
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରେ ପୁଣିଥରେ ସୁପାରିକିଲର୍ ଅପରାଧ ଟ୍ରେଣ୍ଡ୍ ଆରମ୍ଭ ହୋଇଛି। ଆଜି କାଦୁଅପଡ଼ା ଡିହସାହି ବଜାରରେ ଏକ ପାରିବାରିକ ଗଣ୍ଡଗୋଳରୁ ଗୋଟିଏ ପକ୍ଷ ଦ୍ବାରା ନିୟୋଜିତ ସୁପାରି କିଲର୍ ଗାଁ ଭିତରେ ପହଞ୍ଚି ବନ୍ଧୁକ ଦେଖାଇ ଆତଙ୍କରାଜ ସୃଷ୍ଟି କରିଛି। ସର୍ବସମ୍ମୁଖରେ ୫ ରାଉଣ୍ଡ୍ ଫାଙ୍କା ଗୁଳି ଚାଳନା କରି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ ହେଁ ପୁଲିସ୍ ହାତରେ ଧରାପଡ଼ିଛି। ପୁଲିସ୍ ଏହି ଭଡ଼ାଟିଆ ଗୁଣ୍ଡା ରାକେଶ ମଲ୍ଲିକକୁ ଗିରଫ କରିବା ସହ ତା ନିକଟରୁ ୯ମିମିର ଏକ ପିସ୍ତଲ ଓ ଗୋଟିଏ ରାଉଣ୍ଡ ଗୁଳି ଜବତ କରିଛି।
ପୁଲିସ୍ ସୂତ୍ରରୁ ପ୍ରକାଶ ସ୍ଥାନୀୟ କାଠିଆପଡା ଗ୍ରାମରେ ଧର୍ମାନନ୍ଦ ମହାପାତ୍ରଙ୍କ ଘରେ ଦୁଇ ପୁଅ ବୋହୂଙ୍କୁ ନେଇ କିଛି ଦିନ ହେଲା ଶାନ୍ତି ଲାଗି ରହିଥିଲା। ଧର୍ମାନନ୍ଦଙ୍କ ପତ୍ନୀ ଶ୍ରୀମତୀ ରୁକ୍ମଣୀ ଅଭିଯୋଗ କରିଛନ୍ତି ଯେ ପାରିବାରିକ ଝଗଡ଼ାରୁ ଗତକାଲି ବଡ଼ବୋହୂ ସୁମିତ୍ରା ଦାସ ଓ ତାଙ୍କ ଝିଅ ଅହଲ୍ୟା ଘରେ ପହଞ୍ଚି ଗୁଣ୍ଡା ଲଗାଇ ସାନ ପୁଅ ଓ ବୋହୂଙ୍କୁ ଉଡ଼ାଇ ଦେବେ ବୋଲି ଧମକ ଦେଇ ଯାଇଥିଲେ।
ଆଜି ଦିନ ପ୍ରାୟ ସାଢ଼େ ୧୨ଟାରେ କାଦୁଅପଡ଼ା ଗାଁର ରାକେଶ ମଲ୍ଲିକ ଏକ କଳା ଇଣ୍ତିକାରେ ଆସି ରୁକ୍ମଣୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା। ସେଠାରେ ଉପସ୍ଥିତ ତାଙ୍କ ସାନ ବୋହୂ ସସ୍ମିତା ମହାପାତ୍ରଙ୍କ ପାଟିରେ ବନ୍ଧୁକ ପୂରାଇ ମାରି ଦେବାକୁ ଉଦ୍ୟମ କରିଥିଲା। ଘର ମାମଲାରେ ମୁଣ୍ଡ ନପୂରାଇବାକୁ ଧମକ ଦେଇ ସେ ସେଠାରେ ପ୍ରାୟ ୫ ରାଉଣ୍ତ ଫାଙ୍କା ଗୁଳି ଫୁଟାଇ ଉନ୍ମତ୍ତଭାବେ ସେଠାରୁ ଚାଲି ଯାଇଥିଲା।
ଏହି ଘଟଣା ପରେ ବାଟରେ ଦହି ନେବା ପାଇଁ ଯାଉଥିବା ଟ୍ରାକ୍ଟର ଡ୍ରାଇଭର୍ ସୁକାନ୍ତ ବେହେରାଙ୍କୁ ବିୟର୍ ଓ ୫ ହଜାର ଟଙ୍କା ମାଗି ପିସ୍ତଲ ଦେଖାଇ ଧମକ ଦେଇଥିଲା। ଏହି ଦୁଇଟି ଅଭିଯୋଗ ପାଇବା ପରେ ପୁଲିସ୍ ରାକେଶକୁ ଉଠାଇ ନେଇ ଗୁପ୍ତ ସ୍ଥାନରେ ରଖି ପଚରାଉଚୁରା ଚଳାଇଛି। ତଦନ୍ତ ବ୍ୟାହତ ଆଶଙ୍କାରେ ପୁଲିସ୍ ସବିଶେଷ ତଥ୍ୟ ଦେଇ ନାହିଁ।
The post କାଦୁଅପଡ଼ାରେ ଫାଙ୍କା ଗୁଳି ଚଳାଇ ଆତଙ୍କରାଜ; ପିସ୍ତଲ ସହ ଯୁବକ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/39dfXxo
0 Comments