
ଗଞ୍ଜାମ :ମଦ ମଣିଷକୁ ବିପଥଗାମୀ କରେ। ମଦନିଶାରେ ହିତାହିତ ଜ୍ଞାନ ଭୁଲି କେହି କେହି ନିଜ ସମ୍ପର୍କୀୟ କିମ୍ବା ସାଙ୍ଗସାଥୀଙ୍କୁ ହତ୍ୟା କରିବାକୁ ମଧ୍ୟ ପଛାଉ ନଥିବା ବହୁ ନଜିର ରହିଛି। ସେହିପରି ଦେଶୀମଦ ଭାଗ ବଣ୍ଟାବେଳେ ଅଧିକ ୨ପ୍ୟାକେଟ ମଦ ପିଇଦେବାରୁ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଛି। ଗଞ୍ଜାମ ବ୍ଲକ୍ ଅଧୀନ ହୁମ୍ମା ଗ୍ରାମରେ ଏପରି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ହେଲେ ହୁମ୍ମା ବଡ଼ସାହିର ଦଣ୍ଡପାଣି ବିଶ୍ବାଳ(୪୯) ।
ଦଣ୍ଡପାଣି ଗତକାଲି ରାତି ପ୍ରାୟ ୧୦ଟା ୩୦ରେ ନିଜ ଘର ବାରଣ୍ଡାରେ ବସିଥିଲେ। ଏ ସମୟରେ ଉକ୍ତ ଗ୍ରାମର ତିନି ଜଣ ଯୁବକ ତାଙ୍କୁ ପୁଣି ଥରେ ମଦ ପିଇବା ପାଇଁ କାଉଣ୍ଟର୍କୁ ଡାକି ନେଇଥିଲେ। ସମ୍ପୃକ୍ତ ଯୁବକମାନେ ମଧ୍ୟ ନିଶାସକ୍ତ ଅବସ୍ଥାରେ ଥିଲେ। ସେମାନେ ମଦ ଦୋକାନରୁ୧୩ଟି ମଦ ପ୍ୟାକେଟ୍ କିଣି ସ୍ଥାନୀୟ କେଉଟ ସାହି ପାଖରେ ପିଇଥିଲେ। ଦଣ୍ଡପାଣି ଅଧିକ ୨ ପ୍ୟାକେଟ୍ ମଦ ପିଇ ଦେବାରୁ ଅନ୍ୟମାନେ ତାଙ୍କ ସହ ବଚସା କରିଥିଲେ। ଏହି ସମୟରେ ନିଶାସକ୍ତ ଅବସ୍ଥାରେ ଥିବା କେଉଟ ସାହିର ଦଣ୍ଡ ରେଡ଼ି ପ୍ରଥମେ ଦଣ୍ଡପାଣିଙ୍କ ମୁଁହକୁ ମୁଥ ମାରି ତଳେ ପକାଇ ଦେଇଥିଲେ। ପରେ ୩ ଜଣ ଯୁବକ ମିଶି ଇଟା ଓ ଏକ ଝାଉଁ ବାଡ଼ିରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଦଣ୍ଡପାଣିଙ୍କ ମୃତ୍ୟୁ ହୋଇଥିଲା।
ପରିବାର ଲୋକ ତଥା ସାହି ଲୋକଙ୍କ ବୟାନକୁ ଆଧାର କରି ରମ୍ଭା ଥାନାଧିକାରୀ କୃଷ୍ଣଚନ୍ଦ୍ର ସେଠୀ ସଦଳବଳ କେଉଟ ସାହିରେ ଚଢ଼ଉ କରି ଲୁଚି ରହିଥିବା ଦଣ୍ଡ ରେଡ଼ିକୁ ଗିରଫ କରିଥିଲେ। ତେବେ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର୍ ହୋଇଯାଇଥିଲେ। ତେବେ ତଦନ୍ତରେ ବଧା ଉପୁଜିବା ଆଶଙ୍କା ଥିବାରୁ ପୁଲିସ ଅନ୍ୟ ୨ ଅଭିଯୁକ୍ତଙ୍କ ନାମ ପ୍ରକାଶ କରିନାହିଁ। ଦଣ୍ଡପାଣିଙ୍କ ପୁଅଙ୍କ ଏତଲା ଆଧାରରେ ହୁମ୍ମା ଫାଣ୍ଡିରେ ୩ ଯୁବକଙ୍କ ନାଁରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
The post ଅଧିକ ୨ ପ୍ୟାକେଟ୍ ମଦ ପିଇ ଦେବାରୁ ହତ୍ୟା : ଜଣେ ଗିରଫ, ଅନ୍ୟ ୨ ଅଭିଯୁକ୍ତ ଫେରାର୍ first appeared on Sambad.
from ଜିଲ୍ଲା – Sambad https://ift.tt/3uLYR2A
0 Comments