
ବାଲେଶ୍ବର: ସୁବର୍ଣ୍ଣରେଖା ନଦୀରେ ବାଲି ଉତ୍ତୋଳନ ନେଇ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ମଧ୍ୟରେ ଲାଗିରହିଥିବା ସୀମା ବିବାଦକୁ ଏନ୍ଜିଟିଙ୍କ ନିର୍ଦ୍ଦେଶକ୍ରମେ ଏବେ ଉଭୟ ରାଜ୍ୟ ସମାଧାନ ଦିଗରେ ଅଗ୍ରସର ହେଉଛନ୍ତି। ଗତମାସ ୨୫ତାରିଖରେ ଏନେଇ ପଶ୍ଚିମବଙ୍ଗରେ ଉଭୟ ରାଜ୍ୟର ପ୍ରତିନିଧି ଦଳ ମଧ୍ୟରେ ଆଲୋଚନା ହୋଇଯାଇଥିବାବେଳେ ଆଜି ପୁଣିଥରେ ବାଲେଶ୍ବର ସର୍କିଟ ହାଉସ୍ରେ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ, ବୈଠକରେ କୌଣସି ନିଷ୍କର୍ଷ ବାହାରି ପାରି ନ ଥିବାବେଳେ ଆଉଥରେ ବସିବା ପାଇଁ ଉଭୟ ରାଜ୍ୟ ନିଷ୍ପତ୍ତି ନେଇଥିବା ଜଣାପଡ଼ିିଛି।
ବାଲେଶ୍ବରର ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକରେ ଓଡ଼ିଶା ପକ୍ଷରୁ ଲ୍ୟାଣ୍ଡ ରେକର୍ଡସ୍ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ନିଗମାନନ୍ଦ ପଣ୍ଡା, ଅତିରିକ୍ତ ଉପଜିଲ୍ଲାପାଳ ତଥା ଜିଲ୍ଲା ବନ୍ଦୋବସ୍ତ ଅଧିକାରୀ କିଶୋର ଚନ୍ଦ୍ର ସ୍ବାଇଁ ଉପସ୍ଥିତ ଥିବାବେଳେ ପଶ୍ଚିମବଙ୍ଗ ପକ୍ଷରୁ ସର୍ଭେ ଅଫିସର ସମର କୁମାର ଦାସ, ଜିଆଇଏସ୍ କନସଲଟାଣ୍ଟ୍ ତନ୍ମୟ ଦାସ, ସୁବର୍ଣ୍ଣରେଖା ରିଭର ଲାଇନର ମୁଖ୍ୟ ସର୍ଭେ ଅଧିକାରୀ ବିକାଶ ରାୟ ଉପସ୍ଥିତ ଥିଲେ। ତେବେ ଦୀର୍ଘଦିନ ଧରି ସୁବର୍ଣ୍ଣରେଖା ନଦୀରେ ବାଲି ଉତ୍ତୋଳନ ନେଇ ଉଭୟ ରାଜ୍ୟ ମଧ୍ୟରେ ରହିଥିବା ଜାଗା ବିବାଦ ତୁଟୁ ନ ଥିବାବେଳେ ଆଜିର ଆଲୋଚନାରୁ କିଛି ସମାଧାନର ବାଟ ଫିଟିବ ବୋଲି ଆଶା କରାଯାଉଥିଲା। ହେଲେ, ବୈଠକରେ ଆଜି ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରିନାହିଁ। ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାର ଜଳେଶ୍ୱର ତହସିଲ ତଥା ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀ ଉପକୂଳରେ ୯ଟି ଗାଁ ରହିଥିବାବେଳେ ସେଠାରେ ବାଲି ଉତ୍ତୋଳନକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ବାରମ୍ବାର ବିବାଦ ଦେଖିବାକୁ ମିଳିଥିଲା। ସେହିପରି ପଶ୍ଚିମବଙ୍ଗ ପଟେ ମଧ୍ୟ ୧୩ଟି ଗାଁ ଏହି ବିବାଦ ମଧ୍ୟକୁ ଟାଣିହୋଇଛି।
ଏବେ ସେଗୁଡ଼ିକରେ ଉଭୟ ରାଜ୍ୟର ପ୍ରଶାସନ ଏବଂ ବୈଷୟିକ ଟିମ୍ ନିଜ ନିଜ ଅଞ୍ଚଳରେ ଗ୍ରାଉଣ୍ଡ କଣ୍ଟ୍ରୋଲ ପଏଣ୍ଟ ଏବଂ ଆଡିସନାଲ ରେଫରେନ୍ସ ପଏଣ୍ଟ ଚିହ୍ନଟ କରିଛନ୍ତି। ଓଡ଼ିଶା ପଟେ ୩୫ଟି ଗ୍ରାଉଣ୍ଡ କଣ୍ଟ୍ରୋଲ ପଏଣ୍ଟ ଚିହ୍ନଟ ହୋଇଥିବାବେଳେ ୬୨ଟି ଆଡିସନାଲ ରେଫରେନ୍ସ ପଏଣ୍ଟ ଚିହ୍ନଟ କରାଯାଇଛି। ସେହିପରି ପଶ୍ଚିମବଙ୍ଗ ପଟେ ୬୮ଟି ଗ୍ରାଉଣ୍ଡ କଣ୍ଟ୍ରୋଲ ପଏଣ୍ଟ ଏବଂ ୨୧ଟି ଆଡିସନାଲ ରେଫରେନ୍ସ ପଏଣ୍ଟ ଚିହ୍ନଟ ହୋଇଛି। ସେଗୁଡ଼ିକର ରେକର୍ଡ ଆଜି ମିଳିତ ବୈଠକରେ ଉଭୟ ପକ୍ଷର ପ୍ରଶାସନିକ ଅଧିକାରୀ ଏବଂ ବୈଷୟିକ ଟିମ୍ ଏକ୍ସଚେଞ୍ଜ ମାଧ୍ୟମରେ ଯାଞ୍ଚ୍ କରିଥିଲେ।
The post ପଶ୍ଚିମବଙ୍ଗ-ଓଡ଼ିଶା ସୀମା ବିବାଦ ପ୍ରସଙ୍ଗ: ବାହାରି ପାରିଲାନି ନିଷ୍କର୍ଷ, ସାନି ବୈଠକ ନିଷ୍ପତ୍ତି first appeared on Sambad.
from ଜିଲ୍ଲା – Sambad https://ift.tt/3sINd70
0 Comments