
ରାଜନଗର: ବିରଳ ଅଲିଭରିଡଲେ କଇଁଛଙ୍କ ଅନ୍ତୁଡିଶାଳ ଗହୀରମଥାରେ ଅଣ୍ତାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ନାସୀ-୧ ଓ ନାସୀ-୨ ରେ ଗତକାଲି ସଂଧ୍ୟାଠାରୁ ଅଣ୍ତା ଦେବା ଆରମ୍ଭ କରିଛନ୍ତି। ଗତକାଲି ସଂଧ୍ୟାରେ ୩ଶହ ଓ ବିଳମ୍ବିତ ରାତ୍ରିରେ ୮ଶହ କଇଁଛ ଅଣ୍ତାଦାନ କରିଛନ୍ତି। କୂଳକୁ ଆସିବା ପରେ କଇଁଛ ସମୁଦ୍ରର ଲହଡି ଆଘାତଠାରୁ ନିରାପଦ ଦୂରତ୍ବରେ ଅଣ୍ତାଦେବା ପାଇଁ ସ୍ଥାନ ବାଛିଥା’ନ୍ତି। ଗୋଟିଏ କଇଁଛ ପ୍ରାୟ ୧୦୦ରୁ ଅଧିକ ଅଣ୍ତା ଦେଇଥାଏ। ଅଣ୍ତା ଦେଇ ସାରିବା ପରେ ତାର ଗାତକୁ ମା କଇଁଛ ବାଲି ଘୋଡାଇ ଲୁଚାଇ ପକାଏ ଓ ସମୁଦ୍ରକୁ ଫେରିଯାଏ। ସୂର୍ଯ୍ୟଙ୍କ ଉତ୍ତାପରେ ଅଣ୍ତାଗୁଡିକ ଉଷୁମ ହୋଇ ୪୫ରୁ ୬୦ ଦିନ ମଧ୍ୟରେ ଛୁଆ ଫୁଟିଥାଏ।
ସମୁଦ୍ର କୂଳରେ ଲକ୍ଷାଧିକ ସଂଖ୍ୟାରେ କଇଁଛ ଭିଡ଼ ଜମାଇଥିଲେ ମଧ୍ୟ ଦୁଇଦିନରେ ମାତ୍ର ୧୧ଶହ କଇଁଛ ଅଣ୍ତା ଦେଇଛନ୍ତି। ଅମାବାସ୍ୟା ତିଥି ଥିବାରୁ ଓ ଦକ୍ଷିଣା ପବନ ହେଉଥିବାରୁ ଆଜି ରାତି କିମ୍ବା ଆସନ୍ତାକାଲି ମଧ୍ୟରେ ଏହି ବିରଳ କଇଁଛ ସମୂହ ଅଣ୍ତାଦାନ ପ୍ରକ୍ରିୟାରେ ସାମିଲ ହେବାର ଆଶା କରାଯାଉଛି।
ସୂଚନା ଥାଉ କି,୧୯୭୫ ମସିହାରୁ ଗହୀରମଥା ଉପକୂଳରେ ଏହି ବିରଳ ସାମୁଦ୍ରିକ କଇଁଛ ମାନଙ୍କ ଗଣ ଅଣ୍ତାଦାନ ପ୍ରକ୍ରିୟା ଦୃଷ୍ଟି ଗୋଚର ହୋଇଥିଲା। ୧୯୯୭ ସେପ୍ଟେମ୍ବର ୨୭ରେ ରାଜ୍ୟ ସରକାର ଗହୀରମଥାକୁ ପ୍ରଥମ ସାମୁଦ୍ରିକ ଅଭୟାରଣ୍ୟ ଘୋଷଣା କରିବା ପରେ ଗହୀରମଥା ସାମୁଦ୍ର ଉପକୂଳଠାରୁ ୨୦ କିମି ଯାଏ ଟ୍ରଲରରେ ମାଛଧରା ନିଷିଦ୍ଧ କରାଯାଇଛି।
The post ଗହୀରମଥାରେ ଅଲିଭରିଡଲେଙ୍କ ସମୂହ ଅଣ୍ତାଦାନ; କୂଳରେ ଲକ୍ଷାଧିକ କଇଁଛ, ଅଣ୍ତା ଦେଲେ ୧୧ଶହ first appeared on Sambad.
from ଜିଲ୍ଲା – Sambad https://ift.tt/3l1kCak
0 Comments