ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଗତ କିଛିଦିନ ହେଲା ଜଳୁଛି। ଏହି ନିଆଁକୁ ଲିଭାଇବା ପାଇଁ ଭରପୂର ଉଦ୍ୟମ କରାଯାଉଛି। ନିଆଁ ଲିଭାଇବାରେ ୬୦ ଜଣିଆ ଟିମ୍‌ ନାକେଦମ୍‌ ହେଲେଣି। ତଥାପି ନିଆଁକୁ ଆୟତ୍ତ କରି ପାରୁ ନାହାନ୍ତି। ଶନିବାର ମଧ୍ୟ ଜଙ୍ଗଲରେ ଅନେକ ସ୍ଥାନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଏହି ଅଭୟାରଣ୍ୟରେ ନିଆଁ ଲାଗିବାରୁ ବନ୍ୟପ୍ରାଣୀ ବିଭାଗ ତତ୍ପରତା ପ୍ରକାଶ କରିଛି। ବିଭାଗୀୟ ଡିଏଫଓଙ୍କ ନେତୃତ୍ବରେ ଏକ ୬୦ଜଣିଆ ଟିମ୍ ଅବିରତ ନିଆଁ ଲିଭା କାମରେ ଲାଗିଛନ୍ତି। ଏକାଧିକ ସ୍ଥାନରେ ଜଙ୍ଗଲ ନିଆଁକୁ କାବୁ କରିବା ସମ୍ଭବ ହୋଇପାରି ନାହିଁ। ନିଆଁରେ ବହୁ ମୂଲ୍ୟବାନ ଗଛଲତା ଓ ଗୁଳ୍ମ ପୋଡ଼ିଯିବା ସହ ବହୁ ବନ୍ୟପ୍ରାଣୀ ପୋଡ଼ି ପ୍ରାଣ ହରାଉଛନ୍ତି।

ଆଞ୍ଚଳିକ ପରିବେଶ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବା ସହ ସ୍ଥାନୀୟ ଇଲାକା ତାପମାତ୍ରାରେ ଉଲ୍ଲେଖନୀୟ ପରିବର୍ତ୍ତନ ଅନୁଭୂତ ହୋଇଛି। ପାରିପାର୍ଶ୍ବିକ ଅଞ୍ଚଳ ଧୂଆଁମୟ ହୋଇରହିବା ସହ ପ୍ରବଳ ପାଉଁଶ ଉଡ଼ୁଛି। କିଛି ଲୋକ ଉଦ୍ଦେଶ୍ୟମୂଳକ ଭାବେ ଜଙ୍ଗଲରେ ନିଆଁ ଲଗାଉଥିବା ଅଭିଯୋଗ ହୋଇଛି। ବନ୍ୟପ୍ରାଣୀ ବିଭାଗ ଡିଏଫଓ ରମେଶ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ୩ ଜଣ ରେଞ୍ଜର, ୮ଫରେଷ୍ଟର, ୧୬ ପରେଷ୍ଟଗାର୍ଡ, ୩୦ ଜଣ ଶ୍ରମିକ, ୧୦ଟି ଜଣ ଲୋକ ମୋଟ ୬୦ ଜଣଙ୍କୁ ସୁନାବେଡ଼ା ଅଭୟାରଣ୍ୟରେ ନିଆଁ ଲିଭା କାମରେ ନିୟୋଜିତ ହୋଇଛନ୍ତି। କର୍ମଚାରୀମାନେ ବ୍ଲୋୟର ସହାୟତାରେ ନିଆଁ ଲିଭାଉଛନ୍ତି।

The post ଜଳୁଛି ସୁନାବେଡ଼ା ଅଭୟାରଣ୍ୟ first appeared on Sambad.



from ଜିଲ୍ଲା – Sambad https://ift.tt/3c3PDpY