
କଟକ: ଦଣ୍ଡପାଣି ମହାନ୍ତିଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି। ସରକାରଙ୍କ ବିରୋଧରେ ଯୁଦ୍ଧ ପାଇଁ ଷଡଯନ୍ତ୍ର ଅଭିଯୋଗ ନେଇ ଦଣ୍ଡପାଣି ମହାନ୍ତିଙ୍କ ବିରୋଧରେ ବ୍ରହ୍ମପୁର ଦ୍ବିତୀୟ ଅତିରିକ୍ତ ଦୌରାଜଜ୍ ଅଦାଲତରେ ବିଚାରାଧୀନ ମାମଲାକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ମହାନ୍ତିଙ୍କ ଆବେଦନର ଶୁଣାଣି କରି ତାଙ୍କ ବିରୋଧରେ ନିମ୍ନ ଅଦାଲତ ଗ୍ରହଣ କରିଥିବା କଗନିଜାନ୍ସ ନିର୍ଦ୍ଦେଶକୁ ଖାରଜ କରିଛନ୍ତି। ଏଥିସହିତ ଖଣ୍ଡପୀଠ ନିମ୍ନ ଅଦାଲତରେ ଶ୍ରୀ ମହାନ୍ତି ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ବିଚାରାଧୀନ ଏ ସଂପର୍କିତ ମାମଲାକୁ ରଦ୍ଦ କରିଛନ୍ତି।
ନିମ୍ନ ଅଦାଲତରେ ଶ୍ରୀ ମହାନ୍ତିଙ୍କ ବିରୋଧରେ ୨୦୧୫, ଅଗଷ୍ଟ ୨୨ରେ କଗନିଜାନ୍ସ ଗ୍ରହଣ ସମୟରେ ସିଆରପିସିର ଧାରା ୧୯୬ ଓ ଅନ୍ ଲଫୁଲ୍ ଆକ୍ଟିଭିଟିଜ୍ (ପ୍ରିଭେନସନ୍) ଆକ୍ଟ (ୟୁଏପି ଆଇନ)ର ଧାରା ୪୫ ଅନୁସାରେ ସାଙ୍କସନ୍ (ମଞ୍ଜୁରୀ) ନଥିଲା। ପରବର୍ତ୍ତୀ ସମୟରେ ୨୦୧୫, ସେପ୍ଟେମ୍ବର ୨୬ରେ ୟୁଏପି ଆଇନର ଧାରା ୧୦, ୧୩,୧୮, ୨୦, ୩୯ ଓ ୪୦ ପାଇଁ ରାଜ୍ୟ ଗୃହ ବିଭାଗ ସାଙ୍କସନ୍ ଅର୍ଡର ପ୍ରଦାନ କରିଥିଲା। ସେହିଭଳି ଭାବେ ଆଇପିସିର ଦଫା ୧୨୪-କ ପାଇଁ ଗୃହ ବିଭାଗ ୨୦୧୫, ଅକ୍ଟୋବର ୧୫ରେ ସାଙ୍କସନ୍ ଅର୍ଡର ଦେଇଥିଲା। ଏହି ସାଙ୍କସନ ଅର୍ଡର କଗନିଜାନ୍ସ ଗ୍ରହଣ ପରେ ଅଦାଲତରେ ଦାଖଲ କରାଯାଇଥିଲା। କିନ୍ତୁ ଚାର୍ଜସିଟ ଦାଖଲ ପରେ କଗନିଜାନ୍ସ ଗ୍ରହଣ ସମୟରେ ସାଙ୍କସନ ଅର୍ଡର ନଥିଲା। ସାଙ୍କସନ୍ ଅର୍ଡରର ଅନୁପସ୍ଥିତିରେ ଗ୍ରହଣ କରାଯାଇଥିବା କଗନିଜାନ୍ସ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିବା ସହିତ ଶ୍ରୀ ମହାନ୍ତିଙ୍କ ବିରୋଧରେ ମାମଲା ରଦ୍ଦ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରଶାନ୍ତ କୁମାର ଜେନା, ଏ.କେ.ସାହୁ ଓ ଡି.ପି.ମହାପାତ୍ର ମାମଲା ପରିଚାଳନା କରୁଥିଲେ।
The post ଦଣ୍ଡପାଣି ମହାନ୍ତି ଆଶ୍ବସ୍ତ, ନିମ୍ନ ଅଦାଲତ ମାମଲା ରଦ୍ଦ କଲେ ହାଇକୋର୍ଟ first appeared on Sambad.
from ଜିଲ୍ଲା – Sambad https://ift.tt/2OKWmgn
0 Comments