
ଧର୍ମଶାଳା : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଇମାମନଗର ଛକ ନିକଟରେ ଶନିବାର ଦିନ ସୂଚନା ଅଧିକାର କର୍ମୀ ତଥା ବିଜେପି ନେତା ସର୍ବେଶ୍ବର ବେହୁରା(୫୩)ଙ୍କୁ ବୋମାମାଡ଼ କରାଯାଇଛି। ଏକ ପଲସର ବାଇକ୍ରେ ଆସି ଦୁଇ ଜଣ ଦୁର୍ବୃତ୍ତ ବେହୁରାଙ୍କ କାର୍ ଉପରକୁ ବୋମା ମାଡ଼ କରିଥିଲେ। ବୋମା ମାଡ଼ରେ ବେହୁରା ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ସହଯୋଗୀ ସୁଶାନ୍ତ ବେହେରା(୩୫) ମଧ୍ୟ ଆହତ ହୋଇଛନ୍ତି। ବେହୁରାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଶନିବାର ରାତି ସାେଢ଼ ୯ଟାରେ ଶ୍ରୀ ବେହୁରା, ତାଙ୍କ ସହଯୋଗୀ ସୁଶାନ୍ତ ବେହେରା ଓ ବଳରାମ ଦାସ ଏକ କାର୍ (ଓଡି-୦୪ଏନ-୦୦୪୯)ରେ ଇମାମନଗର ଠାରେ ହେଉଥିବା ଅଷ୍ଟପ୍ରହର କାର୍ଯ୍ୟକ୍ରମକୁ ଯାଇଥିଲେ। ସେଠାରୁ ଫେରୁଥିବା ସମୟରେ ବ୍ରାହ୍ମଣୀ ନଦୀ ହାଇଲେବୁଲ କେନାଲ ବନ୍ଧର ଇମାମନଗର ଛକରେ ଏକ କଳା ଓ ନାଲି ରଙ୍ଗର ପଲସର ବାଇକ୍ ଧରି ଛିଡ଼ା ହୋଇଥିବା ଦୁଇଜଣ ଯୁବକ ତାଙ୍କ କାର୍ ଉପରକୁ ଚାରୋଟି ବୋମା ଫିଙ୍ଗିଥିଲେ। ଗୋଟିଏ ବୋମା ରାସ୍ତାରେ ପଡ଼ିଥିବା ବେଳେ ଅନ୍ୟ ୩ଟି କାର୍ରେ ବାଜିଥିଲା। କାର୍ର ସମ୍ମୁଖ ସିଟ୍ରେ ବସିଥିବା ଶ୍ରୀ ବେହୁରା ବୋମାମାଡ଼ରେ ଗୁରୁତର ଆହତ ହୋଇଥିବା ବେଳେ କାର ଚଳାଉଥିବା ସୁଶାନ୍ତଙ୍କ ହାତରେ ଆଘାତ ଲାଗିଥିଲା। ବୋମା ମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ। ଆହତ ଶ୍ରୀ ବେହୁରାଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ଧର୍ମଶାଳା ଅଞ୍ଚଳର ବିଛାଖଣ୍ଡି, ରାହଡ଼ପୁର, ଡଙ୍କାରୀ ଆଦି ପାହାଡ଼ରୁ କଳାପଥର ଲୁଟ୍, ବେଆଇନ୍ କ୍ରସର, କେଲୁଅ ନଦୀର ମନୁଷ୍ୟକୃତ ଘାଇ ପ୍ରସଙ୍ଗ ସମେତ ରାସନ ଘୋଟାଲା, ଆବାସ ଦୁର୍ନୀତି ଆଦି ବିଭିନ୍ନ ପ୍ରସଙ୍ଗରେ ଶ୍ରୀ ବେହୁରା ସୂଚନା ଅଧିକାରରେ ତଥ୍ୟ ସଂଗ୍ରହ କରି ହାଇକୋର୍ଟ ଏବଂ ଲୋକାୟୁକ୍ତରେ ମାମଲା କରିଥିଲେ। ଏହି କାରଣରୁ ସେ ପଥର ମାଫିଆଙ୍କ ସମେତ ସ୍ଥାନୀୟ ଅଞ୍ଚଳର କିଛି ନେତାଙ୍କ ଟାର୍ଗେଟରେ ରହି ଆସିଥିଲେ।
The post ସୂଚନା ଅଧିକାର କର୍ମୀଙ୍କୁ ବୋମାମାଡ଼, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି first appeared on Sambad.from ଜିଲ୍ଲା | Sambad https://ift.tt/39ksVtb
0 Comments