
ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବା ମା ତାରାତାରିଣୀଙ୍କ ଶକ୍ତିପୀଠରେ ଆଜିଠୁ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ ହୋଇଛି। ପ୍ରଥମ ପାଳିରେ କୋଭିଡ୍ କଟକଣା ସତ୍ତ୍ବେ ୨ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଗତବର୍ଷ କରୋନା ମହାମାରୀ ଯୋଗୁଁ ଯାତ୍ରାକୁ ପ୍ରଥମ ପାଳି ପରେ ବନ୍ଦ କରିଦିଆ ଯାଇଥିଲା। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବି ମାଙ୍କ ଦର୍ଶନ କରି ଜିଲ୍ଲାବାସୀଙ୍କ ପାଇଁ ଶୁଭ ମନାସିଥିଲେ। ଏହାସହିତ ଶାନ୍ତିଶୃଙ୍ଖଳାରେ ପ୍ରଥମ ପାଳି ଯାତ୍ରା ସଂପନ୍ନ ହୋଇଥିବା ଜଣାପଡ଼ିଛି।
ଯାତ୍ରା ଲାଗି ବିଳମ୍ବିତ ରାତି ସାଢ଼େ ୨ଟାରୁ ହିଁ ଦ୍ବାରଫିଟା ନୀତି ଆରମ୍ଭ କରାଯାଇଥିଲା। ଏହାପରେ ମଙ୍ଗଳ ଆଳତି, ଅବକାଶ ନୀତି, ମାଜଣା, ଅଭିଷେକ ଓ ଶୃଙ୍ଗାର ନୀତି ଶେଷ ହୋଇଥିଲା। ଭୋର୍ ୪ଟାରୁ ମାନସିକଧାରୀ ପିଲାଙ୍କ ମୁଣ୍ଡନ ସାରି ଦର୍ଶନ ପାଇଁ ଧାଡ଼ିରେ ଅପେକ୍ଷା କରିଥିଲେ। ଭୋର୍ ୫ଟା ୪୦ରେ ମା ତାରାତାରିଣୀ ‘ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ।
ଗତକାଲି ୯୫ଜଣ ସେବାୟତଙ୍କ ଆଣ୍ଟିଜେନ୍ ଟେଷ୍ଟ୍ କରା ଯାଇଥିବା ବେଳେ ସେମାନେ ସମସ୍ତେ ରୀତିନୀତି ସଂପାଦନ କରିଥିଲେ। ଭିଡ଼ ନିୟନ୍ତ୍ରଣ ଲାଗି ସିଂହଦ୍ବାର ଦେଇ ମନ୍ଦିର ତଥା ହିଲଟପ୍କୁ ସଂଯୋଗ କରୁଥିବା ୯୯୯ ପାହାଚ ରାସ୍ତାକୁ ବନ୍ଦ କରିଦିଆ ଯାଇଥିଲା। ୧୦ଟି ବସ୍ରେ ମନ୍ଦିର ଉପରକୁ ଯିବା ଲାଗି ବ୍ୟବସ୍ଥା ହୋଇଥିଲା। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭକ୍ତ ହିଲ୍ଟପ୍କୁ ଯାଇ ମାଙ୍କ ଦର୍ଶନ କରିଥିଲେ। ତେବେ ଭିଡ଼ ଭିତରେ କେହି ବି କୋଭିଡ୍ କଟକଣାକୁ ମାନି ନଥିଲେ।
The post ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ, ମହାକାଳୀ ବେଶରେ ଦର୍ଶନ ଦେଲେ ସଙ୍କଟହାରିଣୀ first appeared on Sambad.from ଜିଲ୍ଲା | Sambad https://ift.tt/2PmsSWP
0 Comments