
କଟକ : କଟକରେ ପୁଣି ଚିନ୍ତା ବଢ଼ାଇଲା କରୋନା ସଂକ୍ରମଣ। ଗତକାଲି ୫ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକର ଏକ ଘରୋଇ ସାଇନ୍ସ କଲେଜରୁ ୧୨ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହେବା ଘଟଣା ଉଦ୍ବେଗର କାରଣ ପାଲଟିଛି। ଏଭଳି ଘଟଣା ପରେ ସିଏମ୍ସି ପକ୍ଷରୁ ଆକ୍ରାନ୍ତଙ୍କୁ କଲେଜ ହଷ୍ଟେଲ ପରିସରରେ କ୍ବାରାଣ୍ଟିନ୍ରେ ରଖାଯାଇଛି। ସମସ୍ତ ଆକ୍ରାନ୍ତଙ୍କଠାରେ ଲକ୍ଷଣ ଦେଖାଦେବା ପରେ ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିଲା। ସେ ସବୁର ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡିଛି। ତେବେ ଉକ୍ତ ଶିକ୍ଷାନୁଷ୍ଠାନରେ ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ୍ ଟ୍ରେସିଂ କରାଯିବ ଓ ସେହି ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ ଯେ ଗତ କିଛିଦିନ ତଳେ ଟାଙ୍ଗୀର ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ୫ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ୫୦ଜଣଙ୍କ ଆର୍ଟିପିସିଆର ପରୀକ୍ଷା କରାଯାଇଥିଲା। ତେବେ ସେ ସବୁର ରିପୋର୍ଟ ନେଗେଟିଭ୍ ଆସିଥିଲା। କଟକରେ ଗଲା କିଛିଦିନ ଧରି କରୋନା ସ୍ଥିତି ନିୟନ୍ତ୍ରଣରେ ରହିଥିବା ବେଳେ ଆଜି ଏକସଙ୍ଗେ ୧୨ଜଣ ପଜିଟିଭ୍ ଚିହ୍ନଟ ପରେ ପ୍ରଶାସନର ଚିନ୍ତା ବଢ଼ି ଯାଇଛି। ସହରର ସ୍ଥିତିକୁ କିପରି ନିୟନ୍ତ୍ରଣରେ ରଖାଯିବ ସେ ନେଇ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଯୋଜନା ଆରମ୍ଭ କରାଯାଇଛି। ଏଥିସହ ରେଲୱେ ଷ୍ଟେସନ୍ରେ ମଧ୍ୟ କିପରି ବାହାରୁ ଆସୁଥିବା ଲୋକଙ୍କ ତଥ୍ୟ ରଖାଯିବ ସେ ସଂପର୍କରେ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଗାଇଡ୍ଲାଇନ୍ ଗୁରୁବାର ଜାରି କରାଯିବ ବୋଲି ଜଣାପଡିଛି।
The post କଟକରେ ବଢ଼ିଲା କରୋନା ଚିନ୍ତା : ଘରୋଇ କଲେଜରେ ୧୨ ଆକ୍ରାନ୍ତ first appeared on Sambad.from ଜିଲ୍ଲା | Sambad https://ift.tt/3s2KG7C
0 Comments