
କଟକ: ରକ୍ଷକ ଯେବେ ଭକ୍ଷକ ହୁଏ, ଭରସା କରିବା କାହାକୁ? ରାତିରେ ଆଇନଶୃଙ୍ଖଳା ଦାୟିତ୍ବରେ ଥିବା ପୁଲିସ ବାବୁ ଯଦି ଲୁଟେରା ସାଜିବେ ତେବେ ସହରବାସୀ ସୁରକ୍ଷିତ ରହିବେ କେମିତି? ରାତିରେ ଡ୍ୟୁଟିରେ ଥିବା ତିନି ଜଣ ଗୃହରକ୍ଷୀ ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରି ଟଙ୍କା ଲୁଟିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ବାଦାମବାଡି ଥାନାରେ ଏ ସଂପର୍କରେ ଅଭିଯୋଗ ହେବା ପରେ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସୂଚନା ଅନୁଯାୟୀ ଗଲା ୨୮ ତାରିଖ ବିଳମ୍ବିତ ରାତିରେ ଜଣେ ବ୍ୟକ୍ତି ଜରୁରୀ ମେଡିକାଲ କାମରେ ଯାଉଥିବା ବେଳେ ଦୋଳମୁଣ୍ଡାଇ ଛକ ନିକଟରେ ଡ୍ୟୁଟିରେ ଥିବା ତିନି ଜଣ ଗୃହରକ୍ଷୀ ତାଙ୍କୁ ଅଟକାଇଥିଲେ। ଏତେ ରାତିରେ କୁଆଡେ ଯାଉଛ ବୋଲି ପଚାରି ତାଙ୍କୁ ଧମକ ଦେବା ସହିତ ଜରିମାନା ମାଗିଥିଲେ। ସଂପୃକ୍ତ ବ୍ୟକ୍ତି ଭୟରେ ସେମାନଙ୍କୁ ୫୦୦ ଟଙ୍କା ଦେଇଥିଲେ। କିନ୍ତୁ ତାଙ୍କ ପାଖରେ ଅଧିକ ଟଙ୍କା ଦେଖି ଦେଇ ତିନି ହୋମଗାର୍ଡ ହିତାହିତ ଭୁଲି ତାଙ୍କଠାରୁ ୨୫ ହଜାର ଟଙ୍କା ଛଡାଇ ନେଇଥିଲେ। ବ୍ୟକ୍ତି ଜଣକ ଯେତେ କାକୁତିମିନତି ହୋଇ ହୋଇ ସେମାନଙ୍କ ଗୋଡ଼ତଳେ ପଡ଼ିଥିଲେ ବି ତିନି ଗୃହରକ୍ଷୀ ତାଙ୍କୁ ଧମକ ଦେଇ ସେଠାରୁ ତଡ଼ି ଦେଇଥିଲେ। ଏଭଳି ଘଟଣାରେ ସଂପୃକ୍ତ ବ୍ୟକ୍ତି ସଂପୂର୍ଣ୍ଣ ହତାଶ ହୋଇ ପଡିଥିବାବେଳେ ଘଟଣା ସଂପର୍କରେ ବାଦାମବାଡି ଥାନରେ ଅଭିଯୋଗ କରିଥିଲେ। ଥାନା ଆଇଆସି ରଶ୍ମୀରଂଜନ ମହାପାତ୍ର ଏହାକୁ ଗୁରୁତ୍ବର ସହ ଗ୍ରହଣ କରି ଘଟଣାର ତଦନ୍ତ କରାଇଥିଲେ। ତଦନ୍ତ ପରେ ଘଟଣା ପ୍ରମାଣିତ ହେବାରୁ ଆଜି ତିନି ହୋମଗାର୍ଡଙ୍କୁ କୋର୍ଟ ଚାଲାଣ କରିଛି। ଏଭଳି ଘଟଣା ଏବେ ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି କରିଛି।
The post ରକ୍ଷକ ଯେବେ ଭକ୍ଷକ ହୁଏ! ୨୫ ହଜାର ଲୁଟି ୩ ହୋମଗାର୍ଡ ଗିରଫ first appeared on Sambad.
from ଜିଲ୍ଲା – Sambad https://ift.tt/386Z5YC
0 Comments