧୁବାବୁ ପେନ୍ସନ୍ ଯୋଜନାରେ ସେମାନଙ୍କୁ ଏହି ଭତ୍ତା ପ୍ରଦାନ କରିଛନ୍ତି। ୧୯୬୩ରେ ଭାରତରେ ଆଶ୍ରୟ ପାଇବା ପରଠାରୁ ୫୮ବର୍ଷ ମଧ୍ୟରେ ପ୍ରଥମ କରି ଭତ୍ତା ପାଇବା ତାଲିକାରେ ସାମିଲ୍ ହୋଇଥିବାରୁ ତିବ୍ବତୀୟଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।
ଭାରତ ସରକାରଙ୍କ ତିବ୍ବତୀୟ ରିହାବିଲିଟେସନ୍ ପଲିସି ୨୦୧୩ ଅନୁସାରେ ସମସ୍ତ ସୁବିଧା ସେମାନେ ପାଇପାରିବେ। କେବଳ ମତଦାନ ଅଧିକାର ବ୍ୟତୀତ ବାକି ସବୁ କାମ ସେମାନେ କରିପାରିବେ। ସେମାନେ ଚାହିଁଲେ ମନରେଗା ଯୋଜନାରେ କାମ ମଧ୍ୟ କରିପାରିବେ। ବିଭିନ୍ନ ଉନ୍ନୟନ ଯୋଜନାରେ ନିଜକୁ ଅନ୍ତର୍ଭୁକ୍ତ କରିପାରିବେ । ତିତ୍ଲି ବାତ୍ୟା ସମୟରେ ମଧ୍ୟ ସେମାନେ ଆର୍ଥିକ ସହାୟତା ପାଇଥିଲେ। ସେମାନେ ଲିଜ୍ ପାଇଥିବା ଜମିର ଲିଜ୍ ନବୀକରଣ ମଧ୍ୟ କରାଯାଇଛି । ରାଜ୍ୟ ସରକାରଙ୍କ ଠାରୁ ନିର୍ଦ୍ଦେଶ ମିଳିଲେ ସେମାନଙ୍କୁ ଆଗାମୀ ଦିନରେ ଅନ୍ୟ ଯୋଜନାରେ ମଧ୍ୟ ସାମିଲ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ସାହା କହିଛନ୍ତି।
The post ୫୮ବର୍ଷ ପରେ ତିବ୍ବତୀୟ ଶରଣାର୍ଥୀ ପାଇଲେ ବାର୍ଦ୍ଧକ୍ୟ ଭତ୍ତା first appeared on Sambad.
from ଜିଲ୍ଲା – Sambad https://ift.tt/3dY36lQ
0 Comments