
କଟକ: ସହରବାସୀଙ୍କୁ ଜାଇକା ଯନ୍ତ୍ରଣାରୁ ମିଳୁ ନାହିଁ ତ୍ରାହି। ବର୍ଷ ବର୍ଷ ଧରି ସହରବାସୀ ଜାଇକା କାମକୁ ନେଇ ଘାଣ୍ଟି ହେଉଛନ୍ତି। କେଉଁଠି ଦୀର୍ଘଦିନ ଧରି ଜାଇକାର ଅଧା କାମ ସେମିତି ପଡ଼ିରହିଥିବା ବେଳେ ଆଉ କେଉଁଠି ଜାଇକା ପ୍ରକଳ୍ପ ଯୋଗୁଁ ଲୋକେ ଘରୁ ବହାରି ପାରୁ ନାହାନ୍ତି। ଏବେ ମହାନଗର ନିଗମ ୩୦ ନମ୍ବର ୱାର୍ଡ ବାମ୍ଫିସାହିର ଦୁଇ ମୁଖ୍ୟରାସ୍ତାର ପ୍ରବେଶପଥ ଜାଇକା କାମ ଯୋଗୁଁ ବନ୍ଦ ହୋଇଯାଇଛି। ସାହିର ଦୁଇ ମୁଖ୍ୟରାସ୍ତା ଏକମାସରୁ ଅଧିକ ସମୟ ଧରି ବନ୍ଦ ଥିବାରୁ ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ଯାତାୟାତ କରିବାରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଏକ ସମୟରେ ୨ଟି ମୁଖ୍ୟରାସ୍ତାର ପ୍ରବେଶପଥରେ କାମ ନ କରିବାକୁ ସାହିବାସିନ୍ଦାମାନେ କହିଥିବାବେଳେ ଜାଇକା ପକ୍ଷରୁ ଏହାକୁ ଗୁରୁତ୍ବ ଦିଆଯାଇ ନଥିବା ସାହି ବାସିନ୍ଦା ଅଭିଯୋଗ କରିଛନ୍ତି। ସହରରେ ୨୦୧୨ରୁ ଜାଇକା ପ୍ରକଳ୍ପ ଆରମ୍ଭ ହୋଇଥିବାବେଳେ ଏହା ୯ବର୍ଷ ମଧ୍ୟରେ ଶେଷ ହୋଇ ପାରିଲା ନାହିଁ। କାମକୁ ନେଇ ସହର ମଧ୍ୟରେ ଅନେକ ଦୁର୍ଘଟଣା ଘଟୁଥିବା ବେଳେ ଏଥିରୁ ସାଧାରଣ ଲୋକଙ୍କ କେବେ ନିସ୍ତାର ମିଳିବ ତା’ ଉତ୍ତର କାହାରି ନିକଟରେ ନାହିଁ। ସିଏମ୍ସି ୩୦ ନମ୍ବର ୱାର୍ଡର ବାମ୍ଫିସାହିରେ ଗତ ଦୁଇମାସ ହେବ ଜାଇକା କାମ କରୁଥିବା ବେଳେ ଏଥିରେ ସାହିର ଦୁଇଟି ମୁଖ୍ୟରାସ୍ତାର ପ୍ରବେଶ ପଥ ବନ୍ଦ ହୋଇଯାଇଛି।
ବାମ୍ଫିସାହିରୁ ତେଲେଙ୍ଗାବଜାର ଓ ବଙ୍ଗାଳିସାହିକୁ ସଂଯୋଗ କରୁଥିବା ଦୁଇ ମୁଖ୍ୟରାସ୍ତାର ପ୍ରବେଶ ପଥରେ ଜାଇକା ଚ୍ୟାମ୍ବର ଓ ପାଇପ ବିଛା କାମ କରୁଛି। ଦୀର୍ଘଦିନ ଧରି କାମ ଚାଲିଥିବା ବେଳେ ସାହି ବାସିନ୍ଦା ଚଳପ୍ରଚଳ କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସାହିର ୬ଶହରୁ ଅଧିକ ପରିବାରଙ୍କୁ ବଙ୍ଗାଳିସାହି ଯିବାକୁ ହେଲେ ଝୋଲାସାହି ଓ ଭଗତପୁର ଦେଇ ଯିବାକୁ ପଡୁଛି। ସେହିପରି ତେଲେଙ୍ଗାବଜାର ଯିବାକୁ ହେଲେ ବୃନ୍ଦାବତୀଛକ ଦେଇ ଯିବାକୁ ହେଉଛି। ଯାତାୟାତରେ ସମସ୍ୟା ହେଉଥିବା ବେଳେ ଏବେ କୌଣସି ଦୁର୍ଘଟଣା ଘଟିଲେ ସାହି ଭିତରକୁ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡି ଆସିପାରିବ ନାହିଁ ବୋଲି ସାହି ବାସିନ୍ଦା କହିଛନ୍ତି।
ଏକ ସମୟରେ ଦୁଇ ପ୍ରବେଶପଥରେ କାମ ନକରିବାକୁ ଅଞ୍ଚଳବାସୀ ଜାଇକାକୁ କହିଥିଲେ ବି ଜାଇକା ସେମାନଙ୍କ କଥାକୁ ଗୁରୁତ୍ବ ଦେଇ ନଥିବା ଅଭିଯୋଗ ହୋଇଛି। ସାହିରେ ବହୁସଂଖ୍ୟାରେ ଯାଦବ ସଂପ୍ରଦାୟର ଲୋକେ ରହୁଥିବା ବେଳେ ଦୋଳ ପୂର୍ଣ୍ଣିମା ପୂର୍ବରୁ କାମ ଶେଷ କରିବାକୁ ସାଧାରଣରେ ଦାବି ହୋଇଛି।
The post କେବେ ଶେଷ ହେବ ଜାଇକା ଯନ୍ତ୍ରଣା? ବାମ୍ଫିସାହିର ୨ ମୁଖ୍ୟ ରାସ୍ତା ଦୁଇ ମାସ ଧରି ବନ୍ଦ first appeared on Sambad.from ଜିଲ୍ଲା | Sambad https://ift.tt/3qRVvrH
0 Comments