
ନିଶ୍ଚିନ୍ତକୋଇଲି : ମାହାଙ୍ଗା ଡବଲମର୍ଡର ଘଟଣାର ନିରପେକ୍ଷ ତଦନ୍ତ, ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଓ ମୃତ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ବିଜେପି ପକ୍ଷରୁ ଆଜି ‘ ବିଧାନସଭା ଚାଲ ଅଭିଯାନ’ ଆରମ୍ଭ ହୋଇଛି। ଏହି ପଦଯାତ୍ରା ଆସନ୍ତା ୨୦ତାରିଖ ଦିନ ଭୁବନେଶ୍ବରରେ ପହଞ୍ଚି ବିଧାନସଭାକୁ ଘେରିବାର କାର୍ଯ୍ୟକ୍ରମ ରହିଛି ।
ନିଶ୍ଚିନ୍ତକୋଇଲି ବ୍ଲକ୍ କୁଳିଆ ରଘୁନାଥଜିଉ ମନ୍ଦିରଠାରୁ ଆଜି ପୂର୍ବାହ୍ନରେ ଏହି ପଦଯାତ୍ରା ବାହାରି ଭୁବନେଶ୍ବର ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଚତୁର୍ଥ ପର୍ଯ୍ୟାୟ ଏହି ପଦଯାତ୍ରାରେ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି ପଦଯାତ୍ରାର ନେତୃତ୍ବ ନେଉଥିବା ବିଜେପି ନେତା ଶାରଦା ପ୍ରଧାନ। ଶ୍ରୀ ପ୍ରଧାନ କହିଛନ୍ତି, ମାହାଙ୍ଗାରେ ରାଜନୈତିକ ହିଂସା ଓ ହତ୍ୟାରେ ଅଭିଯୁକ୍ତମାନଙ୍କୁ ପୁଲିସ୍ ପ୍ରଶାସନ ସୁରକ୍ଷା ଦେଉଛି। ଏହାର ପ୍ରତିବାଦରେ ଏହି ପଦଯାତ୍ରା କରାଯାଉଛି । ଯେ ପର୍ଯ୍ୟନ୍ତ ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରା ନ ଯାଇଛି ଏବଂ ମୃତ ପରିବାରକୁ ନ୍ୟାୟ ନ ମିଳିଛି, ସେ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ଅଭିଯାନ ଚାଲିବ ବୋଲି ସେ କହିଛନ୍ତି।
ଏହି ପଦଯାତ୍ରାରେ ବିଜେପି ଜିଲ୍ଲା ସଭାପତି ପ୍ରକାଶ ବେହେରା, ଯାଜ୍ଞସେନୀ ଜେନା, ଅଲେଖ ଜେନା, ମମତା ରାଉତ, ଆଇନଜୀବୀ ଅମରେନ୍ଦ୍ର ଦାସ, ରଂଜନ ଜେନା, ମଧୁସ୍ମିତା ସାମଲ, ପୀତାମ୍ବର ମହାନ୍ତି, ସନ୍ଦୀପ୍ ସାମନ୍ତରାୟ ପ୍ରମୁଖ ଶତାଧିକ ବିଜେପି କର୍ମୀ ସାମିଲ ହୋଇଥିଲେ।
The post ମାହାଙ୍ଗା ଡବଲମର୍ଡର : ବିଜେପିର ବିଧାନସଭା ଚାଲ ଅଭିଯାନ ଆରମ୍ଭ first appeared on Sambad.from ଜିଲ୍ଲା | Sambad https://ift.tt/3bViU7f
0 Comments