
କଟକ: କରୋନା କାଳରେ ମାସ୍କ ପ୍ରସ୍ତୁତ କରି ବିକ୍ରି କରିବାରେ ନିଆରା ରେକର୍ଡ କରିଛନ୍ତି କଟକର ମହିଳା। ପ୍ରତିକୂଳ ପରିସ୍ଥିତିରେ ନୂଆ ଜୀବିକା ଆରମ୍ଭ କରି ନିଜେ ରୋଜଗାର କ୍ଷମ ହେବା ସହିତ ୪୦ ଜଣ ମହିଳାଙ୍କୁ ସ୍ବାବଲମ୍ବୀ କରାଇ ସାରାରାଜ୍ୟରେ ରେକର୍ଡ କରିଛନ୍ତି କଟକର ହାଜିଅଲ୍ଲୀ ମହିଳା ଗୋଷ୍ଠୀ। କରୋନା ସମୟରେ ୪ ଲକ୍ଷ ମାସ୍କ ତିଆରି କରିବା ଓ ୮ଟି ଜିଲ୍ଲାକୁ ମାସ୍କ ତିଆରି ସାମଗ୍ରୀ ଯୋଗାଣ କରିବା ଭଳି ସଫଳତା ଅର୍ଜନ କରିଥିବା ଏହି ମହିଳା ଗୋଷ୍ଠୀକୁ ସରକାରଙ୍କ ପକ୍ଷରୁ ୫୦ ହଜାର ଟଙ୍କା ପୁରସ୍କାର ରାଶି ଓ ମାନପତ୍ର ପ୍ରଦାନ କରାଯାଇଛି। ବିଶ୍ବ ମହିଳା ଦିବସ ଅବସରରେ ମିସନ ଶକ୍ତି ପକ୍ଷରୁ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଜରିଆରେ ଏହି ପୁରସ୍କାର ପ୍ରଦାନ କରାଯାଇଛି।
ଠିକ୍ ବର୍ଷକ ତଳେ ଅର୍ଥାତ ୨୦୨୦, ମାର୍ଚ୍ଚ ୮ରେ କଟକର ବକ୍ସିବଜାର ସ୍ଥିତ ହାଜିଅଲ୍ଲୀ ପ୍ରଡ୍ୟୁସର ଗ୍ରୁପ୍ ଆରମ୍ଭ କରିଥିଲେ ମାସ୍କ ତିଆରି। ସେତେବେଳେ କରୋନା ପାଇଁ ଲକ୍ଡାଉନ୍, ସଟ୍ଡାଉନ୍ ଚାଲିଥିବାବେଳେ ସତର୍କତା ପାଇଁ ମାସ୍କ ପିନ୍ଧିବାକୁ ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ। ଯେହେତୁ ସବୁ ବନ୍ଦ ତେଣୁ ଏହି ଗ୍ରୁପ୍ର ସଂପାଦିକା ଯସ୍ମିନ୍ ମଲ୍ଲିକ ଯୋଜନା କରିଥିଲେ ମାସ୍କ ତିଆରି ପାଇଁ। ଗ୍ରୁପ୍ର ସଭାପତି ହାଲିମା ଖାତୁନ୍ଙ୍କ ସହିତ ଆଲୋଚନା କରି ୪୦ ଜଣ ମହିଳାଙ୍କୁ ଦେଇଥିଲେ କର୍ମନିଯୁକ୍ତି। ମହିଳାମାନେ ଘରେ ଥିବା ବେଳେ ଏମାନେ ମାସ୍କ କପଡା କଟିଂ କରି ସେମାନଙ୍କୁ ଘରକୁ ଘର ବୁଲି ଦେଉଥିଲେ। ମହିଳାମାନେ ସେଗୁଡିକୁ ତିଆରି କରିବା ପରେ ସଂଧ୍ୟାରେ ସେଗୁଡିକୁ ସେମାନଙ୍କଠାରୁ ସଂଗ୍ରହ କରିବା ସହ ସେମାନଙ୍କୁ ଟଙ୍କା ମଧ୍ୟ ଦେଉଥିଲେ। ପ୍ରଥମେ ପ୍ରଥମେ ଦିନକୁ ହାରାହାରି ୧୫୦ ମାସ୍କ ତିଆରି ହେଉଥିଲା। କିନ୍ତୁ ପରେ ଏହି ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଲା। କଟକ ସମେତ କେନ୍ଦ୍ରାପଡା, ଭଦ୍ରକ, ବରଗଡ, ପୁରୀ, ଭୁବନେଶ୍ବର, ଢେଙ୍କାନାଳ, କୋରାପୁଟ ଓ ଜଗତ୍ସିଂହପୁର ଜିଲ୍ଲାର ଏସ୍ଏଚଜି ଗ୍ରୁପ୍କୁ ମାସ୍କ ପ୍ରସ୍ତୁତ କରି ଦେବା ସହ ସେମାନଙ୍କୁ ୧୦ ଲକ୍ଷ ମାସ୍କ ପ୍ରସ୍ତୁତି ପାଇଁ କପଡା ଠାରୁ ଆରମ୍ଭ କରି ସବୁ ସାମଗ୍ରୀ ଦେଇଥିଲେ। କଟନ, ଖଦି, ସମ୍ବଲପୁରୀ କପଡାରେ ମାସ୍କ ପ୍ରସ୍ତୁତ କରିଥିଲେ।
ହାଜିଅଲ୍ଲୀ ପ୍ରଡ୍ୟୁସର ଗ୍ରୁପ୍ର ସଂପାଦିକା ଯସ୍ମିନ୍ ମଲ୍ଲିକଙ୍କ କହିବା ଅନୁସାରେ କରୋନା ସମୟରେ ୪ ଲକ୍ଷ ମାସ୍କ ପ୍ରସ୍ତୁତି କରି ସେମାନେ ୮ଲକ୍ଷ ଟଙ୍କା ରୋଜଗାର କରି ପାରିଛନ୍ତି। ଏଥି ସହିତ କରୋନା ସମୟରେ ୪୦ଜଣ ମହିଳାଙ୍କୁ ନିଯୁକ୍ତି ଦେଇ ପାରି ଖୁବ୍ ଆତ୍ମସନ୍ତୋଷ ଲାଭ କରିଛନ୍ତି। କଟକ ଜିଲ୍ଲାପାଳ ତାଙ୍କୁ ୫୦ ହଜାର ଟଙ୍କାର ଚେକ୍ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବା ତାଙ୍କ ଉତ୍ସାହ ବୃଦ୍ଧି କରିଛି ବୋଲି ଯସ୍ମିନ୍ କହିଛନ୍ତି।
The post କଟକ ମହିଳାଙ୍କ ରେକର୍ଡ: ମାସ୍କ ବିକି ରୋଜଗାର କଲେ ୮ଲକ୍ଷ, ସରକାର ଦେଲେ ୫୦ ହଜାର ଟଙ୍କା ପୁରସ୍କାର first appeared on Sambad.
from ଜିଲ୍ଲା – Sambad https://ift.tt/3qA9xhs
0 Comments