କଟକ: କଟକ ବଡ଼ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଫ୍ୟାନ ପଡ଼ି ଗୁରୁତର ଆହତ ହୋଇଥିବା ବୃଦ୍ଧାଙ୍କର ସୋମବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ମୃତ ବୃଦ୍ଧା ଯାଜପୁର ଜିଲ୍ଲା କୃଷ୍ଣନଗର ଗ୍ରାମର ପାର୍ବତୀ ଦାଶ(୭୮) ବୋଲି ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ, ପାର୍ବତୀ ଦାଶ ଘରେ ପୂଜା କରୁଥିବା ସମୟରେ ଦୀପରୁ ନିଆଁ ଲାଗି ଅଗ୍ନିକାଣ୍ତ ଘଟିଥିଲା। ଏଥିରେ ପାର୍ବତୀ ଆହତ ହୋଇଥିଲେ। ମାର୍ଚ୍ଚ ୫ ତାରିଖରେ ତାଙ୍କୁ ଏସ୍‌ସିବି ମେଡିକାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେ ସର୍ଜରୀ ବର୍ଣ୍ଣ ୱାର୍ଡ଼ରେ ଚିକିତ୍ସିତ ହେଉଥିଲେ।

କିନ୍ତୁ ମାର୍ଚ୍ଚ ୮ ତାରିଖ ସୋମବାର ସକାଳେ ଚିକିତ୍ସାଧୀନ ପାର୍ବତୀଙ୍କ ଉପରେ ଏକ ଫ୍ୟାନ ଖସି ପଡ଼ିଥିଲା। ଏଥିରେ ସେ ଗୁରୁତର ହୋଇଥିଲେ। ମେଡିକାଲ ପକ୍ଷରୁ ତାଙ୍କୁ ଏସ୍‌ସିବି ଟ୍ରମା ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ଚାଲିଥିବା ବେଳେ ସୋମବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ପୁଅ ପ୍ରଶାନ୍ତ ଦାଶ ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷରେ ଏହି ଘଟଣାରେ ଜାତୀୟ ମାନବଧିକାର କମିସନ କ୍ଷୋଭ ପ୍ରକାଶ କରିବା ସହିତ ଘଟଣା ସମ୍ପର୍କରେ ୮ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନି‌ର୍ଦେଶ ମଧ୍ୟ ଦେଇଛନ୍ତି।

The post ଏସ୍‌ସିବିରେ ଫ୍ୟାନ ଖସିପଡ଼ିବା ଘଟଣା; ବୃଦ୍ଧା ମୃତ first appeared on Sambad.



from ଜିଲ୍ଲା – Sambad https://ift.tt/2Q9BKiP