ରାଉରକେଲା : ସ୍ମାର୍ଟ ସିଟିରେ ନିର୍ମାଣ ଚାଲିଛି ସ୍ମାର୍ଟ ବସ୍‌ ସେଲ୍‌ଟର। ଗୋଟିଏ କି ଦୁଇଟି ନୁହେଁ ସହରର ପ୍ରମୁଖ ଛକରେ ହେବ ୧୩ଟି ସୌରଚାଳିତ ସ୍ମାର୍ଟ ବସ୍‌ ସେଲ୍‌ଟର। ଖର୍ଚ୍ଚ ହେବ ପ୍ରାୟ ୨କୋଟି ୮୬ ଲକ୍ଷ। ଅର୍ଥାତ୍‌ ଗୋଟିଏ ସେଲ୍‌ଟର ନିର୍ମାଣ ବାବଦ ଖର୍ଚ୍ଚ ପାଖାପାଖି ୨୨ ଲକ୍ଷ ଟଙ୍କା। ଯେଉଁଠି ଲାଗିବ ସୌରଚାଳିତ ପ୍ୟାନେଲ୍‌। ରହିବ ମୋବାଇଲ ଚାର୍ଜର, ସିସି ଟିଭି କ୍ୟାମେରା, ଏଲ୍‌ଇଡି ସ୍କ୍ରିନ୍‌, ଡଷ୍ଟବିନ୍‌, ଏଲ୍‌ଇଡି ବିଜ୍ଞାପନ ବୋର୍ଡ ଇତ୍ୟାଦି।

ବିର୍ସା ମୁଣ୍ଡା ଛକ, ଟ୍ରାଫିକ୍‌ ଛକ, ଉଦିତନଗର, ଏସ୍‌ଟିଆଇ, ଆଇଟିଆଇ, ପାନପ‌ୋଷ, ହକି ଛକ, ମ୍ୟୁନିସିପାଲିଟି କଲେଜ ଛକ, ଛେଣ୍ଡ ଭିଏସ୍ଏସ୍‌ ମାର୍କେଟ, କଳିଙ୍ଗ ବିହାର ଆଦି ପ୍ରମୁଖ ଛକରେ ଏଭଳି ଅତ୍ୟାଧୁନିକ ବସ୍‌ ସେଲ୍‌ଟର ନିର୍ମାଣ ପାଇଁ ଠିକା ସଂସ୍ଥା ‘ଏନ୍‌ଏସ୍‌ଆଇସି’କୁ ଦାୟିତ୍ବ ଦିଆଯାଇଛି। ସମ୍ପୃକ୍ତ ସଂସ୍ଥା ୬ ମାସରେ ଭିତରେ ନିର୍ମାଣ କରିଛି ମାତ୍ର ୪ରୁ ୫ଟି ବସ୍‌ ସେଲ୍‌ଟର। ତାହା ପୁଣି ଅଧପନ୍ତରିଆ। ସୋଲାର ପ୍ୟାନେଲ୍‌ ବି ଲାଗନି। ମୋବାଇଲ୍‌ ଚାର୍ଜର, ସିଟି ଟିଭି କ୍ୟାମେରା, ଏଲ୍‌ଇଡି ସ୍କ୍ରିନ୍‌, ଡଷ୍ଟବିନ୍‌ କୌଣସି ଗୋଟିଏ ବି ବ୍ୟବସ୍ଥା ନାହିଁ। କେବଳ ବସ୍‌ଯାତ୍ରୀ, କଲେଜ ଛାତ୍ରଛାତ୍ରୀ ବସିବାର ବ୍ୟବସ୍ଥା ହୋଇଛି। ବସିବାକୁ ଯେତିକି ସିଟ୍‌ ଅଛି, ତାହା ବି ପର୍ଯ୍ୟାପ୍ତ ନୁହେଁ। ବିର୍ସା ଛକରେ ଯେଉଁ ବସ୍‌ ସେଲ୍‌ଟର ନିର୍ମାଣ ହୋଇଛି। ଯେତିକି ବସିବାର ସୁବିଧା ପାଉଛନ୍ତି, ତା’ଠାରୁ ଢ଼େର ଯାତ୍ରୀ ଛିଡା ହେଉଛନ୍ତି। ମାତ୍ର ୪/୫ଟି ଅଧପନ୍ତରିଆ ସ୍ମାର୍ଟ ବସ୍‌ ସେଲ୍‌ଟର ନିର୍ମାଣ କରିବାକୁ ଯଦି ୬ ମାସ ଲାଗିଲା। ଅବଶିଷ୍ଟ ୭ଟି କେବେ ସମ୍ପର୍ଣ୍ଣ ହେବ ତାକୁ ନେଇ ଉଠିଛି ପ୍ରଶ୍ନ ।

ଏ ସଂକ୍ରାନ୍ତରେ ନିର୍ମାଣକାରୀ ଦାୟିତ୍ବରେ ଥିବା ଠିକା ସଂସ୍ଥାକୁ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରୁ ନାହାନ୍ତି। କହୁଛନ୍ତି, କାମ ଚାଲିଛି। ଖୁବ୍‌ ଶୀଘ୍ର ସରିଯିବ। ତେବେ ୨୨ ଲକ୍ଷ ଟଙ୍କାରେ ଖର୍ଚ୍ଚ ନିର୍ମାଣ ସ୍ମାର୍ଟ ବସ୍‌ ସେଲ୍‌ଟରରେ ଯାତ୍ରୀଙ୍କୁ ସ୍ମାର୍ଟ ସୁବିଧା ମିଳିବ ତ ? ତାକୁ ନେଇ ଏବେ ଠୁ ସନ୍ଦେହ ସୃଷ୍ଟି ହେଲାଣି। ଅନ୍ୟପଟେ ବସ୍‌ ସେଲ୍‌ଟର ଯେମିତି ଢ଼ଙ୍ଗରେ ନିର୍ମାଣ ହେଉଛି, ଏଥିରେ ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି କି ନାହିଁ ତାହା ବି ସନ୍ଦେହ। ତେବେ ଆଗାମି ଦିନରେ ସ୍ମାର୍ଟ ବସ୍‌ ସେଲ୍‌ଟର ଯାତ୍ରୀଙ୍କ କାମରେ କେତେ ସହାୟକ ହେଉଛି, ତାକୁ ହିଁ ଅପେକ୍ଷା। ଅପରପକ୍ଷେ ସ୍ମାର୍ଟ ସିଟି କେବଳ ଗୋଟିଏ ପ୍ରକଳ୍ପ ନୁହେଁ ଏମିତି ଅନେକ ପ୍ରକଳ୍ପ ବର୍ଷ ବର୍ଷ ଧରି ଚାଳିଛି। କେବେ ସରିବ କାହାରି ପାଖରେ ସଠିକ୍‌ ଉତ୍ତର ନାହିଁ।

ନିକଟରେ ୧୧ କୋଟି ୬ ଲକ୍ଷ ଟଙ୍କାର ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ ଲୋକର୍ପିତ ହୋଇଛି। କିନ୍ତୁ ଅର୍ଦ୍ଧାଧିକ କାମ ସରିନି। ୧୩୮ କୋଟି ୪୭ ଲକ୍ଷର ବିର୍ସା ମୁଣ୍ଡା ଷ୍ଟାଡିୟମ ନିର୍ମାଣ କାମ ଚାଲିଛି। ୧୨୬ କୋଟି ୪ ଲକ୍ଷର ସ୍ମାର୍ଟ ସିଟି ରୋଡ୍‌ (ଫେଜ୍‌ -୨) ବି ଚାଲିଛି। ୪୯ କୋଟି ୫୨ ଲକ୍ଷ ପାନପୋଷ ଏନ୍‌ଏସି ମାର୍କେଟ ନିର୍ମାଣ ଏଯାଏଁ ଆରମ୍ଭ ହୋଇନି। ୪୭ କୋଟି ୪ ଲକ୍ଷର ବ୍ରାହ୍ମଣୀ ନଦୀ ସମ୍ମୁଖ ବିକାଶ, ୮ କୋଟିର ସ୍ମାର୍ଟ ବସ୍‌ ଟର୍ମିନାଲ୍‌, ୧୨ କୋଟି ୨୭ ଲକ୍ଷରେ ୨୪ ଟି ପାର୍କିଂ ପ୍ଲେସର ବିକାଶ, ୧୪ କୋଟି ୯୩ ଲକ୍ଷର ବେଦବ୍ୟାସ ଟୁରିଜିମ୍‌ ହବ୍‌, ୧୦ କୋଟିର କର୍ମଜୀବୀ ମହିଳା ହଷ୍ଟେଲ, ୨ କୋଟଶି ୮୧ ଲକ୍ଷର ସ୍ମାର୍ଟ କ୍ଲାସ ରୁମ୍‌, ୫ କୋଟି ୨୨ ଲକ୍ଷରେ ବ୍ୟୟରେ ଆର୍‌ଏମ୍‌ସି ରାସ୍ତାର ସୌନ୍ଦର୍ଯ୍ୟକରଣ କାମ ଗତି କୁଆଡେ କେହି କରି ପାରୁ ନାହାନ୍ତି। ସେମିତି ଖର୍ଚ୍ଚ ହୋଇ ବ୍ୟାଙ୍କରେ ପଡିଛି ୨୬୬ ‌କୋଟି ୮୩ ଲକ୍ଷରୁ ଅଧିକ। ଯାହାର ସୁଧ ୮୩ କୋଟି ୪୨ ଲକ୍ଷ ଏମିତି ମୋଟ ୩୫୦ କ‌ୋଟି ୨୫ ଲକ୍ଷରୁ ଅଧିକ ଟଙ୍କା ଏବେ ବ୍ୟାଙ୍କରେ ପଡ଼ିଛି। ସ୍ମାର୍ଟ ସିଟିର ଏଭଳି ଅବହେଳା ପ୍ରତିବାଦରେ ରାଜନୈତିକ ଦଳ ଗୁଡ଼ିକ ଯେମିତି ସ୍ବର ଉତ୍ତୋଳନ କରିବା କଥା ସେମିତି କରୁ ନାହାନ୍ତି। ଏହାର ଭରପୁର ଫାଇଦା ଉଠାଉଛନ୍ତି ଉଭୟ ବିଭାଗୀୟ ଅଧିକାରୀ ଓ ଠିକା ସଂସ୍ଥା।

The post ‌ସ୍ମାର୍ଟ ସିଟିର ସ୍ମାର୍ଟ ବସ୍‌ ସେଲ୍‌ଟର : ୬ ମାସରେ ୪ଟି ଅଧପନ୍ତରିଆ first appeared on Sambad.



from ଜିଲ୍ଲା – Sambad https://ift.tt/3sX5xcs