କୋରାପୁଟ: ଆନ୍ଧ୍ର ପ୍ରଦେଶର ସାଲୁର ବ୍ଲକର କୋଡ଼ମା ଗ୍ରାମପଞ୍ଚାୟତର ୧୮ଟି ଗ୍ରାମବାସୀ ଓଡ଼ିଶାରେ ସାମିଲ ହେବା ଲାଗି ଆଗ୍ରହ ପ୍ରକାଶ କରୁଛନ୍ତି। ଏନେଇ କୋରାପୁଟର ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ କୋଡ଼ମା ଗ୍ରାମପଞ୍ଚାୟତର ୧୮ଟି ଗ୍ରାମର ଲୋକେ ମିଳିତ ହୋଇ ଗତକାଲି ତାଙ୍କୁ ନିମନ୍ତ୍ରଣ କରିଥିଲେ। କୋଡ଼ମା ଗ୍ରାମରେ ଏକ ସାଧାରଣ ସଭା ଆୟୋଜନ କରିଥିଲେ। ଉକ୍ତ ସଭାରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସଭାରେ ପ୍ରତ୍ୟେକ ଗ୍ରାମର ମୁଖିଆ ନିଜ ନିଜ ଗ୍ରାମର ସମସ୍ୟା ଉପସ୍ଥାପନ କରିଥିଲେ।

ଉକ୍ତ ଗ୍ରାମପଞ୍ଚାୟତର କୌଣସି ଗ୍ରାମରେ ରାସ୍ତା, ସ୍କୁଲ, କିମ୍ବା ଅଙ୍ଗନାବାଡି ଘର ଖଣ୍ଡେ ବି ନାହିଁ। କିନ୍ତୁ, ଶିକ୍ଷକ ଓ ଅଙ୍ଗନବାଡ଼ି କର୍ମୀ ଅଛନ୍ତି। କୋଡ଼ମା ପଞ୍ଚାୟତକୁ ଓଡ଼ିଶାରେ ସାମିଲ କରି ଯାତାୟାତ ସୁବିଧା କରିବା ସହ ନିକଟସ୍ଥ କାଣ୍ଟି କିମ୍ବା ତଳଗୁମାଣ୍ଡି ଗ୍ରାମପଞ୍ଚାୟତର ସୁବିଧା ଥିବା ଜାଗାରେ ଏକ ସାପ୍ତାହିକ ହାଟ ବସାଇବା ପାଇଁ ସେମାନେ ଦାବି କରିଥିଲେ।
ଉକ୍ତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ସାଲୁର୍ ବ୍ଲକ ଅଧକ୍ଷ ପାଙ୍ଗି ମାଳତୀ ଦୋରା, ପଟାଙ୍ଗି ବ୍ଲକ ଅଧ୍ୟକ୍ଷ ଜଗତ୍‌ଜ୍ୟୋତି ପାଙ୍ଗି, ସେମିଳିଗୁଡ଼ା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଏସ୍ ନାରାୟଣ ରାଓ, କୋରାପୁଟ ଜିଲ୍ଲା କୁଇ ସମାଜର ସଭାପତି ଦାମୋଦର ଜାନୀ, ବିଙ୍ଗୁ ଜାନୀ, ନାରାୟଣ ଚୌଧୁରୀ, କୁଇ ସମାଜର କର୍ମକର୍ତ୍ତା ଏବଂ କାଣ୍ଟି ଓ ତଳଗୁମାଣ୍ଡି ଗ୍ରାମପଞ୍ଚାୟତର ଅନେକ ଶିକ୍ଷିତ ଯୁବକ ଯୋଗ ଦେଇଥିଲେ।

The post ଆନ୍ଧ୍ର ପ୍ରଦେଶର ସାଲୁର ବ୍ଲକର କୋଡ଼ମା ଗ୍ରାମପଞ୍ଚାୟତର ୧୮ଟି ଗ୍ରାମର ବାସିନ୍ଦା ଓଡ଼ିଶାରେ ସାମିଲ ହେବା ଲାଗି ଆଗ୍ରହୀ: ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗୀ first appeared on Sambad.



from ଜିଲ୍ଲା – Sambad https://ift.tt/2Q2zk5x