
କଟକ: ସିଏମସି ପକ୍ଷରୁ ବିନା ଶୌଚାଳୟ ଓ ପାଣି ବ୍ୟବସ୍ଥାରେ ବସ୍ତି ବାସିନ୍ଦାଙ୍କୁ ଓଏମପି ୬ଷ୍ଠ ବାଟାଲିୟାନ ପରିସରରେ ଥଇଥାନ କରାଗଲା। ଚାଉଳିଆଗଞ୍ଚ ଥାନା ଅଧିନସ୍ଥ ନୀଳକଣ୍ଠେଶ୍ବର, ବ୍ରହ୍ମପୁର ଓ ନୂଆ ନିମସାହିର ୧୪୦ ପରିବାରଙ୍କୁ ଅସ୍ଥାୟୀ କ୍ୟାମ୍ପରେ ରଖାଯାଇଛି। ସକାଳ ୬ଟାରୁ ବସ୍ତିବାସିନ୍ଦାଙ୍କ ସେଠାରେ ରଖାଯାଇଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ୫ ପ୍ଲାଟୁନ୍ ଫୋର୍ସଙ୍କ ସହିତ ୫ଜଣ ଆଇଆଇସି ଓ ଜଣେ ଆଡସିନାଲ ଏସ୍ପି ନିୟୋଜିତ ଅଛନ୍ତି। ବସ୍ତିବାସିନ୍ଦାଙ୍କୁ ଏଠାରେ ଆଜି ଥଇଥାନ କରାଯାଇ ଥିବା ବେଳେ ସେମାନଙ୍କ ପାଇଁ ଶୌଚାଳୟ କିମ୍ବା ପାଣିର ବ୍ୟବସ୍ଥା କରାଯାଇ ନଥିବାର ଦେଖିବାକୁ ମିଳିଛି। ବସ୍ତି ବାସିନ୍ଦାଙ୍କ ପାଇଁ ନିର୍ମାଣ କରାଯାଉଥିବା ଶୌଚାଳୟ ଗୁଡିକ ସଂପୂର୍ଣ୍ଣ ହୋଇ ନଥିବା ବେଳେ ପାଣିର ବ୍ୟବସ୍ଥା କରାଯାଇ ନାହିଁ। ବସ୍ତି ବାସିନ୍ଦାଙ୍କୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଉଥିବା ବେଳେ ଅପରାହ୍ନରେ ପ୍ରଶାସନ ପକ୍ଷରୁ ଖାଦ୍ୟର ବ୍ୟବସ୍ଥା ବହୁ ବିଳମ୍ବରେ କରାଯିବାକୁ ନେଇ ବସ୍ତିବାସିନ୍ଦାଙ୍କ ମଧ୍ୟରେ ଅସେନ୍ତାଷ ପ୍ରକାଶ ପାଇଥିଲା।
ବସ୍ତିବାସିନ୍ଦାଙ୍କ ଥଇଥାନ କାର୍ଯ୍ୟକ୍ରମକୁ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଅନିଲ କୁମାର ସାମଲ, ସିଏମସି କମିସନର ଅନନ୍ୟା ଦାସ ଓ ଅନ୍ୟ ଅଧିକାରୀ ଅପରାହ୍ନ ସମୟରେ ବୁଲି ଦେଖିଥିଲେ। ବସ୍ତି ବାସିନ୍ଦାଙ୍କ ପାଇଁ ୮ ଫୁଟରେ ୮ଫୁଟର କପଡାରେ ଟେଣ୍ଟ୍ ପ୍ରସ୍ତୁତ କରାଯାଇଛି। ତେବେ ବିନା ପାଣି ଓ ଶୌଚାଳୟରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଥଇଥାନ ପୂର୍ବରୁ ସକାଳ ୬ଟାରେ ଡିସିପି ପ୍ରତୀକ ସିଂ ସାଇକେଲରେ ଆସି ସ୍ଥିତିର ଅନୁଧ୍ୟାନ କରିଥିଲେ। ୬ଷ୍ଠ ବାଟାଲିୟନ ପରିସରରେ ବସ୍ତି ଥଇଥାନକୁ ନେଇ ଯାହା ସମସ୍ୟା ରହିିଛି ତାହା ଜିଲ୍ଲାପାଳଙ୍କ ମାଧ୍ୟମରେ ସମାଧାନ କରିବାକୁ କୋର୍ଟ ରାୟ ଶୁଣାଇଛନ୍ତି। ଥଇଥାନ କାର୍ଯ୍ୟକ୍ରମରେ କୌଣସି ବିଶୃଙ୍ଖଳାଙ୍କୁ ବରଦାସ୍ତ କରାଯିବ ନାହିଁ ବୋଲି ଡିସିପି ଶ୍ରୀ ସିଂହ କହିଛନ୍ତି।
The post ୬ଷ୍ଠ ବାଟାଲିୟନରେ ବସ୍ତିବାସିନ୍ଦାଙ୍କୁ ଥଇଥାନ; ବିନା ପାଣି ଓ ଶୌଚାଳୟରେ ୧୪୦ ପରିବାରକୁ ରଖିଲା ସିଏମ୍ସି first appeared on Sambad.from ଜିଲ୍ଲା | Sambad https://ift.tt/30SChYl
0 Comments