ଭୁବନେଶ୍ୱର: ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟଙ୍କର ଏକ ଅଡିଓ ରେକର୍ଡିଂ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଆଜି ଏହି ପ୍ରସଙ୍ଗ ବିଧାନସଭାରେ ଉଠିଛି | ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏହି ପ୍ରସଙ୍ଗକୁ ଉଠାଇବା ସହ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି | ଏହି ଘଟଣାକୁ ନେଇ ପ୍ରଦୀପ୍ତ ଓ ବ୍ୟୋମକେଶ ମୁହାଁମୁହିଁ ହୋଇଛନ୍ତି | ଶୂନ୍ୟକାଳରେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ନେତା ଉଦବେଗ ପ୍ରକାଶ କରି କହିଥିଲେ ଯେ ରାଜ୍ୟରେ କିପରି ଶାସନ ଚାଲିଛି ? ଶାସକ ଦଳର ନେତା ସାଧାରଣ ପୋଲିସ ଏଏସଆଇଙ୍କୁ ଧମକାଇବେ କି ? ଏହି ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ବିରୋଧୀ ଦଳ ନେତା ଦାବି କରିଛନ୍ତି । ବିଧାୟକମାନେ ନିଜ ଆଚରଣରେ ଶାଳୀନତା ରଖନ୍ତୁ ବୋଲି ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି ପ୍ରଦୀପ୍ତ ନାୟକ |

ଅନ୍ୟପଟେ ଭାଇରାଲ ଅଡିଓକୁ ନେଇ ବ୍ୟୋମକେଶ କହିଛନ୍ତି ଯେ ଗୃହକୁ ବିଭ୍ରାନ୍ତି କରୁଛନ୍ତି ବିରୋଧୀ ଦଳ ନେତା | ବ୍ୟୋମକେଶ କହିଛନ୍ତି ଯେ, ସେ ପୁଲିସ ଜଣକ ଗରିବ ଲୋକଙ୍କୁ ହଇରାଣ ହରକତ କରୁଥିଲା । ତେଣୁ ମୁଁ ତାଙ୍କୁ ଫୋନ କରିଥିଲି । ମୁଁ କହିଥିଲି ଆଇନ ତା ବାଟରେ ଯିବ ବୋଲି । ସେ ଟଙ୍କା ଆଦାୟ କରୁଥିଲେ । ମୋ ଅଡ଼ିଓ ଟେପକୁ ବିଭ୍ରାନ୍ତି କରି ଦେଖାଯାଉଛି । ଯଦି ବାଚସ୍ପତି ଚାହିଁବେ ସମ୍ପୂର୍ଣ୍ଣ ଅଡ଼ିଓ ମୁଁ ଗୃହରେ ଉପସ୍ଥାପନ କରିପାରିବି । ମୁଁ ଜଣେ ବିଧାୟକ ମଧ୍ୟବିତ୍ତ ପରିବାରରୁ ଆସିଛି । ମୁଁ ପିଏଚଡ଼ି କରିଛି । ବ୍ୟବହାର କେମିତି କରାଯିବ ସେ କଥା ମୋତେ ଶିଖାନ୍ତୁ ନାହିଁ’ |

ସୂଚନା ଥାଉ କି ଭାଇରାଲ ଫୋନ କଲ୍‌ ରେକର୍ଡିଂରେ ବିଧାୟକ ଶ୍ରୀ ରାୟ ବାଂଶଡ଼ା ଥାନା ଏଏସ୍‌ଆଇ ଗୁରୁପ୍ରସାଦ ବେହେରାଙ୍କୁ ଧମକ ଦେଉଛନ୍ତି। କହୁଛନ୍ତି, ଗୁରୁ ବାବୁ ତୁମକୁ ଆଗରୁ ମୁଁ ଦୁଇ ତିନିଥର କହିଥିଲି। ଏବେ ବି କହୁଛି, ଏଠି ପଲିଟିକାଲ୍‌ ପ୍ରୋବ୍ଲେମ୍‌କୁ ଜାଣିଶୁଣି ତମେ ଅଧିକ ଆଗ୍ରେଭେଟ୍ କରୁଛ। କେତେବେଳେ କ’ଣ କରୁଛ, ତାର ଠିକଣା ନାହିଁ। ତମ ମୋବାଇଲରେ ରେକର୍ଡିଂ ଅଛି କି? ତମେ ଯେତିକିରେ ରହିବା କଥା, ସେତିକିରେ ରୁହ। ଅଧିକ ହେଲେ ଡିଜିଙ୍କ ପାଖରେ ବସି ତମକୁ ମୋଟୁ ଥାନାକୁ ଫୋପାଡ଼ି ଦେବି। ଲ ସବୁ ବେଳେ ଲ ବାଟରେ ଯିବ।

The post ଭାଇରାଲ ଅଡିଓକୁ ନେଇ ବ୍ୟୋମକେଶ-ପ୍ରଦୀପ୍ତ ମୁହାଁମୁହିଁ, ବ୍ୟୋମକେଶ କହିଲେ ଅଡ଼ିଓ ଟେପକୁ ବିଭ୍ରାନ୍ତି କରି ଦେଖାଯାଉଛି first appeared on Sambad.

from ଜିଲ୍ଲା | Sambad https://ift.tt/2P5HqKi