କଟକ: ଭୁବନେଶ୍ବର-ଚଣ୍ଡୀଖୋଲ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଶେଷ ହେବା ପୂର୍ବରୁ ସଂପୂର୍ଣ୍ଣ ଟୋଲ ଆଦାୟ ପ୍ରସଂଗକୁ ବିରୋଧ କରି ଦାୟର ମାମଲାରେ ଜବାବ ଦାଖଲ ପାଇଁ ଏନଏଚଏଆଇ ଓ ଟୋଲ ଆଦାୟ କରୁଥିବା ସଂସ୍ଥାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏ ସଂପର୍କିତ ଜନସ୍ବାର୍ଥ ମାମଲାର ପରବର୍ତ୍ତୀ ଶୁଣାଣି ମେ ୫ ତାରିଖକୁ ଧାର୍ଯ୍ୟ କରାଯାଇଥିବାବେଳେ ଏହାପୂର୍ବରୁ ଜବାବ ଦାଖଲ ପାଇଁ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜ‌ଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦୁଝର ନବ ନିର୍ମାଣ ପରିଷଦ ପକ୍ଷରୁ ସଂପାଦକ ଦିଲ୍ଲୀପ କୁମାର ମହାପାତ୍ର ଦାଖଲ କରିଥିବା ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଭୁବନେଶ୍ବର-ଚଣ୍ଡୀଖୋଲ ୬ ଲେନ୍ ରାସ୍ତା ନିର୍ମାଣ ଶେଷ ନ କରି ଟୋଲ ଆଦାୟକୁ ବିରୋଧ କରି ୨୦୧୧ରେ ଏହି ଜନସ୍ବାର୍ଥ ମାମଲା ହାଇକୋର୍ଟରେ ଦାୟର ହୋଇଥିଲା। ପୌରାଞ୍ଚଳ ଠାରୁ ନି‌ର୍ଦ୍ଦିଷ୍ଟ ଦୂରତ୍ବରେ ଟୋଲ ଗେଟ୍ ରଖାଯିବା ନିୟମ ରହିଥିବାବେଳେ ଏହା ଉଲ୍ଲଂଘନ କରାଯାଇଥିଲା। ଏଥିସହିତ ଦୁଇଟି ଟୋଲ ଗେଟ୍ ଭିତରେ ୬୦ କି.ମି. ଦୂରତ୍ବ ରହିବା ନିୟମ ମଧ୍ୟ ଉଲ୍ଲଂଘନ କରାଯାଇଥିବା ନେଇ ଆବେଦନରେ ଦର୍ଶାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିରଜା ବଳ, ଅରୁଣ ସାହୁ ଓ ଦେବପ୍ରସାଦ ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

The post ରାସ୍ତା ନିର୍ମାଣ ସଂପୂର୍ଣ୍ଣ ନ କରି ଟୋଲ ଆଦାୟ ଅଭିଯୋଗ, ଏନ୍‌ଏଚ୍‌ଏଆଇ ନିକଟରୁ ଜବାବ ତଲବ first appeared on Sambad.



from ଜିଲ୍ଲା – Sambad https://ift.tt/3eo17aA