ସାକ୍ଷୀଗୋପାଳ: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ସତ୍ୟବାଦୀ ଥାନା ଅନ୍ତର୍ଗତ ଚଣା ଗୋରଡ଼ା ନିକଟରେ ଆଜି ଭୋର ୪ଟା ସମୟରେ ଏକ ଦୁର୍ଘଟଣା ଘଟିଛି। ଏଥିରେ ଘଟଣାସ୍ଥଳରେ ଦୁଇ ଜଣ ମୃପ୍ରାଣ ହରାଇଥିବାବେଳେ ୧୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ଆହତମାନଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କ୍ୟାପିଟାଲ ହସ୍‌ପିଟାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ଅନ୍ତର୍ଗତ ବେଗୁନିଆପଡ଼ା ଗ୍ରାମରୁ ଏହି ବ୍ୟକ୍ତିମାନେ ଏକ ଶିଶୁର ଚୁଟି ପକାଇବା ପାଇଁ ଗତକାଲି ରାତିରେ ଏକ ବୋଲେରୋ ଯୋଗେ ପୁରୀ ଆସୁଥିଲେ। ଆଜି ଭୋର ପ୍ରାୟ ଚାରିଟା ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ଚଣା ଗୋରଡା ନିକଟରେ ରତ୍ନାଚିରା ନଦୀ ଉପରେ ନିର୍ମିତ ସେତୁର ବାଡ଼କୁ ଧକ୍କା ଦେଇଥିଲା। ଖବର ପାଇ ସତ୍ୟବାଦୀ ଆଇଆଇସି ଦେବୀ ପ୍ରସାଦ ପାତ୍ର ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ୪ଟି ଆମ୍ବୁଲାନ୍ସ ଏବଂ ୨ଟି ଅଗ୍ନିଶମ ଗାଡିରେ ଆହତଙ୍କୁ ଚିକିତ୍ସା ପାଇଁ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଦୁର୍ଘଟଣାରେ ୪ ବର୍ଷର ଶିଶୁ ଲିପିକା ପ୍ରିୟଦର୍ଶିନୀ ସାହୁ ଓ ଲକ୍ଷ୍ମୀପ୍ରିୟା ରଣା(୫୮)ଙ୍କୁ କାର୍ଯ୍ୟରତ ଡାକ୍ତର ମୃତ ଘୋଷଣା କରିଥିଲେ। ସମସ୍ତେ ବେଗୁନିଆପଡ଼ା ଗ୍ରାମର ବୋଲି ଜଣାପଡ଼ିଛି। ଆହତମାନଙ୍କ କାନ୍ଦବୋବାଳିରେ ଡାକ୍ତରଖାନା ପରିସରରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ଶିଶୁ ଲିପିକା ପ୍ରିୟଦର୍ଶିନୀର ଚୁଟି ପକାଇବା ନିମନ୍ତେ ପରିବାର ବର୍ଗ ଓ ନିକଟ ସମ୍ପର୍କୀୟମାନେ ଆନନ୍ଦରେ ସନ୍ଧ୍ୟାରେ ଘରୁ ବାହାରିଥିଲେ। ମାତ୍ର ସେହି ରାତ୍ରୀ ଶିଶୁଟି ନିମନ୍ତେ କାଳ ରାତ୍ରିରେ ପରିଣତ ହୋଇଥିଲା।

The post ଭୁବନେଶ୍ବର-ପୁରୀ ଏନ୍‌ଏଚ୍‌ରେ ଦୁର୍ଘଟଣା; ଶିଶୁ ସମେତ ୨ ମୃତ, ୧୨ ଗୁରୁତର first appeared on Sambad.



from ଜିଲ୍ଲା – Sambad https://ift.tt/3t5p4HS