ରାଉରକେଲା : ଟାଙ୍କିରୁ ପାଣି ପଡ଼ି ଅପଚୟ ହେଉଛି କି? ପାଣିର ମାନ ଜାଣିପାରୁନାହାନ୍ତି କି? ଏବେ ଏସବୁର ଆଉ ସମସ୍ୟା ରହିବନି। ବାହାରେ ଥାଇ ବି ପାଣି ଟାଙ୍କି ବନ୍ଦ କରିପାରିବେ। ଏହାକୁ ସମ୍ଭବ କରିଦେଖାଇଛନ୍ତି ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି)ର କିଛି ପୁରାତନ ଛାତ୍ରଛାତ୍ରୀ। ଏନ୍‌ଆଇଟି ଫାଉଣ୍ଡେସନ ଫର୍‌ ଟେକ୍ନୋଲୋଜି ଆଣ୍ଡ୍‌ ବିଜିନେସ୍‌ ଇନ୍‌କ୍ୟୁବେସନ (ଏଫ୍‌ଟିବିଆଇ)ରୁ ସୃଷ୍ଟି ୟାରେଭ୍‌ ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ୍‌ର ୨୦୧୮ ବ୍ୟାଚ୍‌ ବି.ଟେକ୍‌ ଛାତ୍ର ଅଭିନାଶ ଯାଦବ ଏବଂ ରୀୟା ଚୌଧୁରୀଙ୍କ ଏହି କାର୍ଯ୍ୟ ଚର୍ଚ୍ଚାକୁ ଆସିଛି।

କମ୍ପାନିର ପ୍ରଥମ ଉତ୍ପାଦନ ହେଉଛି ‘ୟୋପୋ ମେସିନ’। ଇଣ୍ଟରନେଟ୍‌‌ ଅଫ୍‌ ଥିଙ୍ଗ୍‌ସ(ଆଇଓଟି) ମାଧ୍ୟମରେ ଏହାକୁ ବିକଶିତ କରାଯାଇଥିବାବେଳେ ମୋବାଇଲ ଆପ୍‌ ମାଧ୍ୟମରେ ପରିଚାଳନା କରାଯାଇପାରିବ। ମୋବାଇଲ୍‌ ଆପ୍‌ ମାଧ୍ୟମରେ ଘର ଟାଙ୍କିରେ ପାଣି ଯୋଗାଣ ପ୍ରକ୍ରିୟାକୁ ବନ୍ଦ କିମ୍ବା ଚାଲୁ କରାଯାଇପାରିବ। ସମୟ ନିର୍ଦ୍ଧାରଣ କରି ମଟରକୁ ଆରମ୍ଭ କିମ୍ବା ବନ୍ଦ କରାଯାଇପାରିବ। ଗୋଟିଏ ବିଲ୍ଡିଂରେ ଥିବା ଏକାଧିକ ପାଣି ଟାଙ୍କି ମଧ୍ୟମରେ ସାମଞ୍ଜସ୍ୟ ରଖାଯାଇପାରିବ। ଟାଙ୍କିର ପାଣି ଯଦି ସର୍ବନିମ୍ନ ସ୍ତରକୁ ଆସିଛି, ସେ ନେଇ ମଧ୍ୟ ସତର୍କ କରାଇଦେବ। ଏଥିସହ ଘରର ବିଦ୍ୟୁତ୍‌ ସଂଯୋଗକୁ ବି ନିୟନ୍ତ୍ରଣ କରାଯାଇପାରିବ। ଏସବୁର ସଫଳ ପରୀକ୍ଷଣ ହୋଇସାରିଛି। ତେବେ ପାଣିର ମାନ ପାଇଁ ଉକ୍ତ ମେସିନ୍‌କୁ ବିକଶିତ କରାଯାଉଛି। ଆଗାମୀ ୨/୩ ମାସ ଭିତରେ ଏହି ମେସିନ୍‌କୁ ମାର୍କେଟ୍‌କୁ ଛଡ଼ାଯିବ।

ଏହି କମ୍ପାନି ‘ଅଟୋମେଟିକ ସାନିଟାଇଜର ଡିସ୍‌ପେନସର୍‌’ ମଧ୍ୟ ନିର୍ମାଣ କରିଛି। ଏହି ଡିସ୍‌ପେନସର୍‌ରେ ଗୋଟିଏ ଥର ସାନିଟାଇଜର୍‌ ଭର୍ତ୍ତି କଲେ ପାଖାପାଖି ୨୪ ହଜାର ଥର ବ୍ୟବହାର କରାଯାଇପାରିବ। ଏହି ଦୁଇଟି ମେସିନ ଭଳି ପର୍ଟେବଲ୍‌ ଭିଜିବଲ ଲାଇଟ୍‌ ଫଟୋ ରିଆକ୍ଟର(ପିଭିଏଲ୍‌ପିଆର୍‌) ଓ ଭିଜବଲ ଲାଇଟ୍‌ ଡିସ୍‌ଇନ୍‌ଫେକ୍ସନ ସିଷ୍ଟମ୍‌(ଭିଏଲ୍‌ଡିଏସ୍‌) ମେସିନ ତିଆରି ହେଉଛି। ଭିଏଲ୍‌ଡିଏସ୍‌ ମାଧ୍ୟମରେ ଖାଦ୍ୟ ପୁଡ଼ିଆ, ପନିପରିବା, ଚଟାଣ ଆଦି ସାନିଟାଇଜ୍‌ କରାଯାଇପାରିବ। ‌ପେଟେଣ୍ଟ୍‌ ମିଳିବାପରେ ଏହି ମେସିନ ବଜାରରେ ପ୍ରବେଶ କରିବ।

The post ୨ ଏନ୍‌ଆଇଟି ଛାତ୍ରଙ୍କ ୪ ନୂଆ ଆବିଷ୍କାର : ମୋବାଇଲ୍‌ ଆପ୍‌ରେ ପାଣି ଟାଙ୍କି ନିୟନ୍ତ୍ରଣ first appeared on Sambad.

from ଜିଲ୍ଲା | Sambad https://ift.tt/3rp0vnS