
ଜଗତସିଂହପୁର: ପାରାଦୀପରେ ସମୁଦ୍ର ବେଳାଭୂମିରେ ବିଳମ୍ବିତ ରାତିରେ ବେଆଇନ ଭାବେ ବାଲି ଚାଲାଣ ହେଉଛି। ଷଣ୍ଢକୁଦ ବସ୍ତିଠାରୁ ବନ୍ଦରର ୫ ନଂ ଗେଟ୍ ହନୁମାନ ମନ୍ଦିର ପର୍ଯ୍ୟନ୍ତ ଏହି ଲୁଟ୍ ଚାଲିଛି। ଏ ସମ୍ପର୍କରେ ସମସ୍ତେ ସବୁ କିଛି ଜାଣି ଚୁପ୍ ବସିଛନ୍ତି। ବିନା ଅନୁମତିରେ କେତେକ ଅସାଧୁ ବ୍ୟବସାୟୀ ଏହି ବେପାର ଚଳାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଗଣମାଧ୍ୟମ ପ୍ରତିନିଧି ଘଟଣାସ୍ଥଳରେ ପହଁଚି ଯିବାରୁ ସମସ୍ତେ ଛତ୍ରଭଙ୍ଗ ଦେଇଥିଲେ। ସିଆରଜେଡ୍ ଆଇନ ଅନୁଯାୟୀ ବେଳାଭୂମିରେ ବାଲି ଉଠାଇବା ବେଆଇନ। ଏଥିପାଇଁ ରାଜ୍ୟ ପ୍ରଦୂଷଣ ବୋର୍ଡ ଓ ସ୍ବତନ୍ତ୍ର ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶନାମା ଆବଶ୍ୟକ। ମାତ୍ର ବିନା କାଗଜପତ୍ରରେ ବିଳମ୍ବିତ ରାତିରେ କିଛି ବାଲି ମାଫିଆ ଟ୍ରାକ୍ଟର ଓ ହାଇୱାରେ ଟ୍ରିପ୍ ଟ୍ରିପ୍ ବାଲି ଲୁଟି ଚାଲିଛନ୍ତି। ଷଣ୍ଢକୁଦରେ ରହୁଥିବା ଯୁବକମାନଙ୍କ ଜରିଆରେ ରୀତିମତ ଗାଡ଼ିରେ ବାଲି ଲୋଡିଂ ଚାଲୁଛି। ସେମାନଙ୍କୁ ୪୦୦ ଟଙ୍କା ମଜୁରି ଦିଆଯାଉଛି।
ଗତକାଲି ରାତିରେ ଏକ ଟ୍ରାକ୍ଟରରେ ଏହି ବାଲିବୁହା ହେଉଥିଲା। ଏହି ଟ୍ରାକ୍ଟରଟି ଗୁରୁପଦ ମଣ୍ତଳ ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ରହିଥିବା ବେଳେ ସେଠାରେ ରୀତିମତ ଏହି ବାଲି କାରବାର ଚାଲିଛି। ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ କାହାରି ନଜରକୁ କେମିତି ଆସୁନି, ତାହା ଜଣାପଡ଼ୁ ନାହିଁ। ବିଳମ୍ବିତ ରାତିରେ ଜଟାଧାରୀ ମୁହାଣ ଥାନା ପୁଲିସର ଘନ ଘନ ପାଟ୍ରୋଲିଂ ଚାଲିଛି। ଅଧିକାଂଶ ସମୟରେ ବେଳାଭୂମି ଭିତରକୁ ପୁଲିସ ପ୍ରବେଶ କରି ଯାଂଚ କରୁଛି। ତଥାପି ଏହି ବାଲି ଚୋରି କେମିତି ଚାଲିଛି ? ବନ୍ଦର ଇଷ୍ଟେଟ ବିଭାଗ ଦ୍ବାରା ନିୟୋଜିତ ରାଜସ୍ବ ଅଧିକାରୀ ମଧ୍ୟ ଏ ସମ୍ପର୍କରେ ଟେର୍ ପାଉ ନାହାନ୍ତି ନା ଜାଣିଶୁଣି ଚୁପ୍ ରହୁଛନ୍ତି ? ଏଣୁ ସମ୍ପୂର୍ଣ୍ଣ କାରବାରକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।
ବେଳାଭୂମିରୁ ବାଲି ଚୋରି ନୂଆ କଥା ନୁହେଁ। ବର୍ଷ ତମାମ ଧରି ଏହି କାରବାର ଚାଲିଛି। ତଥାପି ଜିଲ୍ଲା ଓ ବନ୍ଦର ପ୍ରଶାସନ କିଛି ବି ପଦକ୍ଷେପ ନେଉ ନାହିଁ। ପରୋକ୍ଷରେ ସେମାନେ ବାଲି ମାଫିଆଙ୍କୁ ଏହି କାରବାର କରିବାକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି। ଷଣ୍ଢକୁଦରେ ବାଲି ମାଫିଆଙ୍କ ଏକ ରୢାକେଟ୍ କାମ କରୁଥିବା ବେଳେ ବିଳମ୍ବିତ ରାତିରେ ଟ୍ରିପ୍ ଟ୍ରିପ୍ ବାଲି ବିକ୍ରି କରି ଦେଉଥିବା ଅଭିଯୋଗ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଡ.କାହ୍ନୁ ଚରଣ ଧୀର କହିଛନ୍ତି ଏପରି ଅଭିଯୋଗ ନେଇ ତଦନ୍ତ କରାଯାଇ ଘଟଣାରେ ସମ୍ପୃକ୍ତ ଯୁବକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
The post ସିଆରଜେଡ୍ ନିୟମର ଖୋଲା ଉଲ୍ଲଂଘନ; ବେଳାଭୂମିରୁ ବି ବାଲି ଲୁଟ୍ first appeared on Sambad.
from ଜିଲ୍ଲା – Sambad https://ift.tt/2OF7qMp
0 Comments