
ନଦୀଶଯ୍ୟା ଅଞ୍ଚଳରେ ଲାଗିବ ଲିଜଧାରୀଙ୍କ ସମ୍ପୂର୍ଣ୍ଣ ତଥ୍ୟ
ରାୟଗଡ଼ା : ରାୟଗଡ଼ାରୁ ଆନ୍ଧ୍ରକୁ ବାଲି ଚୋରା ଚାଲାଣ ଘଟଣାକୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ହୋଇଛି। ଅଭିଯୋଗକାରୀଙ୍କ ପକ୍ଷ ଶୁଣିବା ପରେ ରାୟଗଡ଼ା ଜିଲ୍ଲାପାଳ, ରାୟଗଡ଼ା ତହସିଲଦାରଙ୍କୁ ରିପୋର୍ଟ ତଲବ କରିବା ସହ ଦୁଇ ମାସ ମଧ୍ୟରେ ଚୋର ଚାଲାଣ ରୋକିବା ଦିଗରେ ପଦକ୍ଷେପ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଲିଜ୍ ଅଞ୍ଚଳ ଓ ନଦୀଶଯ୍ୟାରେ ଲିଜଧାରୀ, ଲିଜ ସମ୍ପର୍କିତ ସମସ୍ତ ତଥ୍ୟ ସୂଚନା ଫଳକରେ ଉଲ୍ଲେଖ କରିବାକୁ କୋର୍ଟ କହିଛନ୍ତି। ଦିନକ ପୂର୍ବରୁ ବାଲି ଚୋରା ଚାଲାଣ ଘଟଣାର ତଦନ୍ତ କରିବାକୁ ରାଜସ୍ୱ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ନିର୍ଦ୍ଦେଶ ଦେଇଥିବା ବେଳେ ଆଜି ହାଇକୋର୍ଟଙ୍କ ଏମିତି କଡ଼ା ନିର୍ଦ୍ଦେଶ ପ୍ରଶାସନର ମୁଣ୍ଡବ୍ୟଥାକୁ ବଢ଼ାଇ ଦେଇଛି।

ରାୟଗଡ଼ା ଜିଲ୍ଲାର ନାଗାବଳୀ, ଝଞ୍ଜାବତୀ, ବଂଶଧାରା, ମହେନ୍ଦ୍ରତନାୟା ଓ କଲ୍ୟାଣୀ ନଦୀରୁ ବେଧଡ଼କ ବାଲି ଚୋରା ଚାଲାଣ ଚାଲିଥିଲା। ଏହା ଉପରେ ରୋକ୍ ଲଗାଇବା ନିମନ୍ତେ ନବଭାରତ ନିର୍ମାଣ ପାର୍ଟି ପକ୍ଷରୁ ଜିଲ୍ଲା ପ୍ରଶାସନକୁ ୨୦୨୦ ଅକ୍ଟୋବର ମାସରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। କିନ୍ତୁ ଚୋରା ଚାଲାଣ ନ ଥମିବା ପରେ ଏ ନେଇ ପାର୍ଟି ପକ୍ଷରୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା। ମାମଲାର ବିଚାର କରି କୋର୍ଟ ଆଜି ପ୍ରଶାସନକୁ ରିପୋର୍ଟ ତଲବ କରିବା ସହ ଚୋରା ଚାଲାଣ ରୋକିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାଲି ଉଠାଣର ସୀମା ନିର୍ଦ୍ଧାରଣ, ବାଲି ଉଠାଣ ସ୍ଥାନରେ ସୂଚନା ଫଳକ, ଦୈନିକ ବାଲି ଉଠାଣ ସ୍ଥିତି ପ୍ରକାଶ, ଠିକାଦାରଙ୍କ ନାମ, ବାଲି ଚୋରା ଚାଲାଣ ରୋକିବା, ମୃତ୍ୟୁବରଣ କରିଥିବା ଲିଜଧାରୀଙ୍କ ଲିଜ୍ ବାତିଲ, ଲିଜ୍ ସ୍ଥଳକୁ ରାଜସ୍ବ ଅଧିକାରୀଙ୍କ ନିୟମିତ ପରିଦର୍ଶନ, ଚୋରା ଚାଲାଣ କରି ଅର୍ଥ ଆତ୍ମସାତ୍ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟ କହିଛନ୍ତି। ସେହିପରି ଶଗଡ଼ ଓ ମିନି ଟ୍ରକରେ ବାଲି ଆଣୁଥିବା ଗାଡ଼ିରୁ ଜରିମାନା ନ ଆଦାୟ କରିବା, ମିଥ୍ୟା ଅବିକଳ କେ ତଥା ୱାଇ ଫର୍ମର ସଦ୍ବିନିଯୋଗ କରିବାକୁ କୋର୍ଟ ନିର୍ଦ୍ଦେଶ ହୋଇଛି। ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ସହରର ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିବା ବି. କାନ୍ତା ରାଓ ସୂଚନା ଦେଇଛନ୍ତି।
The post ଆନ୍ଧ୍ରକୁ ବାଲି ଚୋରା ଚାଲାଣ : ହାଇକୋର୍ଟଙ୍କ ରିପୋର୍ଟ ତଲବ first appeared on Sambad.
from ଜିଲ୍ଲା – Sambad https://ift.tt/2Os633h
0 Comments