
କଟକ : ଏସ୍ସିବି ମେଡିକାଲ୍ ହେବ ବିଶ୍ବସ୍ତରୀୟ। ଏଥିପାଇଁ ଅନେକ ଗୋଲାପୀ ଚିତ୍ର ଆଙ୍କିସାରିଲେଣି ସରକାର। ହେଲେ ରାଜ୍ୟର ସବୁଠାରୁ ବଡ଼ ରେଫରାଲ ହସ୍ପିଟାଲକୁ ସପ୍ତାହକୁ ଅତିକମ୍ରେ ୫୦ ଜଣ ରୋଗୀ କୌଣସି କାରଣରୁ ପୋଡ଼ିହୋଇ ଗୁରୁତର ଅବସ୍ଥାରେ ଆସୁଥିବାବେଳେ ବର୍ଣ୍ଣ ୱାର୍ଡରେ କିନ୍ତୁ ବେଡ୍ ନାହିଁ। ଏସ୍ସିବି ପ୍ଲାଷ୍ଟିକ୍ ସର୍ଜରି ବିଭାଗ ସମେତ ସର୍ଜରି ବିଭାଗରେ ମଧ୍ୟ ରୋଗୀଙ୍କ ପାଇଁ ୱାର୍ଡ ରହିଛି। ଗୋଟିଏ ଛାତ ତଳେ ବର୍ଣ୍ଣ ୱାର୍ଡ ହୋଇପାରିନି କି ଆଜି ପର୍ଯ୍ୟନ୍ତ ଗୁରୁତର ପୋଡ଼ା ରୋଗୀଙ୍କ ପାଇଁ ବର୍ଣ୍ଣ ଆଇସିୟୁର ବ୍ୟବସ୍ଥା ମଧ୍ୟ ହୋଇପାରିନି। ଫଳରେ ସେଣ୍ଟ୍ରାଲ ଆଇସିୟୁ ହେଉଛି ରୋଗୀଙ୍କ ଏକମାତ୍ର ଭରସା। ସେଥିରେ ଭାଗ୍ୟରେ ଥିଲେ ସ୍ଥାନ ମିଳିବ। ଅନ୍ୟପଟେ ପ୍ଲାଷ୍ଟିକ୍ ସର୍ଜରି ବିଭାଗରେ ପ୍ରସ୍ତାବରେ ରହିଥିବା ୮ବେଡ୍ ବିଶିଷ୍ଟ ଆଇସିୟୁର କାମ ଶେଷ ହୋଇପାରୁନି।
ସୂଚନା ଅନୁସାରେ, ସାରାରାଜ୍ୟରୁ ପ୍ରତିଦିନ ଅତିକମ୍ରେ ୧୫ଜଣ ପୋଡ଼ାରୋଗୀ ଏସ୍ସିବିକୁ ଚିକିତ୍ସା ପାଇଁ ଆସୁଛନ୍ତି। କିନ୍ତୁ ସେମାନଙ୍କୁ ଗୋଟିଏ ଛାତ ତଳେ ରଖି ଚିକିତ୍ସା କରିବା ସମ୍ଭବ ହୋଇପାରୁନି। ଏସ୍ସିବି ପ୍ଲାଷ୍ଟିକ୍ ସର୍ଜରି ବିଭାଗରେ ସ୍ବତନ୍ତ୍ର ବର୍ଣ୍ଣ ୟୁନିଟ୍ ରହିଛି। ସେହିପରି ସର୍ଜରି ବିଭାଗରେ ପୁରୁଷ ଓ ମହିଳା ଦୁଇଟି ବର୍ଣ୍ଣ ୱାର୍ଡ ରହିଛି। ଦୁଇଟି ବିଭାଗରେ ବେଡ୍ ସଂଖ୍ୟା ୬୦ବି ଟପୁନି। ତେବେ ଅନେକ ରୋଗୀ ଗୁରୁତର ଅବସ୍ଥାରେ ଏସ୍ସିବି ଆସୁଥିବାବେଳେ ସେମାନଙ୍କୁ ଆଇସିୟୁ ତ ଦୂରର କଥା ବେଡ୍ ମଧ୍ୟ ଅନେକ ସମୟରେ ମିଳେନି। ଫଳରେ ରୋଗୀ ତଳେ ଶୋଇ ଚିକିତ୍ସିତ ହୋଇଥାଏ। ତିନିଦିନ ତଳେ ଏସ୍ସିବି ସର୍ଜରି ବର୍ଣ୍ଣ ୱାର୍ଡରେ ପୋଡ଼ି ହୋଇ ଗୁରୁତର ଅବସ୍ଥାରେ ଆସିଥିବା ୭୮ବର୍ଷର ବୃଦ୍ଧାଙ୍କ ଉପରେ ପଙ୍ଖା ଖସି ପଡିଥିଲା। ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଗୁରୁତର ପୋଡ଼ା ରୋଗୀଙ୍କ ପାଇଁ ଆଇସିୟୁ ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ହୋଇପାରିନି। ସରକାର ଏସ୍ସିବିରେ ସ୍ବତନ୍ତ୍ର ବର୍ଣ୍ଣ ୟୁନିଟ୍ ଓ ଆଇସିୟୁ ବ୍ୟବସ୍ଥା ପାଇଁ ୫ବର୍ଷ ହେଲା ଯୋଜନା କଲେଣି କିନ୍ତୁ ଆଜି ପର୍ଯ୍ୟନ୍ତ ବର୍ଣ୍ଣ ଆଇସିୟୁ ହୋଇପାରିନି। ଏହାର କାମ ଚାଲିଛି କିନ୍ତୁ କାମ ସରି ପାରୁନଥିବା ଏସ୍ସିବି ସୂତ୍ରରୁ ଜଣାପଡିଛି। ଆଉ କେତେ ବର୍ଷ ଗଲେ ଆଇସିୟୁ କାମ ସରିବ ଓ ରୋଗୀ ଉପକୃତ ହେବେ ତାକୁ ନେଇ ସବୁ ମହଲରେ ପ୍ରଶ୍ନ। ଅନ୍ୟପଟେ ଯଦି କୌଣସି ଗୁରୁତର ରୋଗୀଙ୍କୁ ଆଇସିୟୁ ଆବଶ୍ୟକ ପଡ଼େ, ତା’ହେଲେ ସେମାନଙ୍କୁ ସେଣ୍ଟ୍ରାଲ ଆଇସିୟୁକୁ ପଠାଯାଉଛି। କିନ୍ତୁ ଅଧିକାଂଶ ସମୟରେ ସେଠାରେ ସ୍ଥାନ ବି ମିଳେନି। କେବଳ ସେତିକି ନୁହେଁ ପୋଡ଼ା ରୋଗୀଙ୍କୁ ଯଦି ସାଧାରଣ ରୋଗୀ ରହୁଥିବା ଆଇସିୟୁରେ ରଖାଯାଏ ସେଥିରେ ସଂକ୍ରମଣର ଯଥେଷ୍ଟ ଆଶଙ୍କା ରହିଥାଏ।
The post ଏସ୍ସିବିରେ ଏଯାଏ ହୋଇପାରିଲାନି ବର୍ଣ୍ଣ ଆଇସିୟୁ first appeared on Sambad.
from ଜିଲ୍ଲା – Sambad https://ift.tt/2OrXLsq
0 Comments