
ସୁନ୍ଦରଗଡ଼/ହେମଗିର : ବାପାଙ୍କ ଜାଲ୍ ଦସ୍ତଖତରେ ଆକାଉଣ୍ଟରୁ ୪୦ ଲକ୍ଷ ଉଠାଇ ନେଲା ଝିଅ। ୬ ମାସ ପରେ ଜାଣିଲେ ବାପା, ଆଉ ଏବେ ଝିଅ ନାମରେ ଦେଇଛନ୍ତି ଏତଲା। ସୁନ୍ଦରଗଡ଼ ଜିଲ୍ଲା ହେମଗିର ଥାନା ଗୋପାଳପୁର ଅଞ୍ଚଳରେ ଘଟିଛି ଏହି ରୋଚକ ଘଟଣା। ବାପାଝିଅଙ୍କ କଥା ହୋଇଥିବାରୁ ଆପୋସ ବୁଝାମଣା କରିନେବାକୁ ପୁଲିସ ପରାମର୍ଶ ଦେଇଥିବା ଜଣାପଡ଼ିଛି।
ଅଭିଯୋଗ ଅନୁସାରେ, ବାପା ଏମ୍ସିଏଲ୍ ବିସ୍ଥାପିତ ଭାବେ ବିପୁଳ କ୍ଷତିପୂରଣ ରାଶି ପାଇଥିଲେ। ଯାହାକୁ ସେ ସୁନ୍ଦରଗଡ଼ ବ୍ୟାଙ୍କରେ ଥିବା ନିଜ ଆକାଉଣ୍ଟରେ ଜମା କରିଥିଲେ। ଏହାମଧ୍ୟରେ ତାଙ୍କ ଝିଅ କିଞ୍ଜିରକେଲା ଥାନା ଅଞ୍ଚଳରେ ପ୍ରେମ ବିବାହ କରିଥିଲା। ପରିବାର ଲୋକେ ପ୍ରଥମେ ବିବାହକୁ ବିରୋଧ କରିଥିଲେ। ଝିଅକୁ ଘରକୁ ଆସିବା ପାଇଁ ବାରଣ କରି ଦିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଗ୍ରହଣ କରି ନେଇଥିଲେ। ଝିଅ ସମୟ ସମୟରେ ଘରକୁ ଯିବାଆସିବା କରୁଥିଲା। ଏହି ସୁଯୋଗରେ ୬ ମାସ ତଳେ ବାପାଙ୍କ ଚେକ୍ ବହିରୁ କିଛି ଚେକ୍ ଚୋରାଇ ନେଇ ଆସିଥିଲା ଝିଅ। ଚେକ୍ରେ ବାପାଙ୍କ ଅବିକଳ ଦସ୍ତଖତ କରି ୪୦ ଲକ୍ଷ ଟଙ୍କା ନିଜ ଆକାଉଣ୍ଟକୁ ସ୍ଥାନାନ୍ତର କରିନେଇଥିଲା। ସେଥିରୁ ୭ ଲକ୍ଷ ଟଙ୍କା ଉଠାଇ ନେଇ ଖର୍ଚ୍ଚ ମଧ୍ୟ କରିସାରିଥିଲା। ୬ ମାସ ପରେ କିଛି ଟଙ୍କା ଦରକାର ହେବାରୁ ବାପା ବ୍ୟାଙ୍କକୁ ଯିବାପରେ ୪୦ ଲକ୍ଷ ଟଙ୍କା ତାଙ୍କ ଆକାଉଣ୍ଟରୁ ଅନ୍ୟ ଏକ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଥିବା ଜାଣିବାକୁ ପାଇଥିଲେ। ଆକାଉଣ୍ଟଟି ତାଙ୍କ ବିବାହିତା ଝିଅର ବୋଲି ଜାଣିବା ପରେ ବାପା ହେମଗିର ଥାନାରେ ଏତଲା ଦେଇଛନ୍ତି। ଘଟଣାଟି ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।
The post ବାପାଙ୍କ ଜାଲ୍ ଦସ୍ତଖତରେ ୪୦ ଲକ୍ଷ ନେଇଗଲା ଝିଅ first appeared on Sambad.
from ଜିଲ୍ଲା – Sambad https://ift.tt/2OFwZN7
0 Comments