
ହେମଗିର : ଅଧିକ ଜଙ୍ଗଲ ସୃଷ୍ଟି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଜଙ୍ଗଲର ସୁରକ୍ଷା ପାଇଁ ଶହ ଶହ କର୍ମଚାରୀ ନିଯୁକ୍ତ କରାଯିବା ସହ ଗ୍ରାମ୍ୟ ଜଙ୍ଗଲ ସୁରକ୍ଷା କମିଟି ଗଠନ କରାଯାଇଛି। ଏହା ପରେ ମଧ୍ୟ ଗ୍ରୀଷ୍ମଋତୁ ପୂର୍ବ ପତ୍ରଝଡ଼ା ଆରମ୍ଭ ହେଉହେଉ ହେମଗିର ବ୍ଲକର ଅନେକ ସ୍ଥାନରେ ଜଙ୍ଗଲ ଓ ପାହାଡ଼ରେ ନିଆଁ ଲାଗୁଛି। ଫଳରେ ଜଙ୍ଗଲରେ ଥିବା ଔଷଧୀୟ ଗୁଳ୍ମ ସହ ମୂଲ୍ୟବାନ ଗଛ ପୋଡି ନଷ୍ଟ ହେଉଛି। ତା’ସହ ପଶୁପକ୍ଷୀ ଓ ବନ୍ୟଜନ୍ତୁଙ୍କ ଜୀବନହାନି ଘଟୁଛି।
ଏଠାରେ ଜଙ୍ଗଲରେ ନିଆଁ ଲାଗିବାର ଅନେକ କାରଣ ରହିଛି। ସେଥିରୁ କିଛି କାରଣ ମନୁଷ୍ୟକୃତ ହୋଇଥିବାବେଳେ କିଛି ସଚେତନତାର ଅଭାବ କାରଣରୁ ଘଟୁଛି। ମନୁଷ୍ୟକୃତ ଅନେକ କାରଣ ମଧ୍ୟରୁ ମୁଖ୍ୟତଃ ସୁବିଧାରେ ମହୁଲ ଫୁଲ ଗୋଟାଇବାକୁ ଲୋକମାନେ ମହୁଲ ଗଛତଳେ ନିଆଁ ଲଗାଇ ଥାଆନ୍ତି। ସେହିପରି ପାହାଡ଼ରେ ଥିବା ବାଉଁଶ ବୁଦାରୁ ଅଧିକ କରଡି ସଂଗ୍ରହ ପାଇଁ ମଧ୍ୟ ନିଆଁ ଲଗାଇଥାନ୍ତି। ଏହା ଛଡ଼ା ଉନ୍ନତମାନର କେନ୍ଦୁପତ୍ର ପାଇଁ ଜଙ୍ଗଲ ବିଭାଗ ଅଧିନରେ ଥିବା କେନ୍ଦୁପତ୍ର ଶାଖା ବିଭାଗ ନିଆଁ ଲଗାଇ ଦେଉଥିବା ମଧ୍ୟ ଆଲୋଚନା ହୋଇଥାଏ। ଶିକାର ପାଇଁ ମଧ୍ୟ ନିଆଁ ଲାଗୁଛି। ଶିକାରୀମାନେ ଜଙ୍ଗଲରେ ତିନି ପଟରୁ ନିଆଁ ଲଗାଇ ଗୋଟିଏ ପଟରେ ରହି ବନ୍ୟଜନ୍ତୁ ଶିକାର କରିଥାଆନ୍ତି। ମହୁଲ ଫୁଲ ସଂଗ୍ରହକାରୀ ମହୁଲ ଗଛ ତଳେ ନିଆଁ ଲଗାଇବାରୁଏହି ନିଆଁ ପରେ ସାରା ଜଙ୍ଗଲରେ ବ୍ୟାପି ଯାଉଛି। ଜଙ୍ଗଲରେ ଥିବା ବାଉଁଶ ବୁଦାରେ ନିଆଁ ଲଗାଇଲେ ବର୍ଷାଋତୁରେ ବୁଦାରୁ ଅଧିକ ସଂଖ୍ୟାରେ ବାଉଁଶ ପୁଆ(ଗଛ) ବାହାରିଥାଏ। ତେଣୁ ବାଉଁଶ ଗଛରୁ କରଡି ସଂଗ୍ରହ କରୁଥିବା ଓ ହେଣ୍ଡୁଆ ତିଆରି କରୁଥିବା ଲୋକେ ବାଉଁଶ ବୁଦାରେ ନିଆଁ ଲଗାଇଥାନ୍ତି।
ନିଆଁରେ ପୋଡୁଥିବା କେନ୍ଦୁ ଗଛରୁ ଉନ୍ନତ ମାନର ପତଳା ତଥା ବଡ଼ ବଡ଼ ପତ୍ର ବାହାରିଥାଏ। ଯାହାକୁ କ୍ବିଣ୍ଟାଲ ପିଛା ୧୨ରୁ ୧୫ ହଜାର ଟଙ୍କାରେ ବିକ୍ରି କରାଯାଇଥାଏ। ଗୋଛାକଟା ବୁଦାରୁ ୧୦ ରୁ ୧୫ ପତ୍ର ବାହାରୁଥିବାବେଳେ ପୋଡିଥିବା ବୁଦାରୁ ୧୫ରୁ ୨୫ ପର୍ଯ୍ୟନ୍ତ ପତ୍ର ବାହାରିଥାଏ। ବିଭାଗକୁ ଗୋଛାକଟା ପାଇଁ ଆସୁଥିବା ଅନୁଦାନର ମାତ୍ର ୨୦/୩୦ ଭାଗ ଖର୍ଚ୍ଚ କରାଯାଇ ବାକିତକ ଜଙ୍ଗଲରେ ନିଆଁ ଲଗାଇ ଅର୍ଥ ହଡପ କରାଯାଉଥିବା ବାରମ୍ବାର ଅଭିଯୋଗ ହୋଇଥାଏ। ହେମଗିର ବ୍ଲକ ଅଞ୍ଚଳରେ ୧୨,୦୦୦ ହେକ୍ଟର ଜଙ୍ଗଲ ପରିମିତ ହେମଗିର ଓ ଗୋପାଳପୁର ଦୁଇଟି ବନାଞ୍ଚଳ ରହିଛି। ସେଥିରୁ ଦୁଇଟି ଯାକ ରେଞ୍ଜକୁ ମିଶାଇ ୩୮ଟି ସଂରକ୍ଷିତ ଜଙ୍ଗଲ, ୧୧ଟି ପିଆର୍ଏଫ୍ ଏବଂ ୩୪ ଟି ଡିପିଏଫ୍ ଅଛି। ଏହାକୁ ୯ଟି ସେକ୍ସନ ଓ ୩୭ଟି ବିଟ୍ରେ ବିଭକ୍ତ କରାଯାଇଛି। ସୁରକ୍ଷା ପାଇଁ ବିଭାଗୀୟ କର୍ମଚାରୀଙ୍କ ସମେତ ୯୩ଟି ବନ ସୁରକ୍ଷା ସମିତି ମଧ୍ୟ ରହିଛି। ବିଭାଗୀୟ ସୂଚନା ଅନୁସାରେ, ବର୍ତ୍ତମାନସୁଦ୍ଧା ଅଞ୍ଚଳରେ ମୋଟ୍ ୨୦୭ଟି ଫାୟାର୍ ପଏଣ୍ଟ ଚିହ୍ନଟ କରାଯାଇଛି। ନିଆଁଲିଭା ପାଇଁ ୨୨ଟି ନିଆଁଲିଭା ଯନ୍ତ୍ର ସହ ୬୦ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ବର୍ତ୍ତମାନ ମୋଟାମୋଟି ଭାବେ ଜଙ୍ଗଲ ନିଆଁ ନିୟନ୍ତ୍ରଣରେ ରହିଥିଲେ ମଧ୍ୟ ପ୍ରତିଦିନ କେଉଁଠି ନା କେଉଁଠି ଜଙ୍ଗଲରେ ନିଆଁ ଲାଗୁଥିବା ଦେଖାଦେଇଛି। ଗାଁମାନଙ୍କରେ ସଚେତନତା ଅଭିଯାନକୁ ଆହୁରି ସକ୍ରିୟ କରାଗଲେ ସୁଫଳ ମିଳିବାର ଆଶା ରହିଛି।
The post କେନ୍ଦୁପତ୍ର, କରଡି, ମହୁଲ ଓ ଶିକାର ପାଇଁ ଜଙ୍ଗଲ ଓ ପାହାଡ଼ରେ ଲାଗୁଛି ନିଆଁ first appeared on Sambad.from ଜିଲ୍ଲା | Sambad https://ift.tt/3syqKcT
0 Comments