ରାଉରକେଲା : ଭୂତ କାର୍ଡ ପରେ ଯୋଗାଣ ବିଭାଗର ଆଉ ଏକ କେଳେଙ୍କାରୀ ସାମ୍ନାକୁ ଆସିଛି। ଜାଲ୍‌ ଆଧାର ନମ୍ବର ସହାୟତାରେ ଉଠାଯାଉଛି ଟନ୍‌ ଟନ୍‌ ଚାଉଳ, ଗହମ। ବସ୍ତିରେ ରହୁଥିବା ହିତାଧିକାରୀଙ୍କ କାର୍ଡରେ ଚାଲିଛି ଏସବୁ ଗୋଲକଧନ୍ଦା। ଯେଉଁ ହିତାଧିକାରୀ କାର୍ଡରେ ୨ ଜଣ ସଦସ୍ୟ ଅଛନ୍ତି, ସେମାନଙ୍କ କାର୍ଡରେ ଆଉ ୪ ଜଣ ଜାଲ୍‌ ଲୋକଙ୍କ ନାମ ଯୋଡି ଦିଆଯାଉଛି। ଯୋଡା ଯାଉଥିବା ଏସବୁ ଜାଲି ଲୋକଙ୍କ ନାମ କିନ୍ତୁ ଅସିଲ କାର୍ଡରେ ରହୁନି। ଧରା ନ ପଡିବାକୁ ଦାୟିତ୍ବରେ ଥିବା ଯୋଗାଣ ବିଭାଗର କିଛି କରିତକର୍ମା ଅଧିକାରୀ କମ୍ପୁଟର ଏସବୁ ଜାଲ୍‌ ଲୋକଙ୍କ ନାମ ଯୋଡି ଦେଉଛନ୍ତି। ସେହି ଅନୁଯାୟୀ କଣ୍ଟ୍ରୋଲ ଦୋକାନୀ ମାସକୁ ମାସକ ଚାଉଳ, ଗହମ, କିରାସିନ ଉଠାଉଛନ୍ତି।

ଜାଲ୍‌ ଲୋକଙ୍କ ନାଁରେ ମାସକୁ ମାସ ଉଠୁଥିବା ଟନ୍‌ ଟନ୍‌ ଚାଉଳ, ଗହମ ଚଳୁ ଉଭୟ କଣ୍ଟ୍ରୋଲ ଦୋକାନୀ ଓ ଦାୟିତ୍ବରେ ଥିବା ଯୋଗାଣ ବିଭାଗର ଅଧିକାରୀ ମିଳି ମିଶି ଚଳୁ କରୁଛନ୍ତି। ଏପରି ବେଆଇନ କାମରେ ମାହିର ଅଛନ୍ତି କିଛି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ କିଛି କଣ୍ଟ୍ରୋଲ ଦୋକାନୀ। ଯେଉଁ ଏସ୍‌ଏସ୍‌ଜି ଓ କଣ୍ଟ୍ରୋଲ ଦୋକାନୀଙ୍କ ପାଖରେ ୫୦୦ରୁ ୧୦୦୦ ପର୍ଯ୍ୟନ୍ତ କାର୍ଡ ଅଛି, ସେମାନେ ଏଭଳି କାମ କରୁଛନ୍ତି। ଭୂତ କାର୍ଡ ବହୁ ପୂର୍ବରୁ ଏଭଳି ଗୋଲକଧନ୍ଦା ଚାଲି ଆସିଛି। ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଅଧୀନରେ ମୋଟ ୧୬୮ଟି ଏସ୍‌ଏସ୍‌ଜି ଓ କଣ୍ଟ୍ରୋଲ ଦୋକାନୀଙ୍କ ମଧ୍ୟରୁ ପ୍ରାୟ ୨୦% ଏମିତି କାମ କରୁଥିବା ଅଭିଯୋଗ ହେଉଛି। ପାଖାପାଖି ୫ ହଜାର ଜାଲ୍‌ ଲୋକଙ୍କ ନାଁରେ ମାସକୁ ପ୍ରାୟ ୨୫୦ କ୍ବିଣ୍ଟାଲ ଚାଉଳ, ଗହମ ଉଠୁଛି। ଏ ବାବଦ ଅର୍ଥ ପ୍ରାୟ ୫ ଲକ୍ଷ ଟଙ୍କା ସମ୍ପୃ୍କ୍ତ ଏସ୍‌ଏସ୍‌ଜି, କଣ୍ଟ୍ରୋଲ ଦୋକାନୀ ଓ ଯୋଗାଣ ବିଭାଗ ଅଧିକାରୀଙ୍କ ପକେଟକୁ ଯାଉଛି। ପୂର୍ବରୁ ଯୋଗାଣ ବିଭାଗର ଭୂତ କାର୍ଡ ଦୁର୍ନୀତି ବିବାଦରେ ଛନ୍ଦି ହୋଇ ପଡିଥିବା ସହକାରୀ ‌ଯୋଗାଣ ଅଧିକାରୀ, ଦୁଇଜଣ ମାର୍କେଟିଂ ଇନ୍ସେପକ୍ଟରଙ୍କୁ ରାଉରକେଲାରୁ ଅନ୍ୟତ୍ର ବଦଳି ହୋବକୁ ପଡିଥିଲା। ବାସ୍ତବରେ ଯେଉଁମାନେ ଏଭଳି କାମ କରୁଛନ୍ତି ସେମାନେ କିଛି ଆସନ ମାଡି ବସିଛନ୍ତି। ସେମାନଙ୍କୁ ବଦଳି ନ କରିବା ପଛରେ ନିଶ୍ଚିତ ଭାବେ ମନ୍ଦ ଉଦ୍ଦେଶ୍ୟ ରହିଥିବା ବାରି ହୋଇ ପଡୁଛି। ତେବେ କେଉଁ କାର୍ଡର କେତେ ଜାଲ୍‌ ଆଧାର ନମ୍ବର, ଜାଲ୍‌ ଲୋକ ଅଛନ୍ତି ସଠିକ୍‌ ତଦନ୍ତ କରାଗଲେ ଯୋଗାଣ ବିଭାଗରେ ବର୍ଷ ବର୍ଷ ଧରି ଚାଲିଥିବା ଆଉ ଏକ ଦୁର୍ନୀତିର ପର୍ଦ୍ଦାଫାସ ‌ହୋଇପାରନ୍ତା।

କେବଳ ରାଉରକେଲା ସହର ନୁହେଁ ସୁନ୍ଦରଗଡ ଜିଲ୍ଲାର ପ୍ରତ୍ୟେକ ବ୍ଲକର ଅନୁରୂପ ଜାଲିଆତି ଚାଲିଥିବା ମଧ୍ୟ ଅଭିଯୋଗ ହେଉଛି। ନିକଟରେ ସେକ୍ଟର-୫ ଏକ କଣ୍ଟ୍ରୋଲ ଦୋକାନ ଉପରେ ଯୋଗଣ ବିଭାଗ ଚଢ଼ଉ କରିଥିଲା। ଇସ୍ପାତ ମାର୍କେଟକୁ ବିକ୍ରି କରିବାକୁ ନେଇଥିବା ଚାଉଳ, ଗହମ ଜବତ କରିଥିଲା। କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କର ଲାଇସେନ୍ସ ବାତିଲ କରିବାକୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ସୁପାରିଶ କରାଯାଇଥିଲା। ଏବେ ସମ୍ପୃ୍କ୍ତ କଣ୍ଟ୍ରୋଲ ଦୋକାନୀଙ୍କୁ ପୁନଃ ଥଇଥାନ କରିବାକୁ ଚାଲିଛି ଭିତରି ସଲୁସୁତୁର। କେବଳ ଏତିକି ନୁହେଁ, କଣ୍ଟ୍ରୋଲ ଦୋକାନୀଙ୍କ ଲାଇସେନ୍ସ ନବୀକରଣ ପାଇଁ ଦାୟିତ୍ବରେ ସମାନ ଲୁଟ୍‌। ବିଭାଗୀୟ ଅଧିକାରୀ ନେଉଛନ୍ତି ହଜାର ଟଙ୍କା ହାତଗୁଞ୍ଜା । ଯେଉଁମାନେ ଦେବାକୁ ଅମଙ୍ଗ ହେଉଛନ୍ତି, ସେମାନଙ୍କୁ ବିଭିନ୍ନ ବାଟରେ ହଇରାଣ ହରକତ କରାଯାଉଛି।

ଉଲ୍ଲେଖ୍ୟଯୋଗ୍ୟ, ମହାମାରୀ କରୋନା ଯୋଗାଣ ବିଭାଗରେ ବର୍ଷ ବର୍ଷ ଧରି ଚାଲିଥିବା ଏପରି ସାଙ୍ଘାତିକ ଦୁର୍ନୀତିର ଗୁମର ଖୋଲିଛି। ମହାମାରୀ କରୋନା ସମୟରେ ହିତାଧିକାରୀଙ୍କୁ କାର୍ଡ ପିଛା ୧ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ମିଳିଥିଲା। ଏ ବାବଦରେ ସୁନ୍ଦରଗଡ ଜିଲ୍ଲାକୁ କାର୍ଡ ଅନୁଯାୟୀ ସର୍ବମୋଟ ୪୩ କୋଟି ,୯୭ ଲକ୍ଷ ୧୯ ହଜାର ୬୯୪ ଟଙ୍କା ଆସିଥିଲା। ଏଥି ମଧ୍ୟରୁ ୪୩ କୋଟି ୨୦ ଲକ୍ଷ ୧୬ ହଜାର ଟଙ୍କା ବଣ୍ଟନ କରାଯାଇଥିଲା। ଅବଶିଷ୍ଟ ୭୭ ଲକ୍ଷ ୩ ହଜାର ୬୯୪ ଟଙ୍କା ବଣ୍ଟନ ନ ହୋଇ ଫେରି ଯାଇଥିଲା। ଅର୍ଥାତ୍‌ ଜିଲ୍ଲାର ପ୍ରାୟ ୭ ହଜାର ୭୦୦ କାର୍ଡଧାରୀଙ୍କ ନଥିବାରୁ ଏହି ଟଙ୍କା ଫେରି ଯାଇଥିଲା। ଅର୍ଥାତ୍‌ ଜିଲ୍ଲାର ୭ ହଜାର ୭୦୦ କାର୍ଡ ସମ୍ପୂର୍ଣ୍ଣ ଭୂତ କାର୍ଡ ବୋଲି ସ୍ପଷ୍ଟ ପ୍ରମାଣିତ ହୋଇଥିଲା। ଏହି ଭୂତ କାର୍ଡ ଜରିଆରେ କଣ୍ଟ୍ରୋଲ ଦୋକାନୀମାନେ ଯୋଗାଣ ବିଭାଗର ଅଧିକାରୀଙ୍କୁ ଧରି ବର୍ଷ କି ଦୁଇ ବର୍ଷ ନୁହେଁ ୨୦୧୬ରୁ ଆଜି ପର୍ଯ୍ୟନ୍ତ ଅର୍ଥାତ୍‌ ୫ ବର୍ଷ ଧରି ଚାଉଳ, ଗହମ, କିରାସିନ ଆଦି ରିଲିଫ୍‌ ସାମଗ୍ରୀ ଉଠାଇ ଚଳୁ କରି ଚାଲିଛନ୍ତି। ଯଦି କାର୍ଡ ପିଛା ୩ରୁ ଅଧିକ ସଦସ୍ୟ ଥାଆନ୍ତି ୭ ହଜାର ୭୦୦ କାର୍ଡରେ ମୋଟ ସଦସ୍ୟ ସଂଖ୍ୟା ହେଉଛି ୨୫ ହଜାର। ମାସକୁ ଜଣ ପିଛା ୫ କେଜି ଲେଖାଏଁ ଗହମ କିମ୍ବା ଗହମ ମିଳିଥାଏ। ୨୫ ହଜାର ସଦସ୍ୟ ବାବଦରେ ମାସକୁ ମୋଟ ୧ ଲକ୍ଷ ୨୫ ହଜାର ଗହମ ଉଠାଯାଏ। ୫ ବର୍ଷରେ ଅର୍ଥାତ୍‌ ୬୦ ମାସରେ ୭୫ ଲକ୍ଷ କେଜି ଅର୍ଥାଥ୍ ୭ ହଜାର ୫୦୦ ଟନ୍‌ ଗହମ ଚାଉଳକୁ ହଡ଼ପ କରାଯାଇଛି। ବଜାରରେ କେଜି ପ୍ରତି ୨୦ ଟଙ୍କା ବିକ୍ରି କରାଗଲା ସର୍ବମୋଟ ୧୫ କୋଟି ଟଙ୍କାକୁ ମିଳି ମିଶି ଚଳୁ କରାଯାଇଛି। କେବଳ ଗହମ, ଚାଉଳ ନୁହେଁ କିରୋସିନ ମଧ୍ୟ ସେହି ସମାନ ଲୁଟ୍‌। ମାସକୁ ମୁଣ୍ଡ ପିଛା ୨ ଲିଟର ଲେଖାଏଁ ଦିଆଯାଏ। ୨୫ ହଜାର ସଦସ୍ୟଙ୍କ ବାବଦରେ ମାସକୁ ୫୦ ହଜାର ଲିଟର ଉଠା ଯାଉଛି। ଏପରି ଭାବେ ୫ ବର୍ଷକୁ ଅର୍ଥାତ୍‌ ୬୦ ମାସରେ ୩୦ ଲକ୍ଷ ଲିଟର କିରାସିନ ଉଠାଯାଇଛି। ଲିଟର ପିଛା ସର୍ବନିମ୍ନ ୨୫ ଟଙ୍କା ‌ଲେଖାଏଁ ହେଲେ ପ୍ରାୟ ୭ କୋଟି ୫୦ ଲକ୍ଷ ଟଙ୍କାର ହେରଫେର ହୋଇଛି। ଏମିତି ଭାବେ କିରୋସିନ, ଗହମ ଓ ଚାଉଳ ବାବଦରେ ସର୍ବମୋଟ ୨୨ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ହୋଇଥିଲା। ସବୁଠୁ ବେଶି ଦୁର୍ନୀତି ହୋଇଛି ସ୍ମାର୍ଟସିଟି ରାଉରକେଲାରେ।

The post ଯୋଗାଣ ବିଭାଗରେ ଆଉ କେଳେଙ୍କାରୀ : ଜାଲ୍‌ ଆଧାର ନମ୍ବରରେ ଖାଉଟି ସାମଗ୍ରୀ ଲୁଟ୍‌ first appeared on Sambad.



from ଜିଲ୍ଲା – Sambad https://ift.tt/3bOBEnX