
ପୁରୀ : ଶ୍ରୀମନ୍ଦିରକୁ ବିଭିନ୍ନ ସମୟରେ ମିଳିଥିବା ଅଳଙ୍କାରକୁ ଆଜି କଡ଼ା ସୁରକ୍ଷା ମଧ୍ୟରେ ନାଜିରଖାନାରୁ ଶ୍ରୀମନ୍ଦିର ଭଣ୍ଡାର ଘରକୁ ନିଆଯାଇଛି। ଦୀର୍ଘଦିନ ହେଲା ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିର ନାଜିରଖାନାରେ ପୁଲିସ୍ର କଡ଼ା ପହରା ମଧ୍ୟରେ ଏସବୁକୁ ରଖିଥିଲା।
ଶ୍ରୀମନ୍ଦିର ଭଣ୍ଡାର ମେକାପଙ୍କ ସହ ଆଲୋଚନା ପରେ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ପରାମର୍ଶ କ୍ରମେ ଆଜି ଏହାକୁ ଭଣ୍ଡାର ଘରକୁ ନିଆଯାଇଛି। ବସନ୍ତ ପଞ୍ଚମୀରେ ମହାପ୍ରଭୁଙ୍କ ରଥ କାଠ ଅନୁକୂଳ ଦିନ ଜଣେ ଦାତା ଆନୁମାନିକ ୨ କୋଟି ୭୫ ଲକ୍ଷ ଟଙ୍କାର ସୁନା ଓ ରୁପା ଅଳଙ୍କାର ଦାନ କରିଥିଲେ। ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିର ନାଜିର ଗୋଦାମ ଗୃହରେ ଏହାକୁ ଜଉମୁଦ ଦେଇ ରଖିଥିଲା। ସେହିଭଳି ଜାନୁଆରି ୩ ରେ ଜଣେ ଭକ୍ତ ୨୧ କେଜି ରୁପା ପ୍ରଦାନ କରିଥିଲେ। ଏହାବ୍ୟତୀତ ଜଣେ ଭକ୍ତ ଦୁଇଟି ଖଡ଼ୁ ପ୍ରଦାନ କରିଥିଲେ। ଦୀର୍ଘଦିନ ହେଲା ଏହାକୁ ନାଜିରଖାନାରେ ଜଉମୁଦ ଦେଇ ଷ୍ଟ୍ରଙ୍ଗରୁମ୍ରେ ରଖାଯାଇଥିଲା।
ସମସ୍ତ ଅଳଙ୍କାରକୁ ଆଜି ଅପରାହ୍ଣରେ ଶ୍ରୀମନ୍ଦିରକୁ ନିଆଯିବା ସହ ଭଣ୍ଡାର ମେକାପ ସେବାୟତଙ୍କୁ ମଣତି କରାଯାଇଛି। ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ କହିଛନ୍ତି, ଯେଉଁମାନେ ଦାନ କରିବାକୁ ଇଚ୍ଛୁକ ସେମାନଙ୍କୁ ଆଗରୁ ପ୍ରସ୍ତୁତ ଥିବା ଡିଜାଇନ୍ ପ୍ରଦାନ କରାଯାଇଥାଏ। ଦାତାମାନେ ସେହି ମାପରେ ଅଳଙ୍କାର ପ୍ରସ୍ତୁତ କରି ଦାନ ସୂତ୍ରରେ ଦେଇଥାଆନ୍ତି।
The post ନାଜିରଖାନାରୁ ଗଲା ଶ୍ରୀମନ୍ଦିର ଭଣ୍ଡାର ଘର first appeared on Sambad.
from ଜିଲ୍ଲା – Sambad https://ift.tt/3el8OhV
0 Comments